ପୁରୀ : ଚଳିତ ବର୍ଷର ରଥଯାତ୍ରା ପାଇଁ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତିକୁ ନେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ ସମୀକ୍ଷା କରିଛନ୍ତି। ରଥଯାତ୍ରାରେ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ ହେବାକୁ ଥିବାରୁ ସହରର ପରିମଳ ବ୍ୟବସ୍ଥା ସହ ଭିତ୍ତିଭୂମୀ ସଜାଡିବାକୁ ସେ ଗୁରୁତ୍ବ ଦେଇଛନ୍ତି।
ପୁରୀ ପୌରାଞ୍ଚଳ ମଧ୍ୟରେ ସବୁ ରାସ୍ତା ମରାମତି କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ସହ ଡ୍ରେନ ମରାମତି, ପରମଳ ବ୍ୟବସ୍ଥା, ପର୍ଯ୍ୟପ୍ତ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା, ଅସ୍ଥାୟୀ ପାର୍କିଂ ଆଦି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ସହରରେ ଯାତ୍ରା ସମୟରେ ନିୟମିତ ପାନୀୟ ଜଳ ଯୋଗାଣ ସାଙ୍ଗକୁ ୨୪ ଘଣ୍ଟିଆ ପବ୍ଲିକ ଟଏଲେଟ ବ୍ୟବସ୍ଥା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଯାତ୍ରା ସମୟରେ ରାସ୍ତାରେ ଅଲିଆ କିମ୍ବା ନିର୍ମାଣ ସାମଗ୍ରୀ ଜମା କରୁଥିବା ବ୍ୟକ୍ତି, ବାଣିଜ୍ୟିକ ପ୍ରତିଷ୍ଠାନ ଓ ବିଲଡରଙ୍କ ଉପରେ ମୋଟା ଅଙ୍କର ଫାଇନ ଲଗାଇବାକୁ ବିଭାଗୀୟ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।
ଜାରି ରହିଥିବା ସବୁ କାର୍ଯ୍ୟର ଅଗ୍ରଗତିକୁ ପ୍ରତି ସପ୍ତାହରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ସହ ଚଳିତ ବର୍ଷ ରଥଯାତ୍ରା ସମୟରେ ବର୍ଷା ହେବାର ସମ୍ଭାବନା ଥିବାରୁ ବର୍ଷା ଜଳ ପରିଚାଳନା ଓ ଡ୍ରେନେଜ ଭିତ୍ତିଭୂମୀକୁ ଶ୍ରୀମତି ପାଢୀ ଗୁରୁତ୍ବ ଦେଇଥିଲେ। ପୁରୀ ମହାନଗର ନିଗମ କମିଶନର ସୂଚନା ଦେଇଥିଲେ ଯେ, ଜୁନ ୩୦ ସୁଦ୍ଧା ବଡଦାଣ୍ଡର ସବୁ ଡ୍ରେନକୁ କଂକ୍ରିଟ ସ୍ଲାବ ଦ୍ବାରା ଘୋଡାଯିବ।
ସହରାଞ୍ଚଳରେ ଦୈନିକ ଦୁଇ ଥର ସଫେଇ କାର୍ଯ୍ୟ କରାଯାଉଛି। ଏଥିସହିତ ବେଆଇନ ଅବରୋଧ ହଟେଇବାକୁ ମଧ୍ୟ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି। ବୁଲା ଗାଇ ଓ ଷଣ୍ଢଙ୍କୁ ଗୋଶାଳା ଓ ଅସ୍ଥାୟୀ ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଛି। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରନ୍ଧା ଖାଦ୍ୟ ବିତରଣକୁ ଅନୁମତି ଦିଆଯିବ। କିନ୍ତୁ ଏଥିପାଇଁ ସମ୍ପୃକ୍ତ ସଂସ୍ଥା ଉପଯୁକ୍ତ ବର୍ଯ୍ୟ ପରିଚାଳନା ଯୋଜନା ପ୍ରଦାନ କରିବ।

