Home Administration ଯୋଜନା ବୋର୍ଡ ବୈଠକ ୧୯ ବର୍ଷ ଧରି ବସିନି

ଯୋଜନା ବୋର୍ଡ ବୈଠକ ୧୯ ବର୍ଷ ଧରି ବସିନି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ବୈଠକ ପ୍ରାୟ ୧୯ବର୍ଷ ଧରି ବସିନାହିଁ । କେବେସୁଦ୍ଧା ଯୋଜନା ବୋର୍ଡର ବୈଠକ ବସିବ ସେଥିଘେନି କାହା ପାଖରେ କିଛି ସୂଚନା ନାହିଁ । ସରକାରୀ ତଥ୍ୟ ମୁତାବକ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ରହିଥାନ୍ତି ଏବଂ ତାଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ଶେଷ ବୈଠକ ୨୦୦୭ ଅକ୍ଟୋବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।

କେନ୍ଦ୍ର ସରକାର ଯୋଜନା କମିଶନକୁ ଭାଙ୍ଗିଦେଇ ତାହା ସ୍ଥାନରେ ନୀତି ଆୟୋଗ ଗଠନ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଢ଼ାଯିବା ପରେ ଏଠାରେ ବି ନୀତି ଆୟୋଗ ଢାଞ୍ଚାରେ ଯୋଜନା ବୋର୍ଡର ପୁନର୍ଗଠନ କରାଯିବ ବୋଲି ବାରମ୍ବାର କୁହାଯାଉଛି । ତେବେ ଯୋଜନା ବୋର୍ଡକୁ ଭାଙ୍ଗି ଦିଆଯାଇଥିବାବେଳେ ତାହାର ପୁନର୍ଗଠନ କରାଯାଉ ନାହିଁ କିମ୍ବା ନୀତି ଆୟୋଗ ଢାଞ୍ଚାରେ ବି ସଂସ୍କାରିତ ହେଉନାହିଁ । ଏଣୁ ବସ୍ତୁତଃ ଯୋଜନା ଓ ସଂଯୋଜନ ବିଭାଗର ଏହା ଏବେ ଏକ ସେକ୍ସନ ଭଳି ଅମଲାତାନ୍ତ୍ରିକ ଅଧିକାରୀମାନଙ୍କ ନିୟନ୍ତ୍ରଣରେ ରହିଛି ।

ଇତିମଧ୍ୟରେ ରାଜ୍ୟ ସରକାର ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁନର୍ଗଠନ କରି ତାହାର ଅଧ୍ୟକ୍ଷ ଦାୟିତ୍ୱରେ ବିଧାୟକମାନଙ୍କୁ ରଖିଛନ୍ତି । ଗତ ସରକାର ସମୟରେ ବି କିଛି ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ରଖାଯିବା ସହିତ ମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ଦିଆଯାଉଥିଲା । ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁନର୍ଗଠନ ହୋଇଥିବାବେଳେ ରାଜ୍ୟ ଯୋଜନା ବୋର୍ଡ କିନ୍ତୁ ମୃତବତ ପଡ଼ିଛି ।

ଏଠାରେ ଉଲ୍ଲେଖନୀୟ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଂଗ୍ରେସ ସଭାପତି ଥିବାବେଳେ ଜାତୀୟ ସ୍ତରରେ ଜବାହରଲାଲ ନେହରୁଙ୍କ ନେତୃତ୍ୱରେ ଯୋଜନା କମିଟି ଗଢ଼ିଥିଲେ । ଦେଶ ସ୍ୱାଧୀନ ହେବା ପରେ ଏହି ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଯୋଜନା କମିଶନ ଗଢ଼ାଯାଇଥିଲା ଏବଂ କେନ୍ଦ୍ର ସରକାର ମଧ୍ୟ ପଞ୍ଚବାର୍ଷିକ ଯୋଜନାମାନ କାର୍ଯ୍ୟକାରୀ କରୁଥିଲେ । ଏହି ଢାଞ୍ଚାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ରାଜ୍ୟ ଯୋଜନା ବୋର୍ଡମାନ ରହୁଥିଲା । ବୋର୍ଡର ଅଧ୍ୟକ୍ଷ ଭାବେ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ ଏବଂ ଯୋଜନା ବୋର୍ଡର ଉପାଧ୍ୟକ୍ଷଙ୍କୁ କ୍ୟାବିନେଟ୍‍ ପାହ୍ୟାର ମର୍ଯ୍ୟାଦା ଦିଆଯାଉଥିଲା । ଏହାଛଡ଼ା କିଛି ପୂର୍ଣ୍ଣକାଳୀନ ସଦସ୍ୟ ମଧ୍ୟ ଯୋଜନା ବୋର୍ଡରେ ରହୁଥିଲେ । ଏହି ବିଶେଷଜ୍ଞମାନଙ୍କ ମାର୍ଗ ଦର୍ଶନରେ ଯୋଜନା ବୋର୍ଡ କାର୍ଯ୍ୟ କରୁଥିଲା । ଅବଶ୍ୟ ଅତୀତରେ ମୁଖ୍ୟମନ୍ତ୍ରୀ ନଥିବାବେଳେ ବିଜୁ ପଟ୍ଟନାୟକ ଓ ନନ୍ଦିନୀ ଶତପଥୀଙ୍କ ଭଳି ପୂର୍ବତନ ମୁଖ୍ୟମନ୍ତ୍ରୀମାନେ କିଛି ବର୍ଷ ପାଇଁ ଯୋଜନା ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ ।

ରାଜ୍ୟ ପାଇଁ ଯୋଜନା ପ୍ରଣୟନ ସହିତ ବଜେଟ୍‍ ପ୍ରସ୍ତୁତି ଏବଂ ଆର୍ôଥକ କାରବାରକୁ ସୁନିୟନ୍ତ୍ରିତ କରିବା ସହିତ ଯୋଜନାବଦ୍ଧ ବିକାଶ କ୍ଷେତ୍ରରେ ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିଲା । ଏଭଳି ଏକ ସଂସ୍ଥାର ବିଧିବଦ୍ଧ ବୈଠକ ୧୯ବର୍ଷ ଧରି ବସିନଥିବାରୁ ଯୋଜନା ବୋର୍ଡର ଆବଶ୍ୟକତା ଆଉ ଅନୁଭୂତ ହେଉନାହିଁ । ମୁଖ୍ୟତଃ ଏହା ଦୀର୍ଘବର୍ଷ ଧରି ରାଜନୈତିକ ଥଇଥାନ କେନ୍ଦ୍ର ଭାବେ କାର୍ଯ୍ୟ କରିଆସୁଥିଲା । ଓଡ଼ିଶାରେ ବିଜେପି ସରକାର ଗଢ଼ାଯିବା ପରେ ଦଳର କେତେକ ନେତା ଏବଂ ଅନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥବା ବହୁ ବ୍ୟକ୍ତି ବିଶେଷ ରାଜ୍ୟ ଯୋଜନା ବୋର୍ଡରେ ଥଇଥାନ ହେବେ ବୋଲି ଆଶା ବାନ୍ଧି ବସି ରହିଛନ୍ତି । ତେବେ ଆଉ କେତେକ ନେତା କହୁଛନ୍ତି ଯେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରାନଯିବା ଏବଂ ବିଭିନ୍ନ ନିଗମ ଓ ବୋର୍ଡ ଗୁଡ଼ିକରେ ରାଜନୈତିକ ନିଯୁକ୍ତି ଦିଆନଯିବା ଫଳରେ ମିତବ୍ୟୟିତା ଅବଲମ୍ବନ କରାଯାଇ ରାଜକୋଷର ଅର୍ଥ ସଂଚୟ କରାଯାଇପାରୁଛି । (ତଥ୍ୟ)