ଭୁବନେଶ୍ୱର :ଆଜି ଥିଲା ବି ଏମ୍ ସିର ତୃତୀୟ ପଥ ଉତ୍ସବ । ଏଥିପାଇଁ ସକାଳ 6ଟାରୁ ଲୋକରଣ୍ୟ ହୋଇପଡିଥିଲା ଉତ୍ତର ଜୋନର ଇମ୍ଫୋସିଟି ଛକଠାରୁ ସିଲିକନ କଲେଜ ଛକ ପର୍ଯ୍ୟନ୍ତ । ଚଳିତ ବର୍ଷରତୃତୀୟ ପଥ ଉତ୍ସବକୁ ପୁରା ରଙ୍ଗୀନ କରିବା ପାଇଁ ବିଏମ୍ ସି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏଥିରେ ପ୍ରାୟ ୨୦ ହଜାର ଲୋକଙ୍କର ସମାଗମ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉଦଘାଟିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ଯୋଗଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ଏସ୍ ବି ଆଇର ଚିଫ୍ ଜେନେରାଲ ମ୍ୟାନେଜର ଶ୍ରୀ ଦୀନେଶ ପୃଥ୍ୱୀ, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ଉତ୍ତର ଜୋନର ସମସ୍ତ କର୍ପୋରେଟର, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଓ ରତ୍ନାକର ସାହୁପ୍ରମୁଖ ଉପସ୍ଥିତ ଥିଲେ ।
ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ୧ ନମ୍ବର ଓ୍ୱାର୍ଡର କର୍ପୋରେଟର ଶ୍ରୀ ମିହିର କୁମାର ରାଉତ । ଉଦଘାଟିନୀ ଅଭିଭାଷଣ ଦେଇ ମାନନୀୟା ମେୟର କହିଥିଲେ ଯେ, କେବଳ କର୍ପୋରେଟର, ବିଏମ୍ ସି ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ନୁହଁନ୍ତି, ଭୁବନେଶ୍ୱରବାସୀଙ୍କ ସହଯୋଗ ଓ ସହଭାଗିତାରେ ଆମ ସହର ଆଜି ସ୍ୱଚ୍ଛ, ସବୁଜ ଓ ସୁନ୍ଦର ହୋଇପାରିଛି । ଏହା କେବଳ ଆମ ଦେଶରେ ନୁହେଁ, ବିଭିନ୍ନ ଦେଶରୁ ଆସିଥିବା ପ୍ରବାସୀ ଭାରତୀମାନେ ସ୍ୱୀକାର କରିଛନ୍ତି । ଏ ସମସ୍ତ ଶ୍ରେୟ ଭୁବନେଶ୍ୱର ବାସୀଙ୍କର । ତେଣୁ ଭୁବନେଶ୍ୱରବାସୀ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରବାସୀଙ୍କର ।
ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଭୁବନେଶ୍ୱର ସାଂସଦ କହିଥିଲେ ଯେ ଭୁବନେଶ୍ୱରର ବିକାଶ କେବଳ ସହଭାଗିତା ମାଧ୍ୟମରେ ହୋଇପାରିବ । ଜନସାଧାରଣଙ୍କ ସହଭାଗିତା ମାଧ୍ୟମରେ ଭୁବନେଶ୍ୱରର ପ୍ରଗତି ହେଉଛି ଆଉ ଆଗାମୀ ଦିନରେ ଏହି ଧାରା ବଜାୟ ରହିବ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ କହିଥିଲେ ଯେ ବାହ୍ୟ ଶକ୍ତି ଓଡିଶାର ଯୁବମାନସକୁ ବିଭ୍ରାନ୍ତି କରିବାକୁ ଚାହୁଁଛନ୍ତି । ତେଣୁ ଏଥିରୁ ନିବୃତ୍ତ କରିବା ପାଇଁ ଏହି ପରି ସାଂସ୍କୃତିକ ଚେତନା କେବଳ ଭୁବନେଶ୍ୱରରେ ନୁହେଁ, ସମଗ୍ର ରାଜ୍ୟରେ ସୃଷ୍ଟି କରିବା ଦରକାର । ଶେଷରେ ଗୀତ ଗାଇ ଧନ୍ୟବାଦ ଅର୍ପଣ କରିଥିଲେ 6 ନମ୍ବର ଓ୍ୱାର୍ଡର କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ ।
ଏହି ପଥ ଉତ୍ସବରେ ଜଲଓ୍ୱା ଦେଖାଇଥିଲେ ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢୀ, ରୁକୁ ସୁନାଏବଂ ସୁଜ୍ଞାନୀ ମହାପାତ୍ର ।ଇମ୍ଫୋସିଟି-ସିଲିକନ ରାସ୍ତାରେ ପାଖାପାଖି ଏକ କିଲୋମିଟର ବ୍ୟାପି ହୋଇଥିଲା ରଙ୍ଗମଂଚ । ଏଥିରେ ସବୁ ବର୍ଗର, ସବୁ ବୟସର ପୁରୁଷ, ମହିଳା ଓ ଶିଶୁମାନଙ୍କ ମନୋରଂଜନଠାରୁ ଆରମ୍ଭ କରି ଖେଳକୁଦ ପାଇଁ ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ସିଜଲର୍ସ ଡ୍ୟାନ୍ସ ଗୃପର ଧମାକାଦାର ନୃତ୍ୟର ତାଳେ ତାଳେ ଝୁମିଥିଲେ ଉପସ୍ଥିତ ଦର୍ଶକ । ଏଥର ମୁଖ୍ୟ ଆକର୍ଷଣ ଥିଲେ ଡିଜେ ଭବେଶ କୁମାର ।
ମୁଖ୍ୟ ମଂଚରେ ପ୍ଲେବ୍ୟାକ୍ ସିଙ୍ଗର ଅର୍ଚ୍ଚନା ପାଢୀ, ସୁଜ୍ଞାନୀ ମହାପାତ୍ରଙ୍କ ସହ ରୁକୁ ସୁନାଙ୍କ ସଂଗୀତରେ ହଜାର ହଜାର ଦର୍ଶକ ମସଗୁଲ୍ ହୋଇଉଠିଥିଲେ । ତିନି ଜଣ ମିଳିତ କଣ୍ଠରେ ଗାଇଥିବା ରଙ୍ଗବତୀ ଗୀତରେ ଉପସ୍ଥିତ ଦର୍ଶକଙ୍କ ସହ ଯୁବବର୍ଗଙ୍କ ନାଚରେ ଦୁଲୁକିଥିବା ଇମ୍ଫୋସିଟି ଅଂଚଳ । କେବଳ ସଂଗୀତ ନୁହେଁ, ବହୁ ଚର୍ଚ୍ଚିତ ସିଜିଲର୍ସ ଡ୍ୟାନ୍ସ ଗୃପ୍ ର ଧମାକାଦାର ନୃତ୍ୟରେ ଝୁମିଥିଲେ ଦର୍ଶକ ।
ରାସ୍ତାର ଉଭୟ ପାର୍ଶ୍ୱରେ ଚାଲିଥିଲା ରଙ୍ଗୋଲି, ଝୋଟି, ଫୋକ୍ ଡ୍ୟାନ୍ସ, ଯୋଗ, ସ୍କେଟିଂ, ପେଣ୍ଟିଂ, ଜୁମ୍ବା, ପ୍ଲାସ ମବ୍ ଇତ୍ୟାଦି କାର୍ଯ୍ୟକ୍ରମ ସହ ଛୋଟ ଛୋଟ ପିଲାମାନଙ୍କ ପାଇଁ ହୋଇଥିବା ଖେଳକୁଦର ଭରପୁର ମଜ୍ଜା ଉଠାଇଥିଲେ । ସେହିପରି ଦ୍ୱିତୀୟ ମଂଚରେ ସଂଗୀତ ଓ ନୃତ୍ୟର ଧୁମ୍ ମଚାଇଥିଲେ କଳାକାରମାନେ।
ଦେଖଣାହାରୀଙ୍କ ପାଇଁ ଥିବା ସମ୍ବଲପୁରୀ ବାଦ୍ୟଯନ୍ତ୍ରରେ ଯିଏ ଗଲା ସିଏ ନାଚିଲା । ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟ । ଗତ ପଥ ଉତ୍ସବରେ ଏହାର ଆକର୍ଷଣ ସହ ପ୍ରତିଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ତେଣୁ ଏଥର ମଧ୍ୟ ଦୁଇ ଦୁଇଟା ଷ୍ଟେଜ୍ କରାଯାଇଥିଲା । ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ବିଏମ୍ ସି ପକ୍ଷରୁ ଏପରି ଉଦ୍ୟମ କରାଯାଇ ଆସୁଛି । ଏହି ମଞ୍ଚରେ ପ୍ରତିଭାଧାରୀ ବ୍ୟକ୍ତିମାନେ ସଂଗୀତ, ନୃତ୍ୟ, ପପ୍, ଯୋଗାସନ, ବାଦ୍ୟଯନ୍ତ୍ର, କବିତା, ଗଳ୍ପ ଆଦି କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଭାଗ ନେଇଥିବା ପ୍ରତିଭାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଓଡିଶା ହେରିଟେଜ୍ କୁଇଜ୍ ପ୍ରତିଯୋଗିତା, ଫେସନ ସୋ, ପରିମଳ ସଚେତନତା, ଓ୍ୱେଷ୍ଟ ଟୁ ଆର୍ଟ, ଫୋଲ୍କ ଓ ଡଲ୍ ଡ୍ୟାନ୍ସ, କ୍ୟୁବ୍, କିଡୋ କିଙ୍ଗଡମ୍, ଫେସ୍ ପେଣ୍ଟିଂ ଓ ବାସ୍କେଟ ବଲ୍ ଆଦି ସମସ୍ତଙ୍କୁ ଭରପୁର ମନୋରଂଜନର ଖୋରାକ ଯୋଗାଇଥିଲା ।
ସବୁଠାରୁ ଆକର୍ଷଣୀୟ ଥିଲା ଫୁଡ୍ ଫେଷ୍ଟିଭାଲ ।ସାଧାରଣ ଲୋକେ ଶୀତୁଆ ସକାଳରେ ଶୀତ ଦିନିଆ ପିଠା, ମିଠା ସହ ଚଟପଟା ଖାଦ୍ୟର ମଜ୍ଜା ଉଠାଇଥିଲେ ଦେଖଣାହାରୀ । ପଥପ୍ରାନ୍ତ ନାଟକ, ପାରମ୍ପାରିକ ଖେଳ ଯଥା-ପୁଚି, ଗିଲି, ଦଣ୍ଡ, ବାଘ ଚାଲି, ରେଷ୍ଟଲିଂ,୩୬୦ ଡିଗ୍ରୀ ଫଟୋ, ମ୍ୟାଜିକ୍ ସୋ, ଫଟୋଗ୍ରାଫି, ବେଲୁନ୍ ଆର୍ଟ, ପଟ୍ଟଚିତ୍ର, ଶାରୀରିକ ବ୍ୟାୟାମ ଆଦି ବହୁ ପ୍ରକାର ଖେଳକୁଦ, ନୃତ୍ୟ, ଗୀତରେ ପୁରା ବୁଡିରହିଥିଲେ ହଜାର ହଜାର ଅଂଶଗ୍ରହଣକାରୀ ।