ଭୁବନେଶ୍ୱର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଏକାଧିକ ପଦବୀ ଖାଲି ପଡିଥିବାରୁ କେବଳ କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜୁନାହିଁ, କର୍ମଚାରୀମାନେ ବି ପଦୋନ୍ନତିରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ଏବେ ତଳୁ ଉପର ପର୍ଯ୍ୟନ୍ତ ଅସନ୍ତୋଷ ବଢିବାରେ ଲାଗିଛି ।
ମିଳିଥିବା ସୂଚନା ବିଭାଗ ଅଧିନରେ ୧୫ଟି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପଦବୀ ଥିବାବେଳେ ଏଥିରୁ ୧୪ଟି ଫାଙ୍କା ପଡିଛି । କେବଳ ଜଣେ ଅଧିକାରୀ ବଲାଙ୍ଗିରେ କାର୍ଯ୍ୟରତ ଅଛନ୍ତି । ସେହିଭଳି ଅତିରିକ୍ତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପାହ୍ୟାରେ ୬୦ଟି ପଦବୀ ଥିବାବେଳେ ଏଥିରୁ ୫୦ଟି ଖାଲି ପଡିଛି । ୧୧୯ଟି ଟି ଅତିରିକ୍ତ ଯୋଗାଣ ଅଧିକାରୀ ପଦବୀ ମଧ୍ୟରୁ ୩୬ଟି ଖାଲିଥିବାବେଳେ ୩୪୦ଟି ଯୋଗାଣ ଅଧିକାରୀ ପଦବୀ ମଧ୍ୟରୁ ୧୦୭ଟିରେ ଅଧିକାରୀ ନାହାନ୍ତି ।
ତେବେ ଦୀର୍ଘଦିନ ଧରି ଉପର ପାହ୍ୟାକୁ ପଦୋନ୍ନତି ହୋଇପାରୁ ନଥିବାରୁ ପଦବୀ ପୂରଣ ହେଉନାହିଁ । ଏହାଦ୍ୱାରା ତଳ ସ୍ତର ବିଶେଷକରି ଏସିଏସ୍ଓ ଓ ଇନ୍ସପେକ୍ଟରମାନେ ପଦୋନ୍ନତି ପାଇବାରୁ ବଞ୍ଚିତ ହେଉଛନ୍ତି । କ୍ଷେତ୍ରରେ ସ୍ତରରେ ସାଧାରଣତଃ ଯୋଗାଣ ଇନ୍ସପେକ୍ଟର ଓ ଅତିରିକ୍ତ ଯୋଗାଣ ଅଧିକାରୀ ଗୁରୁଦାୟିତ୍ୱ ତୁଲାଇଥାନ୍ତି । ହେଲେ ଏହି ଦୁଇ ପାହ୍ୟାରେ ଏକାଧିକ ପଦବୀ ଖାଲି ସାଙ୍ଗକୁ ପଦୋନ୍ନତି ହେଉନଥିବାରୁ ଅଧିକାରୀମାନେ ଚିନ୍ତାରେ ଅଛନ୍ତି ।
ବର୍ତ୍ତମାନ ରାଜ୍ୟରେ ଧାନ କିଣା ଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ, ଗହମ ଯୋଗାଣ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ରହିଛି ଯୋଗାଣ ଅଧିକାରୀଙ୍କ ଉପରେ । ତଦନୁଯାୟୀ ଜିଲ୍ଲା ଆକାରକୁ ଦେଖି ଜଣଙ୍କ ଠାରୁ ଆରମ୍ଭକରି ତିନି ଜଣଙ୍କ ପର୍ଯ୍ୟନ୍ତ ଯୋଗାଣ ଅଧିକାରୀ ନିଯୁକ୍ତ ହୋଇଥାନ୍ତି । ହେଲେ ପଦବୀ ପୂରଣ ହେଉନଥିବାରୁ ଏବେ ଯେଉଁ ଜିଲ୍ଲାରେ ତିନି ଜଣ ଯୋଗାଣ ଅଧିକାରୀ ରହିବାକଥା ସେଠାରେ ଜଣଙ୍କୁ ନେଇ କାମ ଚଳାଯାଉଛି ।
ଗୋଟିଏ ପଟେ ଏକାଧିକ ପଦବୀ ଖାଲି ପଡିଥିବାରୁ ଅଧିକାରୀଙ୍କ ଉପରେ କାମର ଚାପା ବଢି ଚାଲିଥିବାବେଳେ ଯେଉଁମାନେ କୌଣସି ପ୍ରକାରେ ବିଭାଗ କିମ୍ବା ଉପକୂଳ ଅଞ୍ଚଳକୁ ବଦଳି ହୋଇ କିମ୍ବା ଡେପୁଟେସନରେ ଆସୁଛନ୍ତି ସେମାନେ ଆଉ ମୂଳ ପଦବୀକୁ ସହଜରେ ଫେରୁ ନାହାନ୍ତି । ବିଭାଗରେ ଏଭଳି କିଛି ଅଧିକାରୀ ବର୍ଷ ବର୍ଷ ଧରି ରହିଥିବାବେଳେ ସେମାନଙ୍କ ସହ କାର୍ଯ୍ୟ କରିଥିବା ଅନ୍ୟ ଅଧିକାରୀମାନେ ଉପକୂଳକୁ ଆସିବାରୁ ଏକ ପ୍ରକାର ବଞ୍ଚିତ ।
ବିଭାଗରେ ଦୁଇ ବର୍ଷରୁ ଅଧିକ ସମୟ ହେଲା ପଦୋନ୍ନତି କାର୍ଯ୍ୟକାରୀ ହେଉନଥିବାବେଳେ କାମ ଚଳାଇବାପାଇଁ ଏବେ ଏକାଧିକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି । ଯଦି ଠିକଣା ସମୟରେ ପଦୋନ୍ନତି ବ୍ୟବସ୍ଥା କାର୍ଯ୍ୟକାରୀ ହୁଅନ୍ତା ତେବେ ଅଧିକାରୀମାନେ ପଦୋନ୍ନତି ପାଇବା ସହିତ ନୂତନ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହୁଅନ୍ତା । ତେଣୁ ବିଭାଗରେ ନୂତନ ନିଯୁକ୍ତି ସହିତ ତୁରନ୍ତ ପଦୋନ୍ନତି ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)