କଟକ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ଗ୍ରହଣ କରାଯାଇଛି । ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କର୍ତ୍ତୃପକ୍ଷ ଏବଂ ବସ୍ ମାଲିକ ସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ରଥଯାତ୍ରା ନିମନ୍ତେ ଅନ୍ୟରୁଟ୍ ଗାଡ଼ିଗୁଡ଼ିକୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯିବ । ଆଗ୍ରହୀ ବସ୍ ମାଲିକମାନେ ଏଥିନିମନ୍ତେ କିଭଳି ସୁବିଧାରେ ଆବେଦନ କରିବେ ଓ ଅନୁମତି ପାଇବେ ସେ ଦିଗରେ ଆଲୋଚନା କରାଯାଇଥିଲା । ବିଶେଷକରି, କଟକ-ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ବସ୍ ପୁରୀ ଚଳାଚଳ କରିବା ଉପରେ ଗୁରୁତ୍ୱ ଦିଆଯିବ। ସେହିଭଳି ନିର୍ଦ୍ଧାରିତ ବସ୍ ଭଡ଼ାଠାରୁ କୌଣସି ବସ୍ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଦାବି କରିବାର ଅଭିଯୋଗ ଯେଭଳି ନ ଆସେ ସେ ଦିଗରେ ବସ ମାଲିକ ସଙ୍ଘ ଧ୍ୟାନ ଦେବାକୁ କହିଛନ୍ତି ପରିବହନ ଆୟୁକ୍ତ ।
ପୁରୀ ଯାଉଥିବା ଓ ପୁରୀରେ ଚଳାଚଳ କରୁଥିବା ସମସ୍ତ ବସ୍ ଓ ଅଟୋରେ ଭଡ଼ା ସଂପର୍କିତ ତଥ୍ୟ ପ୍ରଦର୍ଶିତ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ଯେଭଳି କେହି ମନଇଚ୍ଛା ଭଡ଼ା ଆଦାୟ କରି ଯାତ୍ରୀଙ୍କୁ ହଇରାଣ ନ କରନ୍ତି ସେ ଦିଗରେ ପୁରୀ ପୋଲିସ ଓ ପୁରୀ ଆରଟିଓ ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି । ବସ୍ ରହଣି ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହ ପ୍ରଶାସନ ତରଫରୁ ମୌଳିକ ସୁବିଧା ଉପଲବ୍ଧ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ।
ସେହିଭଳି ବସ୍ ଷ୍ଟପରେ ଯେଭଳି ଯାତ୍ରୀମାନଙ୍କ ସୁରକ୍ଷାକୁ ମଧ୍ୟ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯିବ। ଅସାମାଜିକମାନଙ୍କ ଉପରେ କଡ଼ା ନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱତନ୍ତ୍ର ଟିମ୍ ଗଠନ କରି ଯାତ୍ରୀଙ୍କ ସୁବିଧାକୁ ପୁରୀ, ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରର ବସଷ୍ଟାଣ୍ଡରେ ମନିଟର କରାଯିବ । ଏହା ସହ ପୁରୀର ତାଳବଣିଆରେ ସିସିଟିଭି ମଧ୍ୟ ଲାଗିବ ।
ବସମାନଙ୍କରେ ଫାଷ୍ଟଏଡ୍ କିଟ୍ ଓ ପର୍ଯ୍ୟାପ୍ତ ପରିମାଣର ଓଆରଏସ ମହଜୁଦ୍ ରହିବ ଓ ତାହା ଏସଟିଏ ପକ୍ଷରୁ ଯୋଗାଇ ଦିଆଯିବ । ଯାତ୍ରୀ ଓ ଯାତ୍ରୀବାହୀ ଗାଡ଼ିମାନଙ୍କ ସୁବିଧା ନିମନ୍ତେ ରଥଯାତ୍ରା ସମୟରେ ପୁରୀରେ RTOଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଏହାସହ ଗାଡ଼ି ମରାମତି ନିମନ୍ତେ ବିଭିନ୍ନ କମ୍ପାନୀଙ୍କ ସହଯୋଗ, କ୍ରେନ୍ ଓ ଆମ୍ବୁଲାନ୍ସ ସୁବିଧା ମଧ୍ୟ କରାଯିବ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ । ଜାତୀୟ ରାଜପଥରେ ଗହଳି ଆଶଙ୍କା ଥିବା ସ୍ଥାନ ଗୁଡ଼ିକରେ ସ୍ଵତନ୍ତ୍ର ଟିମ୍ ଦାୟିତ୍ୱରେ ରହିବେ । କୋଣାର୍କ- ପୁରୀ ରୁଟ୍ ପାଇଁ ସ୍ବତନ୍ତ୍ର ଟ୍ରାଫିକ କଟକଣା ଲାଗୁ ହେବ । ସମସ୍ତ ବିଭାଗ, ଗାଡ଼ି ମାଲିକ ଓ କର୍ମଚାରୀଙ୍କ ସହଯୋଗରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ ଆୟୁକ୍ତ । ତାଳବଣିଆରୁ ଜିଲ୍ଲା ହାଇସ୍କୁଲ ନିଃଶୁଳ୍କ ନେବା ଆଣିବା ପାଇଁ ପ୍ରଶାସନ 100 ଅଟୋ ବ୍ୟବସ୍ଥା କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଏହି ବୈଠକରେ ପୁରୀ ଏସପି, କଟକ ଡିସିପି, ଟ୍ରାଫିକ ଡିସିପି, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ବସ୍ ମାଲିକ ସଙ୍ଘ ପ୍ରତିନିଧି ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।