ଭୁବନେଶ୍ୱର : ଆସନ୍ତା ନିର୍ବାଚନରେ ବିଜେପି-ବିଜେଡି ମଧ୍ୟରେ ଓଡିଶାରେ ମେଣ୍ଟ ହେବ ବୋଲି ଗଣମାଧ୍ୟମ ଠାରୁ ଆରମ୍ଭ କରି ଗାଁ ଗହଳ ଯର୍ପ୍ୟନ୍ତ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଉଭୟ ଦଳର ବହୁ ନେତାଙ୍କର କିନ୍ତୁ ରକ୍ତଚାପ ବଢିଯାଇଛି । ଏମାନେ ନିଜର ମର୍ମ ବେଦନା କାହାକୁ କହିପାରୁ ନାହାନ୍ତି କିମ୍ବା ସହି ବି ପାରୁନାହାନ୍ତି ।
ପୂର୍ବରୁ ବିଜେଡି ୧୪୭ଟି ଯାକ ବିଧାନସଭା ସହିତ ୨୧ଟି ଯାକ ଲୋକସଭା ଆସନରେ ଏକାକୀ ପ୍ରାର୍ଥୀ ଦେବ ବୋଲି ପ୍ରସ୍ତୁତି ପର୍ବ ଚଳାଇ ଆସିଛି । ଅନ୍ୟ ପକ୍ଷରେ ବିଜେପି ମଧ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଛିଡା କରାଇବାକୁ ବାରମ୍ବାର ଘୋଷଣା କରିଆସିଛି । ଏମିତିକି ବିଜେଡି ପକ୍ଷରୁ କୁହାଯାଉଥିଲା ଏକାକୀ ନିର୍ବାଚନ ଲଢି ଏହି ଦଳ ବିଧାନସଭାରେ ପ୍ରାୟ ୧୩୦ଟି ଓ ଲୋକସଭାରେ ୨୦ଟି ପର୍ଯ୍ୟନ୍ତ ଆସନ ପାଇବ ବୋଲି । ବିଜେପି ପକ୍ଷରୁ ମଧ୍ୟ କୁହାଯାଉଥିଲା ଯେ ଏଥର ଦଳ ୧୨୦ରୁ ଅଧିକ ଆସନ ପାଇ ରାଜ୍ୟରେ ସରକାର ଗଢିବା ସହ ଦିଲ୍ଲୀକୁ ୧୮ଟି ଜଣ ଲୋକସଭା ସାଂସଦ ପଠାଇବ ।
ଏହି ଲକ୍ଷ୍ୟ ରଖି ଉଭୟ ଦଳ ବୁଥ୍ ସ୍ତରରେ ନିଜ ନିଜର ସଂଗଠନକୁ ସୁଦୃଢ କରୁଥିବାବେଳେ ଉଭୟ ଦଳରେ ବି ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢି ଚାଲିଛି । ଏମିତିକି ଯେଉଁମାନଙ୍କର ନିଜ ଦଳରୁ ଟିକଟ ପାଇବାର ସମ୍ଭାବନା ନାହିଁ ସେମାନେ ଅନ୍ୟ ଦଳକୁ ଡଆଁ ମାରିଛନ୍ତି । କଂଗ୍ରେସରୁ ବିଜେପି ଓ ବିଜେଡିକୁ କମ୍ ସଂଖ୍ୟକ ନେତା ଆସିଥିବାବେଳେ ବିଜେପିରୁ ବିଜେଡିକୁ ଓ ବିଜେଡିରୁ ବିଜେପିକୁ ଦଳ ଡେଉଁଥିବା ନେତାମାନଙ୍କ ସଂଖ୍ୟା କିନ୍ତୁ ଢେର ଅଧିକ ।
ନିର୍ବାଚନୀ ମେଣ୍ଟ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନଥିଲେ ମଧ୍ୟ ଆଉ ବିଜେପି ଓ ବିଜେଡିର ନେତାମାନେ କିଛିଦିନ ହେବ ଗଣମାଧ୍ୟମରେ ପରସ୍ପର ଉପରେ ଆକ୍ରମଣ ଓ ପ୍ରତିଆକ୍ରମଣ କରୁନାହାନ୍ତି । ଏବେ ବହୁ ଦଳଡିଆଁ ନେତା ଆଶଙ୍କା କରୁଛନ୍ତି ଯେ ମେଣ୍ଟ ହେଲେ ସେମାନଙ୍କ ଟିକଟ ପାଇବା ସମ୍ଭାବନା ବହୁତ କମ୍ । ସେହିଭଳି ଉଭୟ ବିଜେଡି ଓ ବିଜେପି ସବୁ ନିର୍ବାଚନମଣ୍ଡଳୀକୁ ଆଖି ଆଗରେ ରଖି ପ୍ରସ୍ତୁତିପର୍ବ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇଥିବାବେଳେ ଯେଉଁମାନେ ଟିକଟ ଆଶାୟୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଦ୍ୱନ୍ଦରେ । ଯଦି ବିଜେଡି ଓ ବିଜେପି ମଧ୍ୟରେ ପୁର୍ନବାର ଆସନ ବୁଝାମଣା ହୁଏ ତେବେ ଉଭୟ ଦଳର କେତେକ ବିଧାୟକ ଓ ମନ୍ତ୍ରୀଙ୍କୁ ଦଳୀୟ ଟିକଟ ବି ନମିଳିପାରେ ।
ଏହାଛଡା ତୃଣମୂଳ ସ୍ତରରେ ଦୁଇ ଦଳର କର୍ମୀମାନେ ନୟାଗଡ, କଳାହାଣ୍ଡିରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ଯେଭଳି ମୁହାଁମୁହିଁ ସ୍ଥିତିରେ ଅଛନ୍ତି ସେ କ୍ଷେତ୍ରରେ ବିଜେଡି କର୍ମୀ କିଭଳି ବିଜେପି ପତାକା ଧରିବେ ଓ ବିଜେପି କର୍ମୀ କିଭଳି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ସେଥିଘେନି ବି ଦ୍ୱନ୍ଦ ଲାଗି ରହିଛି । ତେବେ ଉଭୟ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସଂଖ୍ୟାଧିକନେତା ଓ କର୍ମୀ ଶେଷରେ ମାନିନେବାକୁ ବାଧ୍ୟ ହେବେ ।
ଅତୀତରେ ୨୦୦୦ ଓ ୨୦୦୪ର ବିଧାନସଭା ନିର୍ବାଚନରେ ଏବଂ ତାହା ପୂର୍ବରୁ ଲୋକସଭା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ନିର୍ବାଚନ ଲଢିଥିଲା । ସେତେବେଳେ କେତେକ ବିଧାନସଭା ନିର୍ବାଚନମଣ୍ଡଳୀରେ ମେଣ୍ଟ ପ୍ରାର୍ଥୀଙ୍କ ବିରୁଦ୍ଧରେ ଅନେକ ସ୍ଥାନରେ ଦଳୀୟ ବିଦ୍ରୋହୀମାନେ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢି ଜିଣିଥିଲେ । ଏଥର ଯଦି ମେଣ୍ଟ ହୁଏ ତେବେ ଏହି ଦୁଇ ଦଳର ବହୁ ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି । ତେବେ ନିର୍ବାଚନ ତାରିଖ ଘୋଷଣା ସମୟ ପାଖେଇ ଆସୁଥିବାବେଳେ ଭୁବନେଶ୍ୱରରେ ବିଜେଡି ନେତାମାନଙ୍କ ବୈଠକ ଓ ଦିଲ୍ଲୀରେ ବିଜେପି ନେତାମାନଙ୍କ ବୈଠକ ହୋଇଥିବା ପରିପ୍ରେକ୍ଷୀରେ ଉଭୟ ଦଳର ଟିକଟ ପ୍ରତ୍ୟାଷୀ ବହୁ ନେତାଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ଘେନି ବ୍ୟାପକ ଚର୍ଚ୍ଚା ଚାଲିଛି । (ତଥ୍ୟ)