Home Health ଯୋଗଦେଉ ନାହାନ୍ତି ୨୯୬ ଡାକ୍ତର

ଯୋଗଦେଉ ନାହାନ୍ତି ୨୯୬ ଡାକ୍ତର

ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ଅନୁମୋଦିତ ହୋଇଥିବା ୭୬୩ ଜଣ ଡାକ୍ତରଙ୍କ ମଧ୍ୟରୁ ୨୯୬ ଜଣ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ଏମାନେ ଗତବର୍ଷ ଚୟନ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ତ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।

ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଆଜି ବିଧାନସଭାରେ କହିଛନ୍ତି ଯେ ଗତ ୫ବର୍ଷ ଭିତରେ ରାଜ୍ୟରେ ଥିବା ସରକାରୀ, ବେସରକାରୀ ମେଡିକାଲ କଲେଜଗୁଡିକରୁ ୩୮୨୨ ଜଣ ଛାତ୍ରଛାତ୍ରୀ ଡାକ୍ତରୀ ପାଶ୍‍ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏହି ୫ବର୍ଷ ଭିତରେ ଓଡିଶା ଲୋକସେବା ଆୟୋଗ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ୱାରା ୩୬୩୮ଜଣ ନିଯୁକ୍ତି ପାଇଛନ୍ତି ।

ନିଯୁକ୍ତି ପାଇଥିବା ଏହି ଡାକ୍ତରଙ୍କ ମଧ୍ୟରୁ ୨୦୧୭ରେ ୪୮୩ଜଣ, ୨୦୧୮ରେ ୯୩୮ଜଣ, ୨୦୧୯ରେ ୧୪୦୩ଜଣ, ୨୦୨୦ରେ ୭୬୩ ଜଣ ଏବଂ ୨୦୨୧ ରେ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା ଜରିଆରେ ୮୧ ଜଣ ନିଯୁକ୍ତି ପାଇଛନ୍ତି । ତେବେ ଗତବର୍ଷ ଓପିଏସ୍‍ସି ଦ୍ୱାରା ଚୟନ ହୋଇଥିବା ଡାକ୍ତରଙ୍କ ମଧ୍ୟରୁ ୨୯୬ଜଣ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ ଯୋଗ ଦେଇନଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)