Home Administration ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀ ପାଉନାହାନ୍ତି ନିଯୁକ୍ତି

ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀ ପାଉନାହାନ୍ତି ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଜଣେ ଶାରୀରିକ ଭିନ୍ନକ୍ଷମ ପ୍ରାର୍ଥୀ ସାଧାରଣବର୍ଗର ଅନେକଙ୍କ ଅପେକ୍ଷା ଢେର ଅଧିକ ନମ୍ବର ରଖିଥିଲେ ମଧ୍ୟ ୫ବର୍ଷ ଧରି ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏହି ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ଖୋଦ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବାରମ୍ବାର ମତବ୍ୟକ୍ତ କରିଥିଲେ ବି ତାଙ୍କ ସମସ୍ୟାର ସମାଧାନ ନହେବାରୁ ବାଧ୍ୟହୋଇ ସେ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ସପକ୍ଷରେ ହାଇକୋର୍ଟଙ୍କ ସ୍ପଷ୍ଟ ରାୟ ଥିବା ସତ୍ୱେ ବି ଛଅମାସ ଧରି ଏହି ଯୋଗ୍ୟ ପ୍ରାର୍ଥୀ ଜଣଙ୍କୁ ନିଯୁକ୍ତି ଦିଆଯାଇ ନାହିଁ ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ କେନ୍ଦ୍ରୀୟ ଆଇନ୍‍ର ତ୍ରୁଟିପୂର୍ଣ୍ଣ ରୂପାୟନ ଯୋଗୁଁ ଏହି ଭିନ୍ନକ୍ଷମ ପ୍ରାର୍ଥୀ ଜଣଙ୍କ ଯୋଗ୍ୟତା ସତ୍ୱେ ବି ଓଏଏସ୍‍ ଚାକିରିରୁ ବଞ୍ଚିତ ହୋଇଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ପୂର୍ବରୁ ଲୋକସେବା ଆୟୋଗକୁ ବାରମ୍ବାର ଚିଠି ଲେଖିଥିଲେ ବି ଆୟୋଗ ତାଙ୍କ ନାମ ଯୋଗ୍ୟତା ତାଲିକାରେ ସାମିଲ କରିନଥିଲା । ଏହି ବଞ୍ଚିତ ପ୍ରାର୍ଥୀ ଜଣଙ୍କ ୧୩୬୫ ନମ୍ବର ରଖିଥିବାବେଳେ ଅଣସଂରକ୍ଷିତବର୍ଗର ୧୩୦୨ ଓ ଭିନ୍ନକ୍ଷମ ବର୍ଗର ୧୦୬୫ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଅବଶ୍ୟ ମାମଲା ରୁଜୁ ପରେ ନିରାପତ୍ତା ଦୃଷ୍ଟିରୁ କେତେକ ଚାକିରି ଛାଡି ଚାଲିଯାଇଛନ୍ତି ।

ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଆକାରରେ ସ୍ୱୀକାର କରାଯାଇଥିଲା । ହାଇକୋର୍ଟ ଗମ୍ଭୀରତାର ସହ ଏହି ମାମଲାର ଶୁଣାଣି କରି ରଖିଥିବା ନମ୍ବର ଆଧାରରେ ତାଙ୍କ ନାମକୁ ଲୋକସେବା ଆୟୋଗ ନିର୍ଦ୍ଧାରିତ ସ୍ଥାନରେ ସ୍ଥାନିତ କରି ସରକାରଙ୍କ ନିକଟକୁ ପଠାଇବା ଲାଗି ନିର୍ଦ୍ଦେଶ ଦେବାପରେ ଏହାର ପ୍ରତିପାଳନ ସହ ନିଜ ତ୍ରୁଟି ସୁଧାରି ଆୟୋଗ ସାଧାରଣ ପ୍ରଶାସନ ବିଭାଗକୁ ଏହି ବଞ୍ଚିତ ପ୍ରାର୍ଥୀ ଅଣୁଶ୍ରଭ ଗନ୍ତାୟତଙ୍କ ନାମ ଗତ ଫେବୃୟାରୀ ମାସରେ ପଠାଇଥିଲେ । ସାଧାରଣ ପ୍ରଶାସନ ଏବଂ ଅର୍ଥ ସମେତ ବିଭିନ୍ନ ବିଭାଗ ଏ ସଂକ୍ରାନ୍ତରେ ବ୍ୟାପକ ତର୍ଜମା କରି ଏହି ବଞ୍ଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାଲାଗି ମତ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ଆଦେଶ ନେବାପରେ ରାଜସ୍ୱ ବିଭାଗକୁ ନିଯୁକ୍ତିପତ୍ର ପ୍ରଦାନ ପାଇଁ ଅନୁରୋଧ କରାଯାଇଥିଲା ।

ତେବେ ନୂଆ ସରକାର ଗଠନ ପରେ ସରକାରଙ୍କ ଅନୁମୋଦନ ପାଇଁ ଚିଠା ନିଯୁକ୍ତିପତ୍ର ପଠାଯାଇଥିଲା । ଏଥି ସହିତ ସମ୍ପୃକ୍ତ ପ୍ରାର୍ଥୀଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସଂଗେ ସଂଗେ ପୁଲିସ୍‍ ରିପୋର୍ଟ ମଧ୍ୟ ଅଣାଯାଇଛି । ସମସ୍ତ ବ୍ୟବସ୍ଥା ଅନୁପାଳନ କରାଯିବା ପରେ ରାଜସ୍ୱମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନିଯୁକ୍ତିପତ୍ର ପ୍ରକାଶ ପାଇବାକଥା । ଏହା ସତ୍ୱେ ବି ଏଯାବତ୍‍ କୋରାପୁଟ ବୋରିଗୁମ୍ମା ଅଞ୍ଚଳର ଏହି ପ୍ରାର୍ଥୀ ଜଣଙ୍କ ନିଯୁକ୍ତି ପାଇପାରିନାହାନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ନିଯୁକ୍ତିରୁ ବଞ୍ଚିତ ଏହି ପ୍ରାର୍ଥୀ ଜଣଙ୍କ ହେଉଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀଙ୍କ ପୁଅ । ତାଙ୍କ କକା ସୁବାସ ଗନ୍ତାୟତ ବିଜେପିର ଜଣେ ଛାମୁଆ ନେତା ଥିଲେ । ପୂର୍ବରୁ ସେ ଜରୁରୀ ପରିସ୍ଥିତିବେଳେ ମିଶାରେ ମଧ୍ୟ ଗିରଫ ହୋଇଥିଲେ । କିଛିଦିନ ତଳେ ସୁବାସ ଗନ୍ତାୟତଙ୍କ ପରଲୋକ ହୋଇଯାଇଛି । ଏବେ ତାଙ୍କ ପୁତୁରାଙ୍କ ନିଯୁକ୍ତି ନଥି ଉପରୁ ତଳ ହେଉଥିବାବେଳେ ସେ ଅଦାଲତ ଅବମାନନା ମାମଲା ରୁଜୁ କରିବା ପରିବର୍ତ୍ତେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି କରି ଚାଲିଛନ୍ତି । ଏ ସମ୍ପର୍କରେ ଇତି ମଧ୍ୟରେ ତାଙ୍କ ମା’ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ଦେବାକୁ ନିବେଦନ କରିଛନ୍ତି । (ତଥ୍ୟ)