Home Culture ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ

ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ

ପୁରୀ : ଆସନ୍ତା ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଓ ୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାହୁଡା ଯାତ୍ରା ଲାଗି ଆଜି ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଏହା ସ୍ଥିରୀକୃତ ହୋଇଥିବା ସୂଚନା ଦିଆଯାଇଛି ।

ଧାର୍ଯ୍ୟ ହୋଇଥିବା ନୀତି ଅନୁଯାୟୀ ଶ୍ରୀଗୁଣ୍ଡିଚା ଦିନ ଭୋର ୪.୩୦ରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆରତୀ ହେବ । ଏହାପରେ ସକାଳ ୫ଟାରେ ମଇଲମ, ତଡପଲାଗି ଓ ରୋଷହୋମ, ୫.୩୦ରେ ଅବକାଶ, ୫.୪୦ରେ ସୂର୍ଯ୍ୟପୂଜା ଓ ୬ଟାରେ ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବ । ସକାଳ ୬.୩୦ ରୁ ୭.୩୦ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ରେ ଖେଚୁଡି ଭୋଗ ହେବାପରେ ୮ଟାରେ ରଥ ପ୍ରତିଷ୍ଠା ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ରଥ ପ୍ରତିଷ୍ଠା ସରିବାପରେ ସକାଳ ୮.୧୫ରେ ମଙ୍ଗଳାର୍ପଣ ହୋଇ ୮.୩୦ରେ ଶ୍ରୀଜୀଉମାନଙ୍କ ପହଣ୍ଡି ଆରମ୍ଭ ହେବ । ଦିନ ୧୧.୩୦ ସୁଦ୍ଧା ପହଣ୍ଡି ସାରିବାକୁ ସମୟ ସ୍ଥିର ହୋଇଥିବାବେଳେ ୧୨ରୁ ୧୨.୩୦ ମଧ୍ୟରେ ମଦନମୋହନ ବିଜେ କରିବେ ଓ ୧୨.୩୦ ରୁ ୧ଟା ମଧ୍ୟରେ ଚିତାଲାଗି ହେବ । ଏହାପରେ ତିନି ଠାକୁରଙ୍କ ବେଶ୍‍ ହେବାପରେ ଅପରାହ୍ନ ୧୨.୪୫ରୁ ୨ଟା ମଧ୍ୟରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ଚାରମାଳ ଫିଟିବା ପରେ ଅପରାହ୍ନ ୩ଟାରେ ରଥ ଟଣାହେବ । ରଥଟଣା ସରିବାପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ।

ସେହିଭଳି ବାହୁଡା ଯାତ୍ରା ଦିନ ଭୋର ୪ଟାରେ ତିନି ଠାକୁରଙ୍କ ମଙ୍ଗଳଆରତୀ ହେବ । ୪.୧୫ରେ ମଇଲମ, ୪.୩୦ରେ ତଡପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫.୧୫ରେ ସୂର୍ଯ୍ୟପୂଜା ଓ ୫.୩୦ରେ ଦ୍ୱାରପାଳ ପୂଜା ଅନୁଷ୍ଠିତହେବ । ୫.୪୫ରୁ ୬.୪୫ ମଧ୍ୟରେ ସକାଳ ଧୂପ ସରିବାପରେ ୭ଟାରୁ ୧୧.୩୦ ମଧ୍ୟରେ ସେନାପଟାଲାଗି ହେବ ।

୧୧.୪୫ରେ ମଙ୍ଗଳାର୍ପଣ ଲାଗି ସମୟ ଧାର୍ଯ୍ୟ ହୋଇଥିବାବେଳେ ଦିନ ଅପରାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ବାହୁଡା ପହଣ୍ଡି ହେବ । ୨.୩୦ ରୁ ୩.୩୦ ମଧ୍ୟରେ ଛେରା ପହଁରା ହେବ ଏବଂ ଚାରମାଳ ଫିଟିବାପରେ ଅପରାହ୍ନ ୪ଟାରୁ ରଥ ଟଣାଲାଗି ସମୟ ଧାର୍ଯ୍ୟ କରାଯାଇଛି ।

ସେହିଭଳି ୨୧ତାରିଖ ଦିନ ଶ୍ରୀଜୀଉମାନଙ୍କ ସୁନାବେଶ ପଡୁଥିବାରୁ ସେହିଦିନ ଅପରାହ୍ନ ୪ଟାରୁ ତିନି ଠାକୁରଙ୍କ ସୁନାବେଶ ଆରମ୍ଭହେବ । ଏଥିପାଇଁ ଅପରାହ୍ନ ୪ଟାରୁ ୫.୩୦କୁ ସମୟ ଧାର୍ଯ୍ୟ ହୋଇଥିବାବେଳେ ୬ଟାରେ ସଂଧ୍ୟାଆରତୀ, ୮ରୁ ୯ ମଧ୍ୟରେ ସଂଧ୍ୟାଧୂପ, ରାତ୍ର ୧୧ରୁ ୧୨ଟା ମଧ୍ୟରେ ସୁନା ମଇଲମ, ୧୨.୩୦ରେ ଚନ୍ଦନଲାଗି, ରାତି ଗୋଟାଏରେ ବଡସିଂହାର ବେଶ ଓ ୧.୩୦ ରେ ବଡସିଂହାର ଭୋଗ ସରି ରାତ୍ର ୨ଟା ପହୁଡ ପଡିବ ।

ଜୁଲାଇ ୨୨ ତାରିଖରେ ଶ୍ରୀଜୀଉମାନଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ସେହିଦିନ ରାତି ୮ଟା ସୁଦ୍ଧା ତିନି ରଥରେ ଅଧର ନୀତି ସାରିବାକୁ ସମୟ ଧାର୍ଯ୍ୟ ହୋଇଥିବାବେଳେ ୨୩ ତାରିଖ ଦିନ ସମସ୍ତ ନୀତିକାନ୍ତି ଶେଷପରେ ଅପରାହ୍ନ ୪ଟାରେ ତିନି ଠାକୁର ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିବେ ।

ସେହିଭଳି ଆଜିର ବୈଠକରେ ସ୍ନାନପୂର୍ଣିର୍ମା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ହେଉଛି । ଜୁଲାଇ ୯ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପଡୁଥିବାବେଳେ ସେହିଦିନ ଦିନ ୧୦.୩୦ ରେ ଛେରାପହଁରା ଏବଂ ୧୧ଟାରୁ ୧୨ଟା ମଧ୍ୟରେ ତିନି ଦିଅଁଙ୍କର ହାତୀବେଶ ହେବ । ଅପରାହ୍ନ ୫ରୁ ରାତ୍ର ୮ଟା ମଧ୍ୟରେ ଶ୍ରୀଜୀଉମାନଙ୍କ ବାହୁଡା ପହଣ୍ଡି ହେବ ।

ତେବେ ଚଳିତବର୍ଷ ସ୍ନାନ ପୂର୍ଣ୍ଣିମା ସମେତ ଶ୍ରୀଗୁଣ୍ଡିଚା, ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରୀ ବିଜେ ଆଦି ବିନା ଭକ୍ତରେ ଅନୁଷ୍ଠିତ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତବର୍ଷ ବିନା ଭକ୍ତରେ ରଥଯାତ୍ରା ପାଇଁ ପୂର୍ବରୁ ସରକାର ଘୋଷଣା କରିବା ସହିତ ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଓ ପୁଲିସ୍‍ କର୍ମଚାରୀମାନଙ୍କର ୪ଥର ଆରଟି-ପିସିଆର ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି ।