ଭୁବନେଶ୍ୱର : ଚଳିତ ବର୍ଷ ଘୋଷଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀରେ ତୁଳନାତ୍ମକ ଭାବେ ଅଧିକ ଜନସମାବେଶ ହେବାର ସମ୍ଭାବନା ଥିବାରୁ ଜନସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ବେଶ୍ ସକ୍ରିୟ ହୋଇପଡିଛନ୍ତି । ବିଶେଷକରି ରାଜ୍ୟର ବହୁ ଜିଲ୍ଲାରେ ହଇଜା, ଡାଇରିଆ ଓ କରୋନା ସଂକ୍ରମଣ ଘେନି ସରକାରୀ ଓ ବେସରକାରୀ ସ୍ତରରେ ମିଳୁଥିବା ତଥ୍ୟ ଯୋଗୁଁ ପୁରୀକୁ ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ରଖିବାଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପୁରୀ ଓ ଆଖପାଖ ଡାକ୍ତରଖାନା, ମେଡିକାଲ କଲେଜ ଆଦିରେ ବ୍ୟାପକ ବନ୍ଦୋବସ୍ତ ହେଉଛି । ଏଥିଲାଗି କେତେକ ସ୍ଥାନରେ ଅଧିକ ଶଯ୍ୟା ମଧ୍ୟ ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସହରର ବିଭିନ୍ନ ଡାକ୍ତରଖାନା ଏବଂ ମେଡିକାଲ କଲେଜ ଏବଂ ଆର୍ୟୁବେଦିକ କଲେଜ ଆଦିରେ ଏଥିଲାଗି ଅତିରିକ୍ତ ଡାକ୍ତରୀଦଳ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ନିୟୋଜନ କରାଯାଉଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ସତର୍କ ଦୃଷ୍ଟି ରଖିଛି ।
ଏବେ କିଛିଦିନ ଧରି ପୁରୀ ସହର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ବିଶୋଧନ କାର୍ଯ୍ୟ ଚାଲିଛି । ଲୋକେ ଯେଭଳି ବିଶୁଦ୍ଧ ପାନୀୟଜଳ ପାଇପାରନ୍ତି ତାହା ଉପରେ ସର୍ବାଧିକ ଗୁରୁତ୍ୱଆରୋପ କରାଯାଉଛି । ଏହାଛଡା ଦୂଷିତ ପାନୀୟଜଳ ଓ ସଂକ୍ରମିତ ଖାଦ୍ୟଠାରୁ ଲୋକଙ୍କୁ ଦୂରେଇ ରଖିବାପାଇଁ ମଧ୍ୟ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିଲାଗି କେତେକ ସ୍ଥାନରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଖାଦ୍ୟ ନମୂନା ଯାଞ୍ଚ କରିବା ସହିତ ଆବଶ୍ୟକସ୍ଥଳେ ତାହା ନଷ୍ଟକରି ଦେଉଛନ୍ତି ।
ରଥଯାତ୍ରାପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ମାଗଣାରେ ପାନୀୟଜଳ ଓ ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥାଏ । ଏଗୁଡିକ ଯେଭଳି ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ରୁହେ ସେ ଦିଗରେ କଡା ନଜର ରଖାଯାଇଛି । ଯଦି କେହି ଘୋଷଯାତ୍ରା ସମୟରେ ସଂକ୍ରମିତ ଖାଦ୍ୟ ଓ ପାନୀୟ ବିତରଣ କିମ୍ବା ବଣ୍ଟନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାଛଡା ମଶା, ମାଛି ଆଦିଙ୍କୁ ନିୟନ୍ତ୍ରଣ କରିବାପାଇଁ ମଧ୍ୟ ସଫେଇ କାର୍ଯ୍ୟ ଜୋରଦାର କରାଯିବା ସଂଗେ ସଂଗେ ବ୍ୟାପକ ଅଞ୍ଚଳରେ ବ୍ଲିଚିଂ ପାଉଡର ଓ ଅନ୍ୟାନ୍ୟ ବିଶୋଧନ ସାମଗ୍ରୀ ସିଞ୍ଚନ କରାଯାଉଛି ।
ରଥଯାତ୍ରାପାଇଁ ଇତି ମଧ୍ୟରେ ଅନେକ ଥର ସମୀକ୍ଷା ବୈଠକମାନ ଅନୁଷ୍ଠିତ ହୋଇସାରିଛି । ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରଥଗୁଡିକୁ ନିର୍ଦ୍ଧାରିତ ସମୟରେ ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ନିଆଯିବ ଏବଂ ସେଠାରେ ବିଧି ମୁତାବକ ନେତ୍ରତ୍ସୋବ ପରେ ଆସନ୍ତା ୨୭ତାରିଖରେ ଘୋଷଯାତ୍ରା ଅନୁଷ୍ଠିତ ହେବ ।
ଏବର୍ଷ ଘୋଷଯାତ୍ରା ଯେଭଳି ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ହୁଏ ତାହାକୁ ଆଖିଆଗରେ ରଖି ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ଏବଂ ଏଥିଲାଗି ବ୍ୟାପକ ଫୋର୍ସ ମୁତୟନ ସଂଗେ ସଂଗେ ଏଆଇ ଓ ଅନ୍ୟାନ୍ୟ ବୈଜ୍ଞାନିକ ଜ୍ଞାନକୌଶଳର ଉପଯୋଗ କରାଯାଉଛି । ଯେଭଳି କୌଣସି ପ୍ରକାର ଦୁର୍ଘଟଣା ନଘଟେ ତାହାକୁ ଆଖିଆଗରେ ରଖି ସେବାୟତ ଓ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । (ତଥ୍ୟ)