Home General ରଥଯାତ୍ରାରେ ଖାଇଲେ କି କୋଟିଏ ଲୋକ?

ରଥଯାତ୍ରାରେ ଖାଇଲେ କି କୋଟିଏ ଲୋକ?

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଥିବା ଘୋଷଯାତ୍ରା ଅବସରରେ ବିଭିନ୍ନ ସଂସ୍ଥା ସେବା ନାମରେ ଯେତେ ଲୋକଙ୍କ ପାଇଁ ଖାଦ୍ୟ ବିତରଣ କରୁଥିବା ଦାବି କରୁଛନ୍ତି ତାହାର ସଂଖ୍ୟା ପାଖାପାଖି କୋଟିଏ ହୋଇଯିବ । ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବିଭିନ୍ନ ଦିବସରେ ପୁରୀକୁ ୫୦ଲକ୍ଷ ଲୋକ ଆସିନଥିବାବେଳେ କୋଟିଏରୁ ଅଧିକ ମାଗଣା ଖାଦ୍ୟ କିଏ ଖାଇଲେ ବୋଲି ପ୍ରଶ୍ନ ଉଠୁଛି ।

ଶହଶହ ବର୍ଷ ଧରି ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ସଂସ୍ଥା ପକ୍ଷରୁ ସେବା କାର୍ଯ୍ୟ କରାଯାଇଥାଏ । ତେବେ ଚଳିତବର୍ଷ ଯେଭଳି ଖାଦ୍ୟ ବଣ୍ଟନ ସଂକ୍ରାନ୍ତରେ ଗଣମାଧ୍ୟମରେ ଲଗାତାର ଭାବେ ପ୍ରଚାରର ପ୍ରତିଯୋଗିତା ଚାଲିଲା ତାହା ଅତୀତରେ କେବେ ଦେଖାଯାଇନଥିଲା । ଏମିତିକି କେତେକ ସଂସ୍ଥାର ମାଲିକ ଓ କର୍ମକର୍ତ୍ତାମାନେ ଏ ସଂକ୍ରାନ୍ତରେ ନିଜ ନିଜର ଫଟୋଚିତ୍ରର ଯେତେ ପ୍ରସାରଣ କଲେ ତାହା ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପ୍ରତି ଆହ୍ୱାନ ବୋଲି କୁହାଯାଉଛି ।

ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରୁ ଅଧିକାଂଶ ପୁରୀ ଓ ତାହାର ଉପକଣ୍ଠରେ ଥିବା ବିଭିନ୍ନ ଭୋଜନାଳୟରେ ଭୋଜନ କରିଥାନ୍ତି । ଏ ବର୍ଷ ବି ଭୋଜନାଳୟଗୁଡ଼ିକରେ ଅପେକ୍ଷାକୃତ ଅଧିକ ଭିଡ଼ ଦେଖାଯାଉଥିଲା । ଏହାଛଡ଼ା ପୁରୀରେ ଥିବା ସର୍କିଟ୍‍ ହାଉସ୍‍ ଓ ଅନ୍ୟ ସରକାରୀ ଅତିଥି ଭବନଗୁଡ଼ିକରେ ମଧ୍ୟ ପୂରା ଦମ୍‍ରେ ଅତିଥି ସତ୍କାର ଲାଗି ରହିଥିଲା । ଏହାଛଡ଼ା ଆଡ଼ପ ଅବଢ଼ାରୁ ନୀଳାଦ୍ରି ଅବଢ଼ା ପର୍ଯ୍ୟନ୍ତ ମହାପ୍ରସାଦ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଗ୍ରହଣ କରିଛନ୍ତି । କେତେକ ମଧ୍ୟରୁ ଏହି ଅବସରରେ ଉପବାସ ବ୍ରତ ରଖିଥାନ୍ତି । ଏସବୁ ସତ୍ତ୍ୱେ ମାଗଣାରେ ଅନ୍ନଦାନ ଓ ଶୁଖିଲା ଖାଦ୍ୟ ବିତରଣ ଆଦି ଯେଭଳି ପ୍ରଚାରିତ ହେଲା ତାହା ଅତୀତରେ କେବେ ହୋଇନଥିଲା ।

ଗୋଟିଏ ବ୍ୟବସାୟିକ ସଂସ୍ଥା ତାହାର ସିଏସ୍‍ଆର୍‍ରୁ କୁଆଡ଼େ ପୁରୀରେ ୪୦ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟପେୟ ବନ୍ଦୋବସ୍ତ କରିଥିଲା ବୋଲି ବାରମ୍ବାର ଗଣମାଧ୍ୟମରେ ପ୍ରଚାର କରିଥିବା ବେଳେ ଆଉ ଗୋଟିଏ ଶିଳ୍ପ ସଂସ୍ଥା ଏହି ଅବସରରେ ୨୦ଲକ୍ଷ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ଯୋଗାଇଥିବା କହିଛି । ଆଉ କେତେକ ସଂସ୍ଥା ୨୫ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟ ବାଣ୍ଟିଥିବା ଘେନି ଗଣମାଧ୍ୟମରେ ଉଲ୍ଲେଖ କରି ନିଜ ଦାତା ପଣିଆରେ ପ୍ରଚାର ଦର୍ପର ସହିତ କରିବା ସଂଗେ ସଂଗେ ଶ୍ରଦ୍ଧାଳୁମାନଙ୍କ ଦୈନ୍ୟତାକୁ ପ୍ରଦର୍ଶନ କରିଛନ୍ତି । ଏମିତିକି ରଥଯାତ୍ରାରେ ସରକାରୀ ସେବାରେ ନିୟୋଜିତ ୟୁନିଫର୍ମ ପିନ୍ଧା ପୁଲିସ ଅଧିକାରୀମାନଙ୍କ ହାତରେ ପ୍ଲେଟ୍‍ ଧରାଇ ଭୋଜନ ବିତରଣ କେନ୍ଦ୍ରର ଫଟୋ ପ୍ରସାରଣ କରିବାରେ ମଧ୍ୟ ସେମାନେ ପଛାଇ ନାହାନ୍ତି ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂଯୋଜନାରେ ପୁରୀରେ ଯେତେବେଳେ ରଥଯାତ୍ରା ଅବସରରେ ସେବା କାର୍ଯ୍ୟ ଚାଲୁଥିଲା ସେମାନେ କେବେହେଲେ କାହାକୁ କେତେ ଖାଦ୍ୟପେୟ ବାଣ୍ଟିଲେ, କାହାର କେତେ ସେବା କଲେ ଓ କେତେ ସଂଖ୍ୟକ ଶବ ସତ୍କାର କଲେ ତାହା ବିଜ୍ଞାପିତ କରୁନଥିଲେ । ମୁରାରୀ ତ୍ରିପାଠୀଙ୍କ ନେତୃତ୍ୱରେ ପୁରୀ ସେବା ସମିତି ଯେଭଳି ସେବା କାର୍ଯ୍ୟ କରୁଥିଲା ତାହା ଏବେ ଦେଖିବାକୁ ବିରଳ ।

ପୁରୀ ସହର ଓ ଆଖପାଖର ବିଭିନ୍ନ ମଠବାଡ଼ି, ଧର୍ମାନୁଷ୍ଠାନ, ସତ୍ୟସାଇ ସେବା ସଂଗଠନ, ରାମକୃଷ୍ଣ ମିଶନ, ଇସ୍‍କନ୍‍, ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସଂସ୍ଥା, ଅଭିରାମ ପରମହଂସଙ୍କ ସଂସ୍ଥା ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମହିଳା ସମିତି, ସେଣ୍ଟ ଜନ୍‍ ଆମ୍ବୁଲାନ୍ସ ବ୍ରିଗେଡ୍‍, ଏନ୍‍ସିସି, ଏନ୍‍ଏସ୍‍ଏସ୍‍, ସ୍କାଉଟ୍‍, ରେଡକ୍ରସ୍‍ ସମେତ ଆହୁରି ଅନେକ ଅନୁଷ୍ଠାନ ରଥଯାତ୍ରା ଅବସରରେ ସେବା କାର୍ଯ୍ୟ କରିଥାନ୍ତି । ଅନେକ ବ୍ୟକ୍ତି ବିଶେଷ ବିନା ବିଜ୍ଞାପନରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ସମ୍ମାନର ସହ ଅନ୍ନ ପରସିଥାନ୍ତି । ଏମାନେ କେବେ ହେଲେ ନିଜର କିମ୍ବା ନିଜ ସଂସ୍ଥାର ନାମକୁ ବିଜ୍ଞାପିତ କରିବାକୁ ଚାହିଁନଥାନ୍ତି । ଅଥଚ ଏବର୍ଷ ଯେଭଳି ସେବା ନାମରେ ଅନ୍ନଛତ୍ରର ଦୃଶ୍ୟ ପ୍ରସାରଣ କରାଗଲା ତାହାକୁ ଶ୍ରୀକ୍ଷେତ୍ର ପୁରୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ୱାଭିମାନୀ ଲୋକେ ନାପସନ୍ଦ କରୁଛନ୍ତି । ଭବିଷ୍ୟତରେ ଶ୍ରୀଜଗନ୍ନାଥଙ୍କ ନାମ ସହ ନିଜକୁ ଯୋଡ଼ି ବ୍ୟବସାୟ ଓ ପ୍ରଚାର ଉଦ୍ଦେଶ୍ୟରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନଘଟେ ସେ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ମଧ୍ୟ ଦାବି ହେଉଛି । (ତଥ୍ୟ)