ଭୁବନେଶ୍ୱର : ଆସନ୍ତା ମାସରେ ଏଠାରେ ଅନୁଷ୍ଠିତ ହେଉଥିବା ପ୍ରବାସୀ ଭାରତୀୟ ଦିବସରେ ଦେଶର ବିଦେଶରୁ ପ୍ରାୟ ୪ହଜାର ପ୍ରବାସୀ ଯୋଗଦେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ସଜେଇ ହେବା ସହିତ ଅତିଥି ଚର୍ଚ୍ଚା ପାଇଁ ରାଜ୍ୟ ସରକାର ପୂରା ଦମ୍ରେ ପ୍ରସ୍ତୁତି ଚଳାଇଛନ୍ତି ।
ଜାନୁୟାରୀ ୮ରୁ ୧୦ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଚାଲିବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ପଞ୍ଜିକରଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏଥିରେ ୪ହଜାରରୁ ଅଧିକ ପ୍ରବାସୀ ଯୋଗଦେବେ ବୋଲି କର୍ତ୍ତୃପକ୍ଷ ଆକଳନ କରୁଛନ୍ତି । କାରଣ ଇନ୍ଦୋର ଠାରେ ଅନୁଷ୍ଠିତ ୧୭ତମ ପ୍ରବାସୀ ଭାରତୀୟ ଦିବସରେ ୭୦ଟି ଦେଶରୁ ସାଢେ ୩ହଜାର ପ୍ରବାସୀ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱରରେ ଅନୁଷ୍ଠିତ ୧୮ତମ ଉତ୍ସବରେ ପ୍ରବାସୀଙ୍କ ଅଂଶଗ୍ରହଣ ଢେର ବୃଦ୍ଧି ପାଇବାର ଆଶା ରହିଛି ।
ପ୍ରବାସୀଙ୍କ ଅଂଶଗ୍ରହଣ ସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ ହେଉଛି ଓଡିଶାର ପର୍ଯ୍ୟଟନ ସମ୍ଭାର । ବିଶେଷକରି ଶ୍ରୀଜନ୍ନାଥ କ୍ଷେତ୍ରକୁ ଅଧିକରୁ ଅଧିକ ପ୍ରବାସୀ ଓଡିଆ ଆସିବାକୁ ପସନ୍ଦ କରିବେ । ଏଥି ସହିତ କୋଣାର୍କ, ଚିଲିକା, ଲିଙ୍ଗରାଜ ଆଦି ପର୍ଯ୍ୟଟନସ୍ଥଳୀ ମଧ୍ୟ ପ୍ରବାସୀମାନଙ୍କୁ ଆକୃଷ୍ଟ କରିବ ।
ତେବେ ପ୍ରବାସୀଙ୍କ ପାଇଁ ଆଉ ଏକ ଆକର୍ଷଣ ହେଉଛି ପ୍ରବାସୀ ଓଡିଶା ଦିବସର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରରୁ ଏକାଧିକ ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ କରୁଛି । ବର୍ତ୍ତମାନ ଦୁବାଇ, ସିଙ୍ଗାପୁର, ମାଲେସିୟା, ଥାଇଲାଣ୍ଡ ଭଳି ସ୍ଥାନକୁ ଭୁବନେଶ୍ୱରରୁ ଆର୍ନ୍ତଜାତୀୟ ବିମାନ ଚଳାଚଳ କରୁଥିବାବେଳେ ଦେଶ ଭିତରେ ମଧ୍ୟ ବିଭିନ୍ନ ସ୍ଥାନକୁ ବିମାନ ଚାଲୁଛି । ତେବେ ଜାନୁୟାରୀ ୫ ତାରିଖରୁ ଦେଶ ଭିତରେ ଜୟପୁର, ଇନ୍ଦୋର, ଡେରାଡୁନ ଭଳି ୫ଟି ନୂଆ ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ କରିବାକୁ ଯାଉଛି ।
ଜାତିର ଜନକ ମହାତ୍ମା ଗାନ୍ଧୀ ଜାନୁୟାରୀ ୯ତାରିଖରେ ଦକ୍ଷିଣ ଆଫ୍ରିକାରୁ ଭାରତ ପ୍ରତ୍ୟାବର୍ତ୍ତନ କରିବାର ସ୍ମୃତିରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ଆଠ ତାରିଖରୁ ଏଠାରେ ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୯ ତାରିଖରେ ଏଥିରେ ସାମିଲ ହେବେ । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଉତ୍ସବରେ ଅଂଶଗ୍ରହଣ କରିବେ ।
ଓଡିଶାରେ ପ୍ରଥମଥର ପାଇଁ ପ୍ରବାସୀ ଭାରତୀୟ ଉତ୍ସବ ଆୟୋଜନ ହେଉଥିବାରୁ ଓଡିଶା ସରକାର ମଧ୍ୟ ଏଥିରୁ ଭରପୂର ଫାଇଦା ଉଠାଇବା ଲକ୍ଷ୍ୟରେ ଅଛନ୍ତି । ବିଶେଷକରି ପ୍ରବାସୀମାନେ କିଭଳି ଏଠାରେ ଅଧିକରୁ ଅଧିକ ପୁଞ୍ଜିନିବେଶ କରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ତଦନୁଯାୟୀ ରାଜ୍ୟ ପ୍ରଶାସନ ଖସଡା ପ୍ରସ୍ତୁତ କରୁଥିବାବେଳେ ପ୍ରବାସୀଙ୍କୁ ଓଡିଶାର ଆତିଥେୟତା ପ୍ରଦାନ ପାଇଁ ପୂରା ରାଜଧାନୀ ସଜେଇ ହେବାରେ ଲାଗିଛି ।
ଇତି ମଧ୍ୟରେ ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଘନ ଘନ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାରେ ଲାଗିଛି । ପ୍ରବାସୀମାନଙ୍କ ଚର୍ଚ୍ଚାରେ ଯେଭଳି କୌଣସି ତ୍ରୁଟି ନରୁହେ ତାହା ଉପରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବାବେଳେ ହାତରେ ଦୁଇ ସପ୍ତାହରୁ କମ୍ ସମୟ ଥିବାରୁ ରାଜ୍ୟ ପ୍ରଶାସନ ମଧ୍ୟ ପୂରାଦମ୍ରେ ପ୍ରସ୍ତୁତି ଚଳାଇଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)