ଭୁବନେଶ୍ୱର : ‘ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ)ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ କମ୍ପ୍ୟୁଟର ସାଇନସ୍ ଏବଂ ଇଞ୍ଜିନିୟରିଂ ବିଭାଗର ଛାତ୍ର ଏବଂ ତଥା ଏନ୍ଏସଏସ୍ ସ୍ୱେଚ୍ଛାସେବୀ ଶ୍ରୀ ଅଖିଳ କୁମାର ଦ୍ୱିବେଦୀ ।
ଭାରତକୁ ଏକ ବିକଶିତ ଜାତି ରୂପେ ଗଢି ତୋଳିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ଜାନୁଆରୀ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଜାତୀୟ ସ୍ତରର ‘ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ’ କାର୍ଯ୍ୟକ୍ରମରେ ସୋଆର ଛାତ୍ର ଶ୍ରୀ ଦ୍ୱିବେଦୀ ସାମିଲ ହୋଇଥିଲେ ।
ଶ୍ରୀ ଦ୍ୱିବେଦୀ “ବିକଶିତ ଭାରତ ପାଇଁ ଭବିଷ୍ୟତ ପ୍ରସ୍ତୁତ କାର୍ମିକ ଶକ୍ତି ଗଢିବା” ଥିମାଟିକ୍ ଟ୍ରାକ୍ ଅଧୀନରେ ଅଂଶଗ୍ରହଣ କରିଥିଲେ । ଚୟନ ପ୍ରକିୟା ଏକାଧିକ ପର୍ଯ୍ୟାୟରେ ହୋଇଥିଲା ଏବଂ ଏଥିରେ ଓଡିଶା ରାଜ୍ୟରୁ ୧୦,୦୦୦ରୁ ଅଧିକ ପ୍ରାର୍ଥୀ ଭାଗ ନେଇଥିଲେ । ଏହା କୁଇଜ୍ ରାଉଣ୍ଡରୁ ଆରମ୍ଭ ହୋଇଥିଲା, ଯାହାକୁ ସେ ସଫଳତାର ସହିତ ଉତୀର୍ଣ୍ଣ ହୋଇଥିଲେ । ପରବର୍ତୀ ପର୍ଯ୍ୟାୟରେ ରଚନା ରାଉଣ୍ଡରେ, ସେ କୃତ୍ରିମ ବୁଦ୍ଧିମତା (ଏଆଇ) ବ୍ୟବହାର କରି ମୂଳ ଦକ୍ଷତା, ଅନୁକୂଳ କ୍ଷମତା ଏବଂ ଦୀର୍ଘକାଳୀନ ନିଯୁକ୍ତି ଯୋଗ୍ୟତାକୁ ସୁଦଢ କରିବା ଉଦ୍ଦେଶ୍ୟରେ ଏକ ସଂରଚିତ, ପ୍ରଯୁକ୍ତି – ଆଧାରିତ ଫ୍ରେମୱାର୍କ ପ୍ରସ୍ତାବ ଦେଇଥିଲେ ।
ତାଙ୍କ ରଚନା ପ୍ରସ୍ତୁତି (ପିପିଟି) ରାଉଣ୍ଡ ପାଇଁ ମନୋନୀତ ହୋଇଥିଲା, ଯେଉଁଠାରେ ସେ ନିଜ ଧାରଣାକୁ ସଂଗଠିତ ଏବଂ ବିଶ୍ଳେଷଣାତ୍ମକ ପ୍ରସ୍ତୁତି ମାଧ୍ୟମରେ ବିସ୍ତାରିତ କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ବିଶେଷଜ୍ଞମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବ୍ୟକ୍ତିଗତ ସାକ୍ଷାତ୍କାରରେ ଅଂଶଗ୍ରହଣ କରିଥିଲେ ଯେଉଁଠାରେ ତାଙ୍କ ପ୍ରସ୍ତାବିତ ଫ୍ରେମୱାର୍କର ସାଧ୍ୟତା, ବିସ୍ତାରଣ ଯୋଗ୍ୟତା, ନବୀନତା ଏବଂ ଜାତୀୟ ସ୍ତରର ସମ୍ଭାବ୍ୟ ପ୍ରଭାବକୁ ମୂଲ୍ୟାୟନ କରାଯାଇଥିଲା । କୁଇଜ୍, ରଚନା ପ୍ରସ୍ତୁତି ଏବଂ ସାକ୍ଷାତାକାର – ଏହି ସମସ୍ତ ପର୍ଯ୍ୟାୟର ସମ୍ପୂର୍ଣ୍ଣ ମୂଲ୍ୟାୟନ ଆଧାରରେ, “ ମୁଁ ବିକଶିତ ଭାରତ ପାଇଁ ଭବିଷ୍ୟତ – ପ୍ରସ୍ତୁ୍ତ କାର୍ମିକ ଶକ୍ତି ଗଢିବା” ଥିମାଟିକ୍ ଟ୍ରାକ୍ରେ ଶ୍ରୀ ଦ୍ୱିବେଦୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରର କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗୀୟ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବିୟ ଏବଂ ଭାରତର ଜାତୀୟ ସୁରକ୍ଷା (ଏନ୍ଏସ୍ଏ)ର ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ଭୁବନେଶ୍ୱର ଫେରିବା ପରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଛାତ୍ର ଶ୍ରୀ ଦ୍ୱିବେଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତରୋତର କାମନା କରିଛନ୍ତି । ପ୍ରଫେସର ନାୟକଙ୍କୁ ସାକ୍ଷାତ ସମୟରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଡିସ୍ନାଲ୍ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ଶେଖର ମିଶ୍ର ଏବଂ ସୋଆ ଏନ୍ଏସ୍ଏସ୍ର କୋଅର୍ଡିନେଟର ଆସୋସିଏଟ ପ୍ରଫେସର କମଳଲୋଚନ ମହନ୍ତ ଉପସ୍ଥିତ ଥିଲେ ।

