ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ପାଇଁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ଓ କଟକ ଡିସିପି, ଟ୍ରାଫିକ ଡିସିପି, ପୁରୀର ଅତିରିକ୍ତ ଏସପି, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବସ୍ ମାଲିକ ସଂଘର କର୍ମକର୍ତ୍ତା, ଓଏସଆରଟିସି ଏବଂ କ୍ରୁଟ୍ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଭର୍ଚ୍ଚୁଆଲ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଯୋଗ ଦେଇଥିଲେ।
ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁମାନେ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ, ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଯାତ୍ରୀଙ୍କ ଚାହିଦା ପୂରଣ ପାଇଁ ପୁରୀକୁ ବହୁ ସଂଖ୍ୟାରେ ଷ୍ଟେଜ୍ କ୍ୟାରେଜ୍ ବସ୍ ଚଳାଚଳ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ନିମନ୍ତେ ଅସ୍ଥାୟୀ ପରମିଟ୍ ପ୍ରଦାନ କରାଯିବ। ରଥଯାତ୍ରାର ପୂର୍ବ ଦିନ ପାଇଁ ମଧ୍ୟ ଏହି ଅସ୍ଥାୟୀ ପରମିଟ୍ ମିଳିପାରିବ। ପୁରୀ ବାହାର ରୁଟ୍ର କୌଣସି ବି ବସ୍ ମାଲିକ ଏଥିପାଇଁ ଆବେଦନ କରିପାରିବେ।
ଏବେ ପୁରୀକୁ ପ୍ରତିଦିନ ପ୍ରାୟ ୨୦୦ ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ରଥଯାତ୍ରା ସମୟରେ ଏହି ସଂଖ୍ୟାକୁ ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ପୁରୀକୁ ଓଏସଆରଟିସି ଏବଂ କ୍ରୁଟ୍ ସରକାରୀ ବସ୍ ସଂଖ୍ୟା ମଧ୍ୟ ଏହି ସମୟରେ ବୃଦ୍ଧି କରାଯିବ। ବସରେ କୌଣସି ଯାତ୍ରୀ ଅସୁସ୍ଥ ହେଲେ ତୁରନ୍ତ ସହାୟତା ପ୍ରଦାନ ପାଇଁ ସମସ୍ତ ବସରେ ପ୍ରାଥମିକ ଚିକିତ୍ସା କିଟ୍ ରଖାଯିବ। ପ୍ରମୁଖ ବସ୍ ଟର୍ମିନାଲ, ବସ୍ ଷ୍ଟପ୍ ଏବଂ ବସ୍ଗୁଡ଼ିକରେ ଯାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ଓଆରଏସ ପ୍ୟାକେଟ୍ ବ୍ୟବସ୍ଥା କରାଯିବ।
ରଥଯାତ୍ରା ସମୟରେ ପୁରୀଠାରେ ଏକ ସୂଚନା କେନ୍ଦ୍ର ତଥା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ନମ୍ବର ଜାରି ହେବ। ତାଳବଣିଆରେ ମଧ୍ୟ ଏକ ହେଲ୍ପଡେସ୍କ କାର୍ଯ୍ୟ କରିବ। ଏହା ସହ ଏସଟିଏ ର ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ମଧ୍ୟ ସୂଚନା ପ୍ରଦାନ ପାଇଁ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଛି।
ପୁରୀର ତାଳବଣିଆଠାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପାନୀୟ ଜଳ ଏବଂ ବିଦ୍ୟୁତ ସୁବିଧା ଥାଇ ବିଶ୍ରାମ ଗୃହ ନିର୍ମାଣ କରାଯିବ। ଏହା ସହ ନିଃଶୁଳ୍କ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ। ସେହିଭଳି ମାଳତୀପାଟପୁରରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା କରାଯିବ। ଅନ୍ୟ ରାଜ୍ୟର ବସ୍ଗୁଡ଼ିକ ମାଳତୀପାଟପୁରଠାରେ ଅଟକିବା ପାଇଁ ବ୍ୟବସ୍ଥା ହେବ ଏବଂ ସେଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ନିଃଶୁଳ୍କ ସଟଲ୍ ସର୍ଭିସ୍ ପ୍ରଦାନ କରାଯିବ। ସେହିଭଳି ତାଳବଣିଆ ଓ ଅନ୍ୟ ପ୍ରମୁଖ ପାର୍କିଂ ସ୍ଥାନରୁ ନିଃଶୁଳ୍କ ଇ-ରିକ୍ସା ସୁବିଧା ପରିବହନ ବିଭାଗ ଦ୍ୱାରା କରାଯିବ। ଏଥିପାଇଁ ୪୫୦ଟି ଇ-ରିକ୍ସା ନିୟୋଜିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ପ୍ରତି ବସରେ ଭଡ଼ା ଚାର୍ଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ବସ୍ ଯେପରି ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ଆଦାୟ ନ କରନ୍ତି, ସେଥିପାଇଁ ପରିବହନ ବିଭାଗ ସହ ବସ୍ ମାଲିକ ସଂଘ ମଧ୍ୟ କଡ଼ା ଦୃଷ୍ଟି ଦେବେ। ସେହିଭଳି ପୁରୀରେ ଅଟୋ ରିକ୍ସା ଭଡ଼ା ପ୍ରତି ମଧ୍ୟ ଆରଟିଓ ଦୃଷ୍ଟି ଦେବେ। ଯାତ୍ରୀମାନେ ଯେପରି କୌଣସି ପ୍ରକାର ଶୋଷଣର ଶିକାର ନ ହୁଅନ୍ତି, ତାହା ସର୍ବାଧିକ ପ୍ରାଥମିକତାରେ ରହିବ।
ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସଡ଼କ ସୁରକ୍ଷା ପାଇଁ ପୁରୀକୁ ଯୋଡ଼ୁଥିବା ସମସ୍ତ ରୁଟରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ମୁତୟନ ହେବେ। ପୋଲିସ ଓ ପରିବହନ ବିଭାଗ ମିଳିତ ଭାବରେ ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବେ।
ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱରରୁ ପୁରୀ ରାସ୍ତାରେ ପର୍ଯ୍ୟାପ୍ତ ସଂଖ୍ୟକ କ୍ରେନ୍ ଏବଂ ଆମ୍ବୁଲାନ୍ସ ମୁତୟନ କରାଯିବ। ଏଥିପାଇଁ ପୋଲିସ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ ରହିବ। ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ସୁନିଶ୍ଚିତ କରାଯିବ।
ରଥଯାତ୍ରା ସମୟରେ ଭୁବନେଶ୍ୱର-ପୁରୀ ଏବଂ ପୁରୀ-କୋଣାର୍କ ରାଜପଥରେ ଯଦି କୌଣସି ଗାଡ଼ି ଖରାପ ହୁଏ, ତେବେ ତୁରନ୍ତ ମରାମତି ସେବା ଯୋଗାଇଦେବା ପାଇଁ ଗାଡ଼ି ନିର୍ମାତା ଓ ଡିଲରମାନଙ୍କୁ କୁହାଯାଇଛି। କିଛି ମୁଖ୍ୟ ସ୍ଥାନମାନଙ୍କରେ ଗାଡ଼ି ନିର୍ମାତା ଓ ଡିଲରମାନେ ସହାୟତା କ୍ୟାମ୍ପ ସ୍ଥାପନ କରିବେ।
ରଥଯାତ୍ରା ସମୟରେ ବସ୍ଗୁଡ଼ିକରେ ସଡ଼କ ସୁରକ୍ଷା ବାର୍ତ୍ତା ସହିତ ବସ୍ ପରିଚାଳକଙ୍କ ଯୋଗାଯୋଗ ନମ୍ବର ପ୍ରଦର୍ଶିତ କରାଯିବ, ଏହାଦ୍ୱାରା ଯାତ୍ରୀମାନେ ଯୋଗାଯୋଗ କରି ଡ୍ରାଇଭରଙ୍କ ଗାଡ଼ି ଚାଳନା ବିଷୟରେ ନିଜର ମତାମତ ବା ଅଭିଯୋଗ ଜଣାଇ ପାରିବେ। ରଥଯାତ୍ରା ପାଇଁ ଟ୍ରାଫିକ କଟକଣା ଏବଂ ନିୟମାବଳୀ ଜନସାଧାରଣଙ୍କ ଅବଗତି ନିମନ୍ତେ ସୋସିଆଲ ମିଡିଆ, ଏଫଏମ୍ ରେଡିଓ ଏବଂ ସମ୍ବାଦପତ୍ର ମାଧ୍ୟମରେ ସୂଚନା ଦିଆଯିବ।
ରଥଯାତ୍ରା ସମୟରେ ଯେଉଁ ସରକାରୀ ବସ୍ ଗୁଡ଼ିକ ପୁରୀକୁ ଯାଉଛି, ତାର ସୁଗମ ପରିଚାଳନା ପାଇଁ କ୍ରୁଟ୍ ଏବଂ ଓଏସଆରଟିସିର ଜେନେରାଲ୍ ମ୍ୟାନେଜର ବୈଠକରେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ। କିଭଳି ଘରୋଇ ଏବଂ ସରକାରୀ ବସ୍ ମଧ୍ୟରେ ସମନ୍ୱୟ ରକ୍ଷା ହୋଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ସୁଗମ ପରିବହନ ବ୍ୟବସ୍ଥା ପ୍ରଦାନ ହେବ, ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

