ଭୁବନେଶ୍ୱର : ଓଡ଼ିଶାରେ ଯୋଜନା ବୋର୍ଡ ଏକ ପ୍ରକାର ପଙ୍ଗୁ ଅବସ୍ଥାରେ ଥିବାବେଳେ ଉନ୍ନୟନ ଓ ପ୍ରଶାସନିକ କାର୍ଯ୍ୟ ପାଇଁ ଏହି ସଂସ୍ଥାର ଆବଶ୍ୟକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଗତ ୨୫ବର୍ଷ ଭିତରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ବୈଠକ ମାତ୍ର ଦୁଇଥର ବସିଛି । ୨୦୦୩ ମଇ ମାସରେ ଥରେ ଓ ୨୦୦୭ ଅକ୍ଟୋବର ମାସରେ ଆଉ ଥରେ ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ପ୍ରାୟତଃ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ରହିଥାନ୍ତି । ତେବେ ୬୦ଦଶକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ୮୦ ଦଶକର ଶେଷ ଭାଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ସ୍ୱଳ୍ପ ସମୟ ପାଇଁ ଯୋଜନା ବୋର୍ଡର ଅଧ୍ୟକ୍ଷ ରହିଥିଲେ ।
ରାଜ୍ୟ ବଜେଟ୍ ପ୍ରସ୍ତୁତି ଠାରୁ ଆରମ୍ଭ କରି ବିଭିନ୍ନ ଜନହିତକାରୀ ଯୋଜନା ପ୍ରଣୟନ ଏବଂ ଏହାର ରୂପାୟନ କ୍ଷେତ୍ରରେ ଯୋଜନା ବୋର୍ଡର ପ୍ରମୁଖ ଭୂମିକା ରହୁଥିଲା । ଆଗରୁ ଏଥିରେ ଅର୍ଥନୀତି, ଯୋଜନା ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ ଦକ୍ଷତା ରଖିଥିବା ବ୍ୟକ୍ତିମାନଙ୍କୁ ସଦସ୍ୟ ଭାବେ ନିଆଯାଉଥିଲା । ଏମାନଙ୍କ ପରାମର୍ଶ ରାଜ୍ୟ ଯୋଜନାକୁ କ୍ରିୟାଶୀଳ କରୁଥିଲା ।
କିନ୍ତୁ ସମୟକ୍ରମେ ରାଜ୍ୟ ଯୋଜନା ବୋର୍ଡ ଏକ ରାଜନୈତିକ ଥଇଥାନ କେନ୍ଦ୍ରରେ ପରିଣତ ହେବା ପରେ ଏହା ଏକ ନାମମାତ୍ର ସଂସ୍ଥା ଭାବେ ରହିଥିଲା । ମୁଖ୍ୟମନ୍ତ୍ରୀ ଯୋଜନା ବୋର୍ଡର ଅଧ୍ୟକ୍ଷ ଥିବାବେଳେ ରାଜନୈତିକ ନେତାମାନଙ୍କୁ ଏହାର ଉପାଧ୍ୟକ୍ଷ କରି କ୍ୟାବିନେଟ୍ ପାହ୍ୟାର ସୁବିଧା ସୁଯୋଗ ଦିଆଯିବାର ପରମ୍ପରା ଆମ ରାଜ୍ୟରେ ଗଡ଼ି ଆସିଛି । ଏହାଛଡ଼ା ବୋର୍ଡର ଆଉ କେତେକ ପୂର୍ଣ୍ଣକାଳୀନ ସଦସ୍ୟଙ୍କୁ ମଧ୍ୟ ମନ୍ତ୍ରୀ ଓ ପ୍ରମୁଖ ସଚିବ ପାହ୍ୟାର ସୁବିଧା ସୁଯୋଗ ଦିଆଯାଇଥାଏ । ଏ ପରିପ୍ରେକ୍ଷୀରେ ମନ୍ତ୍ରୀ, ବିଧାୟକ, ସାଂସଦ ଆଦି ହୋଇପାରିନଥିବା ବହୁ ନେତା ଯୋଜନା ବୋର୍ଡର ପଦପଦବୀରେ ବସିବା ପାଇଁ ଇଚ୍ଛୁକ ଥାନ୍ତି ।
ଓଡ଼ିଶାରେ ବିଜେପି ସରକାର ଆସିବା ପୂର୍ବରୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ଖାଲି ପଡିଥିଲା । ନୂଆ ସରକାର ଅଧା ଗଢ଼ା ଯୋଜନା ବୋର୍ଡକୁ ଭାଙ୍ଗି ଦେବା ପରେ ଆଉ ତାହାର ପୁନର୍ଗଠନ କରାଯାଇନାହିଁ । କେନ୍ଦ୍ର ସରକାର ଯୋଜନା କମିଶନକୁ ଭାଙ୍ଗିଦେଇ ସର୍ବଭାରତୀୟ ସ୍ତରରେ ନୀତି ଆୟୋଗ ଗଠନ କରିଛନ୍ତି । ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ଲାଗି ସରକାର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରୁଥିବା କଥା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଥିଲେ ।
ବର୍ଷ ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ ବସୁନଥିବା ପରିପ୍ରେକ୍ଷୀରେ ବସ୍ତୁତଃ ଏହା ଏକ ଧଳା ହାତୀ ପୋଷିବା ସଂସ୍ଥାରେ ପରିଣତ ହୋଇଛି । ଯୋଜନା ବୋର୍ଡର ଉପାଧ୍ୟକ୍ଷ ଓ ଅନ୍ୟ ପୂର୍ଣ୍ଣକାଳୀନ ସଦସ୍ୟଙ୍କ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ସେଥିରୁ କ’ଣ ଲାଭ ରାଜ୍ୟବାସୀଙ୍କୁ ମିଳୁଛି ବୋଲି ବିଭିନ୍ନ ମହଲ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି । ଏ ପରିପ୍ରେକ୍ଷୀରେ ଯୋଜନା ବୋର୍ଡ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରିଦେବା ପାଇଁ ମଧ୍ୟ କେତେକ ମହଲ ମତ ରଖୁଛନ୍ତି ।
ରାଜ୍ୟ ଯୋଜନା ବୋର୍ଡ ଏଭଳି ଦୟନୀୟ ସ୍ଥିତିରେ ଥିବାବେଳେ ରାଜନୈତିକ ନେତାମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ଯୋଜନା ବୋର୍ଡଗୁଡ଼ିକର ପୁନର୍ଗଠନ କରାଯାଇଛି । ତେବେ ରାଜ୍ୟ ଯୋଜନାବୋର୍ଡ ଅସ୍ତିତ୍ୱ ହରାଉଥିବାବେଳେ ଜିଲ୍ଳା ଯୋଜନା ବୋର୍ଡ କେବଳ ସୀମିତ ବୈଠକ ମଧ୍ୟରେ ବାନ୍ଧି ହୋଇ ରହିଛି । ଯୋଜନା ବୋର୍ଡ ମାଧ୍ୟମରେ ପ୍ରତି ଗାଁର ପ୍ରତି ଲୋକଙ୍କ ବିକାଶ ପାଇଁ ବାସ୍ତବାଭିମୁଖି ଯୋଜନା ପ୍ରଣୟନ ସହିତ ଏହାର ସଫଳ ରୂପାୟନ କରାଯାଇପାରିଲେ ରାଜ୍ୟର ବ୍ୟାପକ ବିକାଶ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି ।(ତଥ୍ୟ)