ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗର ୨୫ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମ ରାଜଧାନୀର ଏକ ତାରକା ହୋଟେଲରେ ପାଳିତ ହୋଇଥିବାବେଳେ ଏଥିରେ ଯୋଗଦେବା ପାଇଁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ନିକଟରେ ତାଙ୍କ ଗୁହାରି ଜଣାଇବା ଲାଗି କୋରାପୁଟ ଜିଲ୍ଲାର ବୋରିଗୁମ୍ମାରୁ ଆସିଥିବା ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନିରାଶ ହୋଇଛନ୍ତି ।
ଓଡ଼ିଶା ଲୋକସେବା ଆୟୋଗ ଏହି ଅବସରରେ ‘ଯୋଗ୍ୟତାର ସମ୍ମାନ: ସମୃଦ୍ଧ ରାଷ୍ଟ୍ର ନିର୍ମାଣ’ ତାହାର ଲକ୍ଷ୍ୟ ବୋଲି ଖୋଲା ବିଜ୍ଞାପନ ଦେଇଥିଲା, ଯେଉଁଥିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।
ତେବେ ବୋରିଗୁମ୍ମା ଅଞ୍ଚଳର ଏହି ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଜଣକ କହିଛନ୍ତି ଯେ, ବସ୍ତୁତଃ ଆମ ବ୍ୟବସ୍ଥା ଯୋଗ୍ୟତାକୁ ଅସମ୍ମାନିତ କରି ସମୃଦ୍ଧ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ତାଙ୍କର ଏକମାତ୍ର ପୁଅକୁ ସରକାରୀ ଡାକ୍ତରଖାନାରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯିବାରୁ ପ୍ରତିକ୍ରିୟା ସ୍ୱରୂପ ସେ ସ୍ଥାୟୀଭାବେ ୪୦ ପ୍ରତିଶତ ଦୃଷ୍ଟି ଶକ୍ତି ହରାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଶାରିରୀକ ସମସ୍ୟାର ସମ୍ମୁଖୀନ ହୋଇଛି ।
ଏହାସତ୍ତ୍ୱେ ତାଙ୍କ ପୁଅ କଠୋର ପରିଶ୍ରମ କରି ମ୍ୟାଟ୍ରିକ୍ ଓ ଯୁକ୍ତ ୨ରେ ଢେର୍ ଭଲ ପ୍ରଦର୍ଶନ କରିବା ପରେ ରାଉରକେଲାର ଏନ୍ଆଇଟିରୁ ମଧ୍ୟ ଭଲ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛି । ମାତ୍ର ୨୩ବର୍ଷ ବୟସରେ ତାଙ୍କ ପୁଅ ଓପିଏସ୍ସି ମାଧ୍ୟମରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାପାଇଁ ଜଣେ ଅରସଂରକ୍ଷିତ ଭିନ୍ନକ୍ଷମ ପ୍ରାର୍ଥୀଭାବେ ଆବେଦନ କରିଥିଲା ଏବଂ ତାଙ୍କ ଆବେଦନକୁ ଗ୍ରହଣ କରି କର୍ତ୍ତୃପକ୍ଷ ସାର୍ଟିଫିକେଟ ଆଦି ଯାଞ୍ଚ କରିବା ସହ ତାଙ୍କୁ ପ୍ରିଲିମ୍ନାରି, ଲିଖିତ ଓ ମୌଖିକ ପରୀକ୍ଷାକୁ ଡାକିଥିଲେ ।
ଏହି ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଜଣକ ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ କରିଛନ୍ତି ଯେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବୋରିଗୁମ୍ମା ଅଞ୍ଚଳରେ ରହି ପ୍ରସ୍ତୁତି ପର୍ବ ଚଳାଇ ତାଙ୍କ ପୁଅ ଏହି ପରୀକ୍ଷାରେ ୧୩୬୫ନମ୍ବର ରଖିଥିଲେ । କିନ୍ତୁ ୧୩୦୨ ନମ୍ବର ରଖିଥିବା ଅଣସଂରକ୍ଷିତ ବର୍ଗ ଓ ୧୦୬୫ ନମ୍ବର ରଖିଥିବା ଦୃଷ୍ଟିବାଧିତ ବର୍ଗର ପ୍ରାର୍ଥୀଙ୍କୁ ୨୦୧୯ ମସିହାରେ ନିଯୁକ୍ତି ଦିଆଯାଇଥିବାବେଳେ ବେଆଇନ ଭାବେ ତାଙ୍କ ପୁଅର ପ୍ରାର୍ଥୀତ୍ୱକୁ ନାକଚ କରିଦିଆଯାଇଥିଲା ।
ଏ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓପିଏସ୍ସିକୁ ଚିଠିଲେଖି ତାଙ୍କ ପୁଅର ନାମ ଅଣସଂରକ୍ଷିତ ପ୍ରାର୍ଥୀଭାବେ ମେଧା ତାଲିକାରେ ସ୍ଥାନିତ କରିବା ପାଇଁ କହିଥିଲେ ମଧ୍ୟ ଅମଲାତାନ୍ତ୍ରିକ କାରସାଦି ଯୋଗୁ ସେତେବେଳର ଓପିଏସ୍ସି କର୍ମକର୍ତ୍ତାମାନେ ଏସବୁକୁ ଅଣଦେଖା କରିଥିଲେ । ଏମିତିକି ଭିନ୍ନକ୍ଷମଙ୍କ ପାଇଁ ଥିବା କେନ୍ଦ୍ରୀୟ ଆଇନ ଆଧାରରେ ବିଚାର କରିବା ପାଇଁ ସ୍ୟାଟ୍ ନିର୍ଦ୍ଦେଶକୁ ମଧ୍ୟ କୌଣସି ଅକୁହା କାରଣ ଯୋଗୁ ମାଡ଼ି ମକଚି ଦିଆଗଲା । ୪ବର୍ଷ ଧରି ଏ ପ୍ରସଙ୍ଗରେ ସେ ବିଭିନ୍ନ ମହଲରେ ଗୁହାରି କରି ଚାଲିଛନ୍ତି । ଏବଂ ନ୍ୟାୟପାଳିକାରୁ ନ୍ୟାୟ ପାଇବେ ବୋଲି ଗଭୀର ଆଶା ରଖିଥିଲେ ମଧ୍ୟ ଏହା କେବେ ମିଳିବ ତାହା ଭଗବାନଙ୍କୁ ଜଣାବୋଲି ସେ କହିଛନ୍ତି ।
୧୩୦୨ ଓ ୧୦୬୫ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇ ୧୩୬୫ ନମ୍ବର ରଖିଥିବା ତାଙ୍କ ପୁଅ ସମେତ ସମଗ୍ର ପରିବାରକୁ ମାନସିକ ନିର୍ଯାତନା ମଧ୍ୟରେ ରଖିଥିବା ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ କ’ଣ ଯୋଗ୍ୟତାର ସମ୍ମାନ କି ବୋଲି ଏହି ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଜଣକ କୋହଭରା କଣ୍ଠରେ କହିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ କେତେକ ଅଧିକାରୀ ଏହି ଘଟଣାକୁ ସ୍ୱୀକାର କରିଛନ୍ତି । କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରି କରିବା ପାଇଁ ରାଜ୍ୟ ସରକାର ଜାରି କରିଥିବା ଏକ ବିଜ୍ଞପ୍ତିରେ ଥିବା ତ୍ରୁଟିକୁ ଆଳକରି ସେତେବେଳର ପିଏସ୍ସି କର୍ତ୍ତୃପକ୍ଷ ଜିଦି ଧରିବା ଏବଂ ଏହି ତ୍ରୁଟିର ସଂଶୋଧନ ହୋଇସାରିଥିଲେ ମଧ୍ୟ ସମ୍ପୃକ୍ତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ଆୟୋଗ ସ୍ଥାନିତ କରୁନଥିବାରୁ ଏଭଳି ସମସ୍ୟା ଉପୁଜିଛି ।
ତେବେ ଏ ସଂକ୍ରାନ୍ତରେ ଏକ ମାମଲାର ଶୁଣାଣି ପ୍ରାୟ ୧୦ମାସ ତଳେ ହୋଇ ରାୟ ସଂରକ୍ଷିତ ରହିଛି ଏବଂ ଏ ସଂକ୍ରାନ୍ତରେ ନ୍ୟାୟାଳୟ ଯାହା ନିଷ୍ପତ୍ତି ଦେବେ ତାହା କାର୍ଯ୍ୟକାରୀ କରାଯିବ ବୋଲି ଅଧିକାରୀମାନେ କହୁଛନ୍ତି । ଏ ପରିପ୍ରେକ୍ଷିରେ ଯୋଗ୍ୟତାର ସମ୍ମାନ ପାଇଁ ୪ବର୍ଷ ଧରି ନିରନ୍ତର ସଂଗ୍ରାମ କରିବା ପରେ ଆୟୋଗର ୭୫ବର୍ଷ ପୂର୍ତ୍ତି ସମାରୋହ ଅବସରରେ କର୍ତ୍ତୃପକ୍ଷ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଜଣକ କୋହଭରା କଣ୍ଠରେ କହିଛନ୍ତି । (ତଥ୍ୟ)