Home General ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ଏକ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନ ଦିଗରେ ଯୋଗର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଯୋଗ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାକୁ ସମାଜର ସବୁ ସ୍ତରକୁ ନେବା ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଯୋଗ ଅଭ୍ୟାସ କରାଯାଇ ଥିଲା। ଚଳିତ ବର୍ଷ ଯୋଗର ଥିମ୍ ଥିଲା ‘ନିଜ ପାଇଁ ଯୋଗ ଓ ସମାଜ ପାଇଁ ଯୋଗ’। ପ୍ରାୟ ଏକ ହଜାରରୁ ଅଧିକ ଲୋକ, ଅଧିକାରୀ, କ୍ରୀଡାବିତ୍, ଛାତ୍ର ଛାତ୍ରୀ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମୁଖ୍ୟ ଶାସନ ସଚିବ ଶ୍ରୀ ପି କେ ଜେନା ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ।

ରାଜ୍ୟର ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଛି। ମନ୍ତ୍ରୀ, ସାଂସଦ, ବିଧାୟକ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଧୁନିକ ଯୁଗରେ ସମସ୍ତେ ଚାପ ଗ୍ରସ୍ତ ହୋଇ ରହୁଛନ୍ତି। ଯୋଗ ଦ୍ୱାରା ଶରୀର ଓ ମନ ଭିତରେ ସନ୍ତୁଳନ ଓ ସମନ୍ଵୟ ରକ୍ଷା କରି ଏହି ଚାପକୁ ଦୂର କରି ହେବ ଓ ଏକ ସୁସ୍ଥ ସମାଜ ଗଠନ କରି ହେବ। ଦୈନଦିନ ଜୀବନରେ ଯୋଗକୁ ଗ୍ରହଣ କରି ଆମେ ଏକ ସୁସ୍ଥ ଏ ସୁନ୍ଦର ଜୀବନ ହାସଲ କରିପାରିବା।

କେବଳ ଏହି ଗୋଟିଏ ଦିନ ନୁହେଁ, ଦୈନଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଯୋଗାଭ୍ୟାସ ଜାରି ରଖିବା ପାଇଁ ଆମେ ସମସ୍ତେ ପ୍ରତିଶୃତିବଦ୍ଧ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସୁସ୍ଥ, ସୁଖୀ ଓ ସନ୍ତୁଳନଯୁକ୍ତ ସମାଜ ପାଇଁ ଆମେ ସମସ୍ତେ ଆସନ୍ତୁ ସଂକଳ୍ପ ନେବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ନିଜ ଅଭିଭାଷଣରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ସେ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଫଳରେ ୨୦୧୫ରୁ ମିଳିତ ଜାତିସଂଘ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ସ୍ତରରେ ମେ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଯୋଗର ମହାତ୍ମ୍ୟ ଆଜି ସାରା ବିଶ୍ୱରେ ପ୍ରସାରିତ ହୋଇଛି ବୋଲି ସେ କହିଥିଲେ।

ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ ଏଭଳି ଭବ୍ୟ ଓ ଦିବ୍ୟ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ ଏବଂ କ୍ରୀଡା ବିଭାଗ ସହିତ ବିଭିନ୍ନ ସଂପୃକ୍ତ ବିଭାଗକୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ ସମସ୍ତେ ନିଷ୍ଠାର ସହିତ କାମ କରିଛନ୍ତି।

କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟଶାସନ ସଚିବ ଶ୍ରୀ ପି.କେ. ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, କ୍ରୀଡା ସଚିବ ଶ୍ରୀ ଆର୍. ଭିନିଲ୍ କ୍ରିଷ୍ଣା ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ ।