ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ସଂସ୍ଥା ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳୁଛି କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ରାଉରକେଲାର ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ନିଟ୍ରେ ।
ଜାତିର ଜନକ ମହାତ୍ମା ଗାନ୍ଧୀ ଜନ୍ମ ଶତବାର୍ଷିକୀ ଅବସରରେ କେନ୍ଦ୍ର ସରକାର ଦେଶର ଉଚ୍ଚଶିକ୍ଷା ସଂସ୍ଥାନ ଗୁଡିକରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଆରମ୍ଭ କରିଥିଲେ । ଏବେ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ୧ଲକ୍ଷ ୨୪ ହଜାରରୁ ଅଧିକ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଅଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଛଡା ଆଉ ୨୪ଟି ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ଏନ୍ଏସ୍ଏସ୍ ୟୁନିଟ୍ମାନ ରହିଛି । କେଉଁ ବିଶ୍ୱବିଦ୍ୟାଳୟ ପାଇଁ କେତେ ୟୁନିଟ୍ ରହିବ ଏବଂ ଏଥିରେ କେତେ ସ୍ୱେଚ୍ଛାସେବୀ ସାମିଲ ହେବେ ତାହା ସରକାର ମଞ୍ଜୁର ଦେଇଥାନ୍ତି । ଏହି ସ୍ୱେଚ୍ଛାସେବୀମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ବ୍ୟବସ୍ଥା କରିଥାନ୍ତି ।
ଏହିକ୍ରମରେ କୋରାପୁଟରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୩ଟି ଏନ୍ଏସ୍ଏସ୍ ୟୁନିଟ୍ ଲାଗି ୩୦୦ ସ୍ୱେଚ୍ଛାସେବୀ ରହିବାର ବ୍ୟବସ୍ଥା ଅଛି । ସେହିଭଳି ରାଉରକେଲାର ନିଟ୍ ଲାଗି ୧୦ଟି ୟୁନିଟ୍ର ହଜାର ସ୍ୱେଚ୍ଛାସେବୀଙ୍କ ପାଇଁ ସରକାରୀ ମଞ୍ଜୁରୀ ରହିଛି । ତେବେ ଏହି ଦୁଇଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଏନ୍ଏସ୍ଏସ୍ ୟୁନିଟ୍ ବର୍ଷ ବର୍ଷ ଧରି କାମ କରୁନାହିଁ । ଏମିତିକି ଏନ୍ଏସ୍ଏସ୍ ଲାଗି ରାଉରକେଲାର ନିଟ୍ ନେଇଥିବା ଅର୍ଥରୁ ୯,୫୭, ୮୭୮ ଟଙ୍କା ଫେରାଉନାହିଁ କି ତାହାର ଉପଯୋଗ ବି କରୁନାହିଁ । ଏନ୍ଏସ୍ଏସ୍ ୟୁନିଟ୍ ଅଚଳ ହୋଇ ପଡିଥିବାବେଳେ ଏହି ଦୁଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ଠାରୁ ପ୍ରତିବର୍ଷ ଏନ୍ଏସ୍ଏସ୍ ପାଇଁ ଅର୍ଥ ବି ଆଦାୟ କରୁଛନ୍ତି ।
ନିକଟରେ ହୋଇଥିବା ଏନ୍ଏସ୍ଏସ୍ ଉପଦେଷ୍ଟାମଣ୍ଡଳୀ ବୈଠକରେ ଅନ୍ୟସବୁ ବିଶ୍ୱବିଦ୍ୟାଳୟର କୂଳପତି, ସେମାନଙ୍କ ପ୍ରତିନିଧି ଓ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ କୋଅର୍ଡିନେଟରମାନେ ଯୋଗ ଦେଇଥିବାବେଳେ ଏହି ଦୁଇ ପ୍ରତିଷ୍ଠାନର କୌଣସି ପ୍ରତିନିଧି ଆସି ନଥିଲେ । ପୂର୍ବରୁ ବି ଏମାନେ ଭର୍ଚୁଆଲ ବୈଠକରେ ଯୋଗ ଦେଉନାହାନ୍ତି ।
୪/୫ ବର୍ଷ ଧରି ଏହି ଦୁଇ ଶିକ୍ଷାସଂସ୍ଥାନର ଉଚ୍ଚ ପଦାଧିକାରୀମାନଙ୍କୁ ଉଚ୍ଚଶିକ୍ଷା ବିଭାଗରେ ଥିବା ଭାରପ୍ରାପ୍ତ ଅଧିକାରୀ ବାରମ୍ବାର ଚିଠି ଲେଖିଲେ ବି ତାହାର ଉତ୍ତର ମିଳୁନାହିଁ । ଏମିତିକି ପୂର୍ବରୁ ରାଜ୍ୟ ସରକାରଙ୍କ ଏନ୍ଏସ୍ଏସ୍ ଅଧିକାରୀ ରାଉରକେଲାସ୍ଥିତ ନିଟ୍କୁ ଯାଇ ନିର୍ଦ୍ଦେଶକ ଓ କୂଳସଚିବଙ୍କୁ ଭେଟି ଏନ୍ଏସ୍ଏସ୍କୁ ଏଠାରେ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ଅନୁରୋଧ କରିଥିଲେ ବି ତାହାର କୌଣସି ସୁଫଳ ହୋଇନାହିଁ ।
ଏ ପରିପ୍ରେକ୍ଷୀରେ ଯଦି ଏନ୍ଏସ୍ଏସ୍ ୟୁନିଟ୍ କାର୍ଯ୍ୟକ୍ଷମ ହୋଇପାରୁନାହିଁ ତା’ହେଲେ ଏବାବଦରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ପଡି ରହିଥିବା ଅର୍ଥ ଫେରାଇ ଦେବାକୁ ସରକାର ଚିଠି ଲେଖିଲେ ବି ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ତାହାର ଉତ୍ତର ଦେଉନାହାନ୍ତି । ଏଠାରେ ଥିବା ଏନ୍ଏସ୍ଏସ୍ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ କିଏ ଅଛନ୍ତି କି ନାହାନ୍ତି ତାହା ବି ସ୍ପଷ୍ଟ ଜଣାପଡୁନାହିଁ ।
ରାଜ୍ୟର ବହୁ ଶିକ୍ଷାନୁଷ୍ଠାନ ସେମାନଙ୍କ ଲାଗି ଅଧିକ ଏନ୍ଏସ୍ଏସ୍ ୟୁନିଟ୍ ଦେବା ସହିତ ସ୍ୱେଚ୍ଛାସେବୀ ସଂଖ୍ୟା ବଢାଇବାକୁ ଆଗ୍ରହ ପ୍ରକାଶ କରୁଥିବାବେଳେ ରାଜ୍ୟରେ ଥିବା କେନ୍ଦ୍ରୀୟ ସଂସ୍ଥାନ ମଧ୍ୟରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ନିଟ୍ରେ କିନ୍ତୁ ଏନ୍ଏସ୍ଏସ୍ ବ୍ୟୁରୋ ଓ ୟୁନିଟ୍ ଅଚଳ ହୋଇ ରହିଛି । ଏ ପରିପ୍ରେକ୍ଷୀରେ ସମ୍ପୃକ୍ତ ଦୁଇ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରୁ ଏନ୍ଏସ୍ଏସ୍ ୟୁନିଟ୍ମାନ ପ୍ରତ୍ୟାହାର କରି ଅନ୍ୟ ବିଶ୍ୱବିଦ୍ୟାଳୟ ଲାଗି ଅଧିକ ୟୁନିଟ୍ ମଞ୍ଜୁର କରିବାକୁ ମତ ପ୍ରକାଶ ପାଉଛି । ତେବେ ଭୁବନେଶ୍ୱରର ଏମ୍ସ୍ ଓ ଆଇଆଇଟି ଓ କଟକର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଏନ୍ଏସ୍ଏସ୍ ୟୁନିଟ୍ ଗୁଡିକ କାର୍ଯ୍ୟକ୍ଷମ ରହିବା ସହ ଭଲ ପ୍ରଦର୍ଶନ କରୁଛନ୍ତି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ନିଟ୍ରେ ଏନ୍ଏସ୍ଏସ୍ ୟୁନିଟ୍ ଗୁଡିକୁ କିଏ ଅଚଳ କରି କେନ୍ଦ୍ରୀୟ ଯୋଜନାରେ ବାଧା ଉପୁଯାଉଛନ୍ତି ତାହାର ତଦନ୍ତ ସହ କେନ୍ଦ୍ର ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । (ତଥ୍ୟ)