ଭୁବନେଶ୍ୱର : ଚଳିତ ବର୍ଷର ରଥଯାତ୍ରା ପୂର୍ବରୁ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମ୍ପତ୍ତିର ଗଣତି ମଣତି ହୋଇନପାରେ । ବିଭିନ୍ନ ବୈଷୟିକ କାରଣରୁ ଏହା ବିଳମ୍ବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
୧୯୭୮ ମସିହା ମଇ ୧୩ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଏହି ରତ୍ନଭଣ୍ଡାରର ସମ୍ପତ୍ତି ତାଲିକା ପ୍ରସ୍ତୁତ କରାଯାଇଥିଲା । ସେତେବେଳେ ନୀଳମଣି ରାଉରରାୟ ଓଡିଶାର ମୁଖ୍ୟମନ୍ତ୍ରୀ ଓ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍ ମନ୍ତ୍ରୀ ଥିଲେ । ଦୀର୍ଘବର୍ଷ ଧରି ରତ୍ନଭଣ୍ଡାରରେ ମହଜୁଦ ଥିବା ସାମଗ୍ରୀର ହିସାବ ନିକାଶ ହୋଇନଥିବାରୁ ସେତେବେଳେ ଆଇନ୍ମନ୍ତ୍ରୀ ଆଗ୍ରହ ପ୍ରକାଶ କରି ଗଜପତି, ସେବାୟତ, ଶଙ୍କରାଚାର୍ଯ୍ୟ ଓ ପ୍ରଶାସନ ସହ ଆଲୋଚନା ପରେ ଶୃଙ୍ଖଳିତ ଭାବେ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ବିନା ପ୍ରଚାରରେ ସମାପ୍ତ କରିଥିଲେ । ସେବେଠାରୁ ଏପର୍ଯ୍ୟନ୍ତ ୪୭ବର୍ଷ ଧରି ଆଉ ରତ୍ନଭଣ୍ଡାରର ଗଣତିକାର୍ଯ୍ୟ ହୋଇନାହିଁ ।
ବିଜେଡି ସରକାର ସମୟରେ ବିଜେପି ରତ୍ନଭଣ୍ଡାରର ଗଣତି ମଣତି ପାଇଁ ଦାବି କରୁଥିଲା । ଏମିତିକି ଏ ପ୍ରସଙ୍ଗରେ ବିଜେପି ନେତାମାନେ ହାଇକୋର୍ଟରେ ମାମଲା ବି ରୁଜୁ କରିଥିଲେ । ୨୦୨୪ର ନିର୍ବାଚନୀ ଇସ୍ତାହାରରେ ବିଜେପି ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରିଥିଲା । ୨୦୨୪ ଜୁନ୍ ୧୨ତାରିଖରେ ଓଡିଶାରେ ବିଜେପି ସରକାର ଗଠିତ ହେବାର ପରଦିନ ପୁରୀ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଥିଲା । ପୂର୍ବ ସରକାର ସମୟରେ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ ପାଇଁ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧକ୍ଷତାରେ ଯେଉଁ କମିଟି ଗଢାଯାଇଥିଲା ତାହାକୁ ବଦଳାଇ ବିଜେପି ସରକାରରେ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନ୍ୟଏକ କମିଟି ଗଠନ କରାଯ।।ଇଛି ।
ରତ୍ନଭଣ୍ଡାର ଗୃହର ନିରାପତ୍ତା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଏହି କମିଟିର ତତ୍ୱାବଧାନରେ ରତ୍ନଭଣ୍ଡାରରେ ମହଜୁଦ ଥିବା ସାମଗ୍ରୀକୁ ବିନା ଗଣତି ମଣତିରେ ଅନ୍ୟଏକ ଷ୍ଟ୍ରଙ୍ଗରୁମ୍ରେ କଡା ପହରା ମଧ୍ୟରେ ରଖାଯାଇଛି । ଇତି ମଧ୍ୟରେ ଭାରତ ସରକାରଙ୍କ ପ୍ରତ୍ନତତ୍ୱ ସଂସ୍ଥା ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପାଖପାଖି ୮ମାସ ହେବ ଚଳାଇଛି । ବିଭିନ୍ନ ପର୍ବପର୍ବାଣି ଯୋଗୁଁ ମରାମତି କାମ ପାଇଁ ସମ୍ପୂର୍ଣ୍ଣ ସମୟ ଦିଆଯାଇ ପାରୁନାହିଁ ।
ଏବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଆସନ୍ତା ଜୁନ୍ ୨୭ତାରିଖରେ ହେବ । ଏହା ପୂର୍ବରୁ ଜୁନ୍ ୧୧ରୁ ଦେବସ୍ନାନ ପୂର୍ଣ୍ଣିମା ଓ ପରେ ପରେ ଅଣବସର ସେବା ନୀତି ରହିଛି । ଏହାଛଡା ମଇ ମାସରେ ଚନ୍ଦନଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଭଉଁରୀ କାର୍ଯ୍ୟକ୍ରମ ମଧ୍ୟ ହେବ । ଏସବୁ ଦୃଷ୍ଟିରୁ ଚଳିତ ବର୍ଷର ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ସାମଗ୍ରୀର ଗଣତି ମଣତି ସହ ସେସବୁକୁ ଷ୍ଟ୍ରଙ୍ଗରୁମ୍ରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରିବା ସମ୍ଭବପର ନୁହେଁ ବୋଲି କେତେକ ସେବାୟତ ମତବ୍ୟକ୍ତ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୭୮ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ଭିତର ଓ ବାହାର ରତ୍ନଭଣ୍ଡାର ସାମଗ୍ରୀର ଯେଉଁ ତାଲିକା ପ୍ରସ୍ତୁତ କରିଥିଲେ ସେଥିରେ ମୂଲ୍ୟବାନ ପଥର ସହିତ ୧୨,୮୩୧ ଭରି ୧ଅଣା ଓଜନର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଏବଂ ୨୨,୧୫୩ ଭରି ଓଜନର ରୂପାବାସନ, ପୂଜାସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଠାବ କରାଯାଇଥିଲା । ଏହା ବ୍ୟତିତ ଆଉ ୧୪ଟି ସୁନା ଓ ରୂପ ଜିନିଷ ସେତେବେଳେ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିବାରୁ ତାହାକୁ ଏଥି ସହ ଯୋଗ କରାଯାଇନଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ କମିଟିର ସଦସ୍ୟମାନେ ଅତୀତରେ ଗଲାବେଳେ ରତ୍ନଭଣ୍ଡାର ଚାବି ହଜିଥିବା ଜଣାପଡିଥିଲା ଏବଂ ଏଥିଘେନି ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହେବାପରେ ଜଷ୍ଟିସ ରଘୁବୀର ଦାସ କମିଶନ ବସାଯାଇଥିଲା । ଏଯାବତ୍ ଏହି କମିଶନଙ୍କ ରିପୋର୍ଟ ସାର୍ବଜନିନ ହୋଇନାହିଁ । (ତଥ୍ୟ)