ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପରିବହନ ବ୍ୟବସ୍ଥା ଶୃଙ୍ଖଳିତ ରଖିବା ପାଇଁ ବାଣିଜ୍ୟ ପରିବହନ ବିଭାଗ ଅଧିନରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା କଡ଼ାକଡ଼ା ଏନଫୋର୍ସମେଣ୍ଟ କରାଯାଇଛି। ନବଦିନାତ୍ମକ ଯାତ୍ରା ପାଇଁ ପୁରୀକୁ ହଜାର ହଜାର ସଂଖ୍ୟାର ଗାଡ଼ି ଚଳାଚଳ କରୁଛି। ଏହି ସମୟରେ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି।
ସେହି ଅନୁଯାୟୀ ପୁରୀ ଆରଟିଓ ଅଧିନରେ ୭ଟି ସ୍ପେଶାଲ ଟିମ ଗଠନ କରାଯାଇ, ବିଭିନ୍ନ ରୁଟ୍ ରେ ନିୟମିତ ଏନଫୋର୍ସମେଣ୍ଟ କରାଯାଉଛି। ଏହାବାଦ ଯାଞ୍ଚକୁ ବ୍ୟାପକ କରି ଇ-ଚାଲାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱରରୁ-ପୁରୀ ଜାତୀୟ ରାଜପଥ-୩୧୬ ଏବଂ ପୁରୀରୁ କୋଣାର୍କ, କୋଣାର୍କରୁ ପିପିଲି ରାଜ୍ୟ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ୍) କାର୍ଯ୍ୟକ୍ଷମ ହୋଇଛି।
ରଥଯାତ୍ରା ଏବଂ ତାର ପରବର୍ତ୍ତୀ ଦୁଇ ଦିନ ଅର୍ଥାତ ୨୭, ୨୮ ଏବଂ ୨୯ ଜୁନରେ ପୁରୀ ରୁଟ୍ ରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଯୋଗୁଁ ପ୍ରାୟ ୧୮୦୦ଟି ଇ-ଚାଲାଣ କଟିଛି। ଯେଉଁଥିରେ ବିନା ହେଲମେଟରେ ଗାଡ଼ି ଚାଳନା, ଭୁଲ୍ ରୁଟରେ ଗାଡ଼ି ଚାଳନା, ଦ୍ରୁତଗତି ଏବଂ ଦୁଇ ଚକିଆରେ ଦୁଇରୁ ଅଧିକ ବସିବା ଭଳି ସଡ଼କ ସୁରକ୍ଷା ନିୟମର ଉଲ୍ଲଙ୍ଘନ ରହିଛି। ସେହିଭଳି ମାନବସମ୍ବଳର ବ୍ୟବହାର କରି ସ୍ୱତନ୍ତ୍ର ଟିମ ଦ୍ୱାରା ଏନଫୋର୍ସମେଣ୍ଟକୁ ମଧ୍ୟ କଡ଼ାକଡ଼ି କରାଯାଉଛି। ବ୍ରହ୍ମଗିରି, ସାକ୍ଷୀଗୋପାଳ, କୋଣାର୍କ, ପିପିଲି ଏହି ସମସ୍ତ ପଥରେ ବିଶେଷ ଫୋକସ କରାଯାଇଛି।
ଏସବୁ ବ୍ୟତୀତ ଧାର୍ଯ୍ୟ ଦର ଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ବସ ମାନଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ବସ ମାଲିକ ସଂଘକୁ ବିଭିନ୍ନ ସମୟରେ ଏହା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି। କଟକ ନେତାଜୀ ବସ ଟର୍ମିନାଲ, ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲ, ତାଳବଣିଆ ଏବଂ ମାଳତୀପାଟପୁର ବସ ଷ୍ଟାଣ୍ଡ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାନୀୟ ଆରଟିଓ ମାନେ ନିୟମିତ ଭାବରେ ସରପ୍ରାଇଜ ଚେକିଂ କରୁଛନ୍ତି। କୌଣସି ବସ ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଦରଠୁ ଅଧିକ ଭଡ଼ା ନନେବାକୁ ବାରମ୍ବାର ତାଗିଦ କରାଯାଉଛି।
ଏହାସହ କୌଣସି ଗାଡ଼ି ଆଧା ରାସ୍ତାରେ ଖରାପ ହୋଇଗଲେ ଯେମିତି ଟ୍ରାଫିକ ସମସ୍ୟା ନ ଉପୁଜେ ସେଥିପାଇଁ ଅସ୍ଥାୟୀ ଗାଡ଼ି ମରାମତି ବ୍ୟବସ୍ଥା ଏବଂ କ୍ରେନ ସାହାଯ୍ୟରେ ଗାଡ଼ିକୁ ରାସ୍ତାରୁ ବାହାର କରିବା ପାଇଁ ଭୁବନେଶ୍ୱରରୁ ପୁରୀ ପଥରେ ଅଟୋମୋବାଇଲ କମ୍ପାନୀ ଏବଂ ଡିଲର ମାନଙ୍କ ସହାୟତାରେ ସହାୟତା ବ୍ୟବସ୍ଥା ଜାରି କରାଯାଇଛି। ଯାତ୍ରୀ ମାନଙ୍କର ବିଭିନ୍ନ ଅଭିଯୋଗ ସମାଧାନ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଛି, ଯାହାର ହେଲ୍ପଡେସ୍କ ନମ୍ବର- ୦୬୭୫-୨୨୨୩୪୭୮ ରହିଛି। ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତାଳବଣିଆ ଓ ମାଳତିପାଟପୁରରେ ଅସ୍ଥାୟୀ ବିଶ୍ରାମଗାର, ମୌଳିକ ସୁବିଧା ଏବଂ ନିଶୁଳ୍କ ଖାଦ୍ୟ ବଣ୍ଟନ ସେବା କରାଯାଇଛି, ଯାହାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉଦଘାଟନ କରିଛନ୍ତି।
ବାହୁଡ଼ା ଏବଂ ସୁନାବେଶରେ ମଧ୍ୟ ଏଭଳି ସେବା ଯୋଗାଇ ଦିଆଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଉପଲକ୍ଷେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଯାତ୍ରୀ ଆପ୍ ମାଧ୍ୟମରେ ତାଳବଣିଆରୁ ଅର୍ବାନ ହାଟ୍ ଭାୟା ରେଳ ଷ୍ଟେସନ, ଷ୍ଟର୍ଲିଂ ଠାରୁ ମଙ୍ଗଳାହାଟ ରୁଟ୍ ରେ ନିଃଶୁଳ୍କ ଅଟୋ ସେବା ପୁରୀରେ ଉପଲବ୍ଧ ହୋଇଛି। ଅଟୋ ସେବାକୁ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ କିଭଳି ପରିବହନ ବ୍ୟବସ୍ଥା ସୁଚାରୁରୂପେ ସମ୍ପାଦିତ ହେବ ସେଥିପାଇଁ ବିଭାଗୀୟ ମନ୍ତ୍ରୀ , ପ୍ରମୁଖ ଶାସନ ସଚିବ, ପରିବହନ ଆୟୁକ୍ତଙ୍କ ନେତୃତ୍ୱରେ ଶତାଧିକ ଅଧିକାରୀ ଏବଂ କର୍ମଚାରୀ ନିରନ୍ତର ଭାବରେ କାର୍ଯ୍ୟ କରୁଛନ୍ତି।