Home News in Odia ରଘୁ, ଜୀବନଙ୍କ ଘର ବାହୁଡା

ରଘୁ, ଜୀବନଙ୍କ ଘର ବାହୁଡା

ଭୁବନେଶ୍ୱର :  ବାଲେଶ୍ୱର ଜିଲ୍ଲାର ଦୁଇ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କର ଆଜି ଘର ବାହୁଡା ହୋଇଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଭୟ ନେତା  ବିଜେଡିରେ ଯୋଗ ଦେଇଛନ୍ତି।

ଉଭୟ ରଘୁ ମହାନ୍ତି ଓ ଜୀବନ ପ୍ରଦୀପ ଦାସଙ୍କୁ ବିଜେଡିକୁ ସ୍ୱାଗତ କରି ନବୀନ ପଟ୍ଟନାୟକ କହିଥିଲେ ଯେ, ଏ ଦୁଇ ନେତାଙ୍କ ଯୋଗଦାନ ଦ୍ୱାରା ବିଜେଡି ବାଲେଶ୍ୱର ଜିଲ୍ଲାରେ ଆହୁରି ମଜଭୁତ ହେବ। ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ନବୀନ ଉଭୟଙ୍କୁ ପରାମର୍ଶ ଦେଇଥିଲେ।

 ବିଜେଡିରେ ସେମାନଙ୍କୁ ଗ୍ରହଣ କରିଥିବାରୁ ଦୁଇ ନେତା ଦଳ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ଆଠ ବିଧାନସଭା ନିର୍ବାଚନମଣ୍ଡଳୀ ସହ ବଡ଼ସାହି ନିର୍ବାଚନମଣ୍ଡଳୀରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କାମ କରିବେ ବୋଲି ଘୋଷଣା କରିଥିଲେ।

ବିଜେଡିରେ ଯୋଗଦାନ ପରେ ରଘୁନାଥ ମହାନ୍ତି କହିଥିଲେ, ଦଳର ଶୃଙ୍ଖଳିତ କର୍ମୀ ଭାବେ କାମ କରିବେ। ବିଜେଡି ବାଲେଶ୍ୱର ଜିଲ୍ଲାରେ କିପରି ସୁସଂଗଠିତ ହୋଇ ପାରିବ ସେଥିପାଇଁ କାର୍ଯ୍ୟ କରିବେ । ବିଜୁ ବାବୁଙ୍କ ସମୟରୁ ତାଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ପାଇଛି । ପରେ ବିଜୁ ଜନତା ଦଳର ଗଠନ ବେଳେ ଜଣେ ପ୍ରତିଷ୍ଠିତ ସଭ୍ୟ ଭାବେ କାର୍ଯ୍ୟ କରିଥିଲେ।

ଜୀବନ ପ୍ରଦୀପ ଦାସ କହିଥିଲେ, ପାଞ୍ଚ ବର୍ଷ ବିଜେଡି ବାହାରେ ରହିବା ପରେ ଦଳକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରି ଅତ୍ୟନ୍ତ ଆନନ୍ଦିତ । ବାଲେଶ୍ୱର ଜିଲ୍ଲାରେ ବିଜୁ ଜନତା ଦଳ କିପରି ସୁସଂଗଠିତ ହୋଇ ପାରିବ, ସେଥିପାଇଁ ନବୀନ ବାବୁଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ।