Home Health ରକ୍ତଭଣ୍ଡାର କର୍ମଚାରୀଙ୍କ ପ୍ରତି ଦୃଷ୍ଟି ଦିଅ

ରକ୍ତଭଣ୍ଡାର କର୍ମଚାରୀଙ୍କ ପ୍ରତି ଦୃଷ୍ଟି ଦିଅ

ଭୁବନେଶ୍ୱର : ଓଡିଶା ସରକାରଙ୍କ ନିୟନ୍ତ୍ରଣାଧିନ ୫୪ଟି ରକ୍ତଭଣ୍ଡାରରେ ଅସ୍ଥାୟୀଭାବେ ନିୟୋଜିତ ଥିବା ପ୍ରାୟ ୨୦୦ କର୍ମଚାରୀଙ୍କୁ ନିୟମିତ କରିବାଲାଗି ରକ୍ତଭଣ୍ଡାର କର୍ମଚାରୀ ସଂଘ ସହିତ ରେଡକ୍ରସର ବହୁ ଆଜୀବନ ସଦସ୍ୟ ଏବଂ ରକ୍ତଦାନ ଶିବିର ଆୟୋଜନ କରୁଥିବା ଅନେକ ସଂଗଠନର କର୍ମକର୍ତ୍ତା ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ପୂର୍ବରୁ ଏହି ରକ୍ତଭଣ୍ଡାରଗୁଡିକ ରେଡକ୍ରସ ନିୟନ୍ତ୍ରଣରେ ଥିଲା । ସେ ସମୟରେ ଜିଲ୍ଲାପାଳମାନଙ୍କ ଅନୁମୋଦନ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନେ ସରକାରୀ ଡାକ୍ତରଖାନାଗୁଡିକ ପରିସରରେ ଥିବା ରକ୍ତଭଣ୍ଡାରଗୁଡିକର କାର୍ଯ୍ୟ ଚଳାଇ ରଖିବାପାଇଁ ଅସ୍ଥାୟୀ କର୍ମଚାରୀ ନିୟୋଜନ କରୁଥିଲେ । ପରବର୍ତ୍ତୀ ସମୟରେ ସରକାରୀ ଡାକ୍ତରଖାନା ପରିସରରେ ଏହି ରକ୍ତଭଣ୍ଡାରଗୁଡିକୁ ସ୍ୱାସ୍ଥ୍ୟ ବିଭାଗ ନିଜ ନିୟନ୍ତ୍ରଣକୁ ନେଇ ଏଗୁଡିକର ନାମ ଓଡିଶା ସରକାରୀ ରକ୍ତଭଣ୍ଡାର କରିଛି ।

ପୂର୍ବରୁ ଅନେକ ଥର ଉଚ୍ଚସ୍ତରୀୟ ବୈଠକମାନ କରାଯାଇ ଏହି ଅସ୍ଥାୟୀ ରକ୍ତଭଣ୍ଡାର କର୍ମଚାରୀମାନଙ୍କୁ ନିୟମିତ ସରକାରୀ କର୍ମଚାରୀ କରିବାଲାଗି ମଧ୍ୟ ବିଚାର ଆଲୋଚନା ହୋଇଛି । ସ୍ୱାସ୍ଥ୍ୟସେବାର ରକ୍ତ ସଞ୍ଚାଳନ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଦିନ ରାତି ୨୪ଘଣ୍ଟା ରକ୍ତଭଣ୍ଡାରଗୁଡିକ ଖୋଲା ରଖାଯାଇଥାଏ ଏବଂ ଆବଶ୍ୟକ ସମୟରେ ଏଠାରେ ନିୟୋଜିତ ଡାକ୍ତର ଓ କର୍ମଚାରୀମାନେ ଦାତାମାନଙ୍କ ଠାରୁ ରକ୍ତ ସଂଗ୍ରହ କରିବା ସଂଗେ ସଂଗେ ତାହାର ପରୀକ୍ଷା ନିରୀକ୍ଷା କରି ରୋଗୀମାନଙ୍କୁ ଯୋଗାଇଥାନ୍ତି । ଏହାଛଡା ନିୟମିତ ବ୍ୟବଧାନରେ ରକ୍ତ ଆବଶ୍ୟକ କରୁଥିବା କିଛି ରୋଗୀଙ୍କୁ ମଧ୍ୟ ସରକାର ମାଗଣାରେ ରକ୍ତ ଯୋଗାଇବାପାଇଁ ନିଷ୍ପତ୍ତି ନେଇଛନ୍ତି ।

ରକ୍ତଭଣ୍ଡାରର କର୍ମଚାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ଶିବିର ମାଧ୍ୟମରେ ପ୍ରତିବର୍ଷ ୩ଲକ୍ଷ ୟୁନିଟ୍‍ରୁ ଅଧିକ ରକ୍ତ ସଂଗ୍ରହ କରୁଛନ୍ତି । ଏବେ ଖରାଦିନ ଚାଲିଥିବାରୁ ରକ୍ତଭଣ୍ଡାରଗୁଡିକରେ ତିରୋଟ ଅବସ୍ଥା ସୃଷ୍ଟି ହୋଇଥିବାବେଳେ ଏହି ରକ୍ତଭଣ୍ଡାର କର୍ମଚାରୀମାନଙ୍କ ଉଦ୍ୟମ କ୍ରମେ ବିଭିନ୍ନ ସଂସ୍ଥାମାଧ୍ୟମରେ ରକ୍ତଦାନ ଶିବିର କରାଯାଉଛି ଏବଂ ସ୍ଥଳ ବିଶେଷରେ ନିର୍ଦ୍ଦିଷ୍ଟ ଗ୍ରୁପ୍‍ର ରକ୍ତଦାତାଙ୍କୁ ବୁଝାଇ ରକ୍ତଭଣ୍ଡାରରେ ମଧ୍ୟ ରକ୍ତ ସଂଗ୍ରହ କରି ଗୁରୁତର ରୋଗୀମାନଙ୍କ ଜୀବନ ରକ୍ଷାରେ ଲଗାଯାଇ ପାରୁଛି ।

୧୫/୨୦ ବର୍ଷ ଧରି ରକ୍ତଭଣ୍ଡାରର ଅସ୍ଥାୟୀ କର୍ମଚାରୀ ଭାବେ ନିୟୋଜିତ ଥିବା ବ୍ୟକ୍ତିମାନଙ୍କ ଭିତରୁ ଅନେକଙ୍କୁ ଏବେ ମାସିକ ୮ ରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳୁଛି । ସେମାନେ ଜରୁରୀକାଳୀନ ସେବା ଯୋଗାଉଥିବାବେଳେ ଡାକ୍ତରଖାନା ପରିସର କିମ୍ବା ନିକଟରେ ସରକାରୀ କ୍ୱାଟର୍ସ ପାଉନାହାନ୍ତି । ଏମିତିକି ରକ୍ତଭଣ୍ଡାର କର୍ମଚାରୀ ଓ ସେମାନଙ୍କ ପରିବାରର କେହି ଅସୁସ୍ଥ ହେଲେ ସେମାନଙ୍କ ଲାଗି ସ୍ୱତନ୍ତ୍ର ଚିକିତ୍ସା ସୁବିଧା ବି ନାହିାଁ

ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇବା କ୍ଷେତ୍ରରେ କାମ କରୁଥିବା ଏହି ଅସ୍ଥାୟୀ କର୍ମଚାରୀମାନେ ଅର୍ଥାଭାବରୁ ଅତି ଦୟନୀୟ ଜୀବନ ଯାପନ କରୁଥିବାବେଳେ ସେମାନଙ୍କୁ ନିୟମିତ ସରକାରୀ କର୍ମଚାରୀ କରିବା ସଂଗେ ସଂଗେ ଉପଯୁକ୍ତ ହାରରେ ବେତନ ଓ ସରକାରୀ କ୍ୱାଟର୍ସ ଆଦି ଯୋଗାଇବା ଦିଗରେ ତ୍ୱରିତ ବ୍ୟବସ୍ଥା ଗ୍ରହଣ କରିବାପାଇଁ ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । (ତଥ୍ୟ)