Home News in Odia ଯୁବ ଚେହେରା ଖୋଜୁଛନ୍ତି ଦୁଇ ଦଳ

ଯୁବ ଚେହେରା ଖୋଜୁଛନ୍ତି ଦୁଇ ଦଳ

ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଖୁବ୍‍ଶୀଘ୍ର ନିଜର ନୂଆ ରାଜ୍ୟ ମୁଖିଆ ପାଇବାକୁ ଯାଉଥିବାବେଳେ ଏଥର ସଭାପତି ଚୟନ ସମୟରେ ଯୁବ ନେତୃତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସୂଚନା ମିଳିଛି । ଏଥି ସହିତ ଯେଉଁ ନେତାମାନଙ୍କର ସଂସଦୀୟ କ୍ଷେତ୍ର ଉପରେ ଅଧିକ ପ୍ରଭାବ ରହିଛି ସେମାନଙ୍କ କଥା ମଧ୍ୟ ଅଗ୍ରାଧିକାର ଭିତ୍ତିରେ ଦଳ ବିଚାର କରୁଛି ।

ରାଜ୍ୟ ବିଜେପିରେ ଏବେ ନୂଆ ସଭାପତି ନିଯୁକ୍ତ ପାଇଁ କସରତ ଚାଲିଛି । ଦୌଡରେ ଦୁଇ ଜଣ ପୂର୍ବତନ ସଭାପତିଙ୍କ ସହିତ, ସାଂସଦ, ବିଧାୟକ ଓ ଦଳର ଆଉ କିଛି ବରିଷ୍ଠ ନେତା ରହିଛନ୍ତି । ତେବେ ଦଳ ପକ୍ଷରୁ ଯୁବ ଚେହେରା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସଂସଦୀୟ କ୍ଷେତ୍ର ଉପରେ ପ୍ରଭାବ ଥିବା ନେତାଙ୍କୁ ରାଜ୍ୟ ସଭାପତି ଚୌକିରେ ବସାଇବାକୁ ଦଳ ଚାହୁଁଛି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସହିତ ସାଂଗଠନିକ ଦୃଷ୍ଟିକୋଣରୁ ଦଳ ଯୁବ ନେତୃତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଦଳର ଗୋଟିଏ ଗୋଷ୍ଠି କିନ୍ତୁ ଅନୁଭବି ପୁରୁଖା ନେତାଙ୍କ ସପକ୍ଷରେ ଲବି ଚଳାଇଛନ୍ତି । ସେହିଭଳି ଗତ ନିର୍ବାଚନ ସମୟରେ ଦଳକୁ କ୍ଷମତାକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନେତାଙ୍କୁ ସଭାପତି ଦାୟିତ୍ୱ ଦେବାପାଇଁ ଦଳ ଭିତରେ ମତପ୍ରକାଶ ପାଉଛି ।

ସେହିଭଳି ଦୀର୍ଘଦିନ ଧରି ମୁଖିଆ ବିହୀନ ହୋଇ ପଡିଥିବା ରାଜ୍ୟ କଂଗ୍ରେସରେ ମଧ୍ୟ ଖୁବ୍‍ଶୀଘ୍ର ସଭାପତି ନିଯୁକ୍ତ ହେବାକୁ ଯାଉଛି । ଏଠାରେ ମଧ୍ୟ ଏଥର ଜଣେ ଯୁବ ଚେହେରାଙ୍କ ହାତରେ କଂଗ୍ରେସର ମଙ୍ଗ ଦେବାପାଇଁ ଦଳ ବିଚାରୁଥିବା ସୂଚନା ମିଳିଛି । ତେବେ ଅନେକ ବରିଷ୍ଠ ନେତା ଏଥର ନିଜଆଡୁ ସଭାପତି ଦୌଡରୁ ଦୂରେଇ ରହିଥିବାରୁ ଏଥର ସଭାପତି ଚୟନ ସମୟରେ ଯୁବ ଚେହେରାଙ୍କୁ ଅଗ୍ରାଧିକାର ମିଳିବାର ସମ୍ଭାବନା ଅଧିକ ।

ତେବେ ବିଜେପି ଭଳି କଂଗ୍ରେସରେ ମଧ୍ୟ ସଂସଦୀୟ କ୍ଷେତ୍ର ଉପରେ ପ୍ରଭାବ ରହିଥିବା ଜଣେ ନେତାଙ୍କୁ ସଭାପତି ଚୌକିରେ ବସାଇବାପାଇଁ ହାଇକମାଣ୍ଡ ବିଚାରୁଥିବା ନେଇ ଆଲୋଚନା ଚାଲିଛି । ଏହି ଦୌଡରେ ଦଳର ଜଣେ ସାଂସଦ ଓ କିଛି ବିଧାୟକ ଅଛନ୍ତି । ତେବେ ଦଳ ଏଥର ବିଧାନସଭାରେ ୧୪ଟି ଆସନ ସହିତ ତୃତୀୟ ସ୍ଥାନରେ ରହିଥିବାରୁ ଓ ରାଜ୍ୟରେ ଦଳର ଶକ୍ତି ବୃଦ୍ଧି ପାଇଁ ଜଣେ ଅନୁଭବି ଓ ଦକ୍ଷ ନେତାଙ୍କୁ ସଭାପତି ପଦରେ ବସାଇବାପାଇଁ ଦଳୀୟ ମହଲରେ ମତପ୍ରକାଶ ପାଉଛି ।

ତେବେ ଯାହା ସୂଚନା ମିଳୁଛି ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ଦୁଇ ପ୍ରମୁଖ ଦଳ ସେମାନଙ୍କର ନୂଆ ରାଜ୍ୟ ସଭାପତି ପାଇବା ସହିତ ଘର ସଜଡା କାମ ଆରମ୍ଭ କରିଦେବେ । ଇତି ମଧ୍ୟରେ ବିଜେପି ତାହାର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କ ନିର୍ବାଚନକୁ ଚୂଡାନ୍ତ ରୂପରେଖ ଦେଉଥିବାବେଳେ ମୁଖ୍ୟ ବିରୋଧିଦଳ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଚଳାଇଛି । ଏଭଳି ସ୍ଥିତିରେ ପଛରେ ପଡିଥିବା କଂଗ୍ରେସକୁ ଦଳର ନୂଆ ସଭାପତି କେତେ ବଳ ଦେବେ ତାହା ଉପରେ ନଜର ରହିଥିବାବେଳେ ବିଜେପିର ନୂଆ ସଭାପତି ଉଭୟ ଦଳ ଓ ସରକାରକୁ କିଭଳି ଦିଗ୍‍ଦର୍ଶନ ଦେବେ ତାହାକୁ ମଧ୍ୟ ଦଳ ଓ ରାଜ୍ୟବାସୀ ଅପେକ୍ଷାକରି ରହିଛନ୍ତି । (ତଥ୍ୟ)