Home General ରତ୍ନଭଣ୍ଡାର ସନ୍ଦେହ ଘନୀଭୂତ

ରତ୍ନଭଣ୍ଡାର ସନ୍ଦେହ ଘନୀଭୂତ

ଭୁବନେଶ୍ୱର : ୪୬ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଶ୍ରୀମନ୍ଦିରର ବହୁ ଚର୍ଚ୍ଚିତ ଭିତର ରତ୍ନଭଣ୍ଡାର ଘର ଖୋଲାଯାଇଥିଲେ ମଧ୍ୟ ଏଠାରେ ଗଚ୍ଛିତ ଥିବା ସାମଗ୍ରୀଗୁଡିକର ଗଣତି ମଣତି କେବେଠାରୁ ହେବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହୋଇନାହିଁ । ତେବେ ରତ୍ନଭଣ୍ଡାର ଖୋଲାଯିବାବେଳେ ଆଉ ଯେଉଁ କେତୋଟି ଘଟଣା ନଜରକୁ ଆସିଛି ତାହା ବିଭିନ୍ନ ମହଲରେ କୁହୁଳୁଥିବା ସନ୍ଦେହକୁ ଅଧିକ ଘନୀଭୂତ କରିଛି ।

ଭିତର ରତ୍ନଭଣ୍ଡାରରେ ତିନିଟି ବଡ ତାଲା ପଡିଥାଏ । ୨୦୧୮ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରତ୍ନଭଣ୍ଡାରର ନିରାପତ୍ତା ସ୍ଥିତି ଦେଖିବାପାଇଁ ଯାଇଥିବା ଦଳ ଚାବି ନଥିବା କାରଣରୁ ଫେରିଆସିବାକୁ ବାଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଗଲା ଯେ କଲେକ୍ଟରିଏଟ୍‍ର ରେକର୍ଡରୁମ୍‍ରେ ଏକ ଲଫାପା ଭିତରୁ ଡୁପ୍ଲିକେଟ୍‍ ଚାବି ମିଳିଛି । ପ୍ରାୟ ୬ବର୍ଷ ଧରି ଏଥିଘେନି ବିଭିନ୍ନ ମହଲରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଓ ଅନ୍ୟ ସଦସ୍ୟମାନଙ୍କ ସହିତ ସେବାୟତମାନେ ବି ରତ୍ନଭଣ୍ଡାର ଖୋଲିବାପାଇଁ ବାରମ୍ବାର ମତବ୍ୟକ୍ତ କରିଆସୁଥିଲେ । ଗତ ନିର୍ବାଚନରେ ରତ୍ନଭଣ୍ଡାରର ଚାବି ହଜିବା ଓ ଏହାକୁ ଖୋଲିବା ପ୍ରମୁଖ ପ୍ରସଙ୍ଗ ହୋଇଥିଲା ।

ବାହୁଡା ଯାତ୍ରାର ଦିନକ ପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ କମିଟିର ସଦସ୍ୟମାନେ ସ୍ୱତନ୍ତ୍ର ମାର୍ଗ ନିର୍ଦ୍ଦେଶିକା ଆଧାରରେ ରତ୍ନଭଣ୍ଡାରକୁ ଯିବାବେଳେ ଯେଉଁ ଚାବି ଦିଆଯାଇଥିଲା ତାହା ସେହି କୋଲପଗୁଡିକର ନୁହେଁ ବୋଲି ଏବେ କୁହାଯାଉଛି । ତେବେ ଅସଲି ଚାବି କୁଆଡେ ଗଲା ଏବଂ ଡୁପ୍ଲିକେଟ୍‍ ଚାବି କାହା ନିର୍ଦ୍ଦେଶରେ କେଉଁ କାରିଗର ଯାଇ ତିଆରି କରିଥିଲେ ଏବଂ ଏବେ ଯେଉଁସବୁ ଚାବି ନିଆଗଲା ତାହା ରତ୍ନଭଣ୍ଡାର ତାଲାର ନୁହେଁ ବୋଲି ଜଣାପଡିବାପରେ ନିଷ୍ପତ୍ତି ମୁତାବକ ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ତାଲାଗୁଡିକ କଟର ସାହାଯ୍ୟରେ କାଟି ଯାଞ୍ଚ କମିଟିର ଅଧ୍ୟକ୍ଷଙ୍କ ସମେତ ଅନ୍ୟ ସଦସ୍ୟ ଓ ପ୍ରଶାସକ ଭିତରକୁ ଯାଇଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିର ଚାବି ହଜିବା ପରେ ୨୦୧୮ମସିହାରେ ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଏତ ତଦନ୍ତ କମିଶନ ବସାଇଥିଲେ । ଏହି କମିଶନଙ୍କ ରିପୋର୍ଟ ୬ବର୍ଷ ଧରି ବିଧାନସଭାରେ ଉପସ୍ଥାପିତ ହୋଇନାହିଁ କିମ୍ବା ଏହାକୁ ବି ସାର୍ବଜନିନ କରାଯାଇନାହିଁ ।

୧୯୭୮ମସିହାରେ ନୀଳମଣି ରାଉତରାୟଙ୍କ ସରକାର ସମୟରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍‍ମନ୍ତ୍ରୀ ଥିବାବେଳେ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ସୁପାରିଶ୍‍ ଆଧାରରେ ପରିଚାଳନା କମିଟିଙ୍କ ଅନୁରୋଧ କ୍ରମେ ସରକାର ରତ୍ନଭଣ୍ଡାର ଖୋଲାଇ ସେଠାରେ ଥିବା ସୁନା, ରୂପା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀଗୁଡିକର ଗଣତି ମଣତି କରାଇଥିଲେ । ଏବେ ୪୬ବର୍ଷ ପରେ ବିଶ୍ୱଭୂଷଣଙ୍କ ପୁଅ ଆଇନ୍‍ମନ୍ତ୍ରୀ ଥିବାବେଳେ ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଏବଂ ଯାଞ୍ଚ କମିଟିଙ୍କ ନିଷ୍ପତ୍ତି ତଥା ପରିଚାଳନା କମିଟିଙ୍କ ସୁପାରିଶ୍‍ ଆଧାରରେ ଅବଶ୍ୟ ରତ୍ନଭଣ୍ଡାର ଖୋଲାଯାଇ ପୁଣି ବନ୍ଦ ରଖାଯାଇଛି ।

ଏବେ ବାହୁଡା ଯାତ୍ରା ପରେ ସୁନାବେଶ, ଅଧରପଣା, ନୀଳାଦ୍ରୀବିଜେ ଆଦି ବିଭିନ୍ନ ନୀତିକାନ୍ତି ଥିବା ଦୃଷ୍ଟିରୁ ସମ୍ଭବତଃ ଚଳିତମାସ ଶେଷ କିମ୍ବା ଅଗଷ୍ଟମାସ ପ୍ରଥମାର୍ଦ୍ଧରେ ପୁଣି ରତ୍ନଭଣ୍ଡାର ଖୋଲାଯାଇ ବିଧି ବ୍ୟବସ୍ଥା ଅନୁଯାୟୀ ଗଣତି ମଣତି ଆଦି ହେବ ଏବଂ ସମସ୍ତ ସାମଗ୍ରୀର ଡିଜିଟାଇଜେସନ କରାଯିବ ବୋଲି ସୂଚନା ମିଳୁଛି । ତେବେ ସରକାରୀ ଭାବେ କିମ୍ବା କମିଟି ପକ୍ଷରୁ ଏଯାବତ୍‍ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନଥିବାବେଳେ ଭିତର ରତ୍ନଭଣ୍ଡାରର ନିରାପତ୍ତା ଦୃଷ୍ଟିରୁ ଏହାର ମରାମତି କାର୍ଯ୍ୟ ତୁରନ୍ତ କରିବାକୁ ଭକ୍ତ ମହଲରୁ ଦାବି ଉଠୁଛି । (ତଥ୍ୟ)