Home General ଯୁଦ୍ଧ ଗୁଜବକାରୀ ସକ୍ରିୟ

ଯୁଦ୍ଧ ଗୁଜବକାରୀ ସକ୍ରିୟ

ଭୁବନେଶ୍ୱର : ଭାରତର ଅପରେସନ ସିନ୍ଦୁରର ସଫଳତା ପରେ ଏବେ ଆରମ୍ଭ ହୋଇଛି ଯୁଦ୍ଧ ଗୁଜବ । ଏହି ଗୁଜବରେ ଯୁଦ୍ଧ ଅପେକ୍ଷା ଯୁଦ୍ଧ ଭୟରେ କିଭଳି ବିଭିନ୍ନ ସାମଗ୍ରୀ ମହଜୁଦ ରଖିବ ତାହାକୁ ନେଇ ଭଳିକି ଭଳି ମାର୍ଗନିର୍ଦ୍ଦେଶିକା ଛଡାଯାଉଛି । ତେବେ ଏଭଳି ମାର୍ଗନିର୍ଦ୍ଦେଶିକା କିଏ କେଉଁଠାରୁ ଛାଡୁଛି ତାହାର କୌଣସି ସୂଚନା ନଥିବାବେଳେ ଲୋକେ କିନ୍ତୁ ସୋସିଆଲ ମିଡିଆରେ ଏହାକୁ ଅଧିକ ଭାବରେ ସେୟାର କରିବାରେ ଲାଗିଛନ୍ତି ।

ସୋସିଆ ମିଡିଆରେ ଚକ୍କର କାଟୁଥିବା ଏହି ବେନାମୀ ମାର୍ଗଦର୍ଶିକାରେ ପ୍ରଥମେ ରହିଛି ଯୁଦ୍ଧ ସମୟରେ ନିଜ ପାଖରେ ଅତି କମ୍‍ରେ ନଗଦ ୫୦ହଜାର ଟଙ୍କା ଗଚ୍ଛିତ ରଖନ୍ତୁ । ଏଥି ସହିତ ଗାଡି ପାଇଁ ତେଲ, ରୋଗୀଙ୍କ ପାଇଁ ଔଷଧ ସହିତ ଅନ୍ୟାନ୍ୟ ସାମଗ୍ରୀ କଥା ଉଲ୍ଲେଖ କରାଯାଇଛି । ଏଭଳି ମାର୍ଗଦର୍ଶିକା ଏବେ ଏ ମୋବାଇଲ୍‍ରୁ ସେ ମୋବାଇଲ୍‍ ଚକ୍କର କାଟୁଥିବାବେଳେ ଲୋକେ ବି ଏହା ସହିତ ଆଉ କିଛି ସୂଚନା ଯୋଡି ଛାଡିବାରେ ଲାଗିଛନ୍ତି ।

ଏଭଳି ବେନାମୀ ବାର୍ତ୍ତା ସହରରୁ ଗାଁ ପର୍ଯ୍ୟନ୍ତ ବ୍ୟାପୁଥିବାରୁ ଲୋକଙ୍କ ଉପରେ ମଧ୍ୟ ଧିରେ ଧିରେ ଏହାର ପ୍ରଭାବ ପଡିବାରେ ଲାଗିଛି । କିଛି ଲୋକେ ଏଥିରେ ପ୍ରଭାବିତ ହୋଇ ଏଟିଏମରୁ ଟଙ୍କା ଉଠାଇବା ସହିତ ନିଜ ପାଖରେ ଥିବା ଟଙ୍କାକୁ ଆଉ ବ୍ୟାଙ୍କ୍‍ରେ ଜମା କରୁନାହାନ୍ତି । ନଗଦ ଗଚ୍ଛିତ ରଖିବା ପାଇଁ କିଛି ଲୋକ ଖର୍ଚ୍ଚ ବି କମାଇବାରେ ଲାଗିଛନ୍ତି । ଏଥି ସହିତ ଔଷଧ ମଧ୍ୟ କିଣିବାରେ ଲାଗିଛନ୍ତି ।

ଏଭଳି ବେନାମୀ ମାର୍ଗଦର୍ଶିକା ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ଏହାକୁ ନିୟନ୍ତ୍ରଣ ଲାଗି ଯଦିଓ ସେଭଳି ପଦକ୍ଷେପ ନିଆଯାଇ ନାହିଁ, କିନ୍ତୁ ସରକାରୀ କଳ ଏ ଦିଗରେ ପଦକ୍ଷେପ ଆରମ୍ଭ କରିଛି । ରାଜ୍ୟରେ ସବୁ ସାମଗ୍ରୀ ମହଜୁଦ ରହିଛି ଏବଂ ଯଦି କୌଣସି ସ୍ଥାନରେ ଅଭାବ ବୋଲି ଦର୍ଶାଯାଏ ତେବେ ସରକାର କଡା ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଉଛି ।

ତେବେ ବର୍ତ୍ତମାନ ସୁଦ୍ଧା ସୋସିଆଲ ମିଡିଆରେ ବିଭିନ୍ନ ଭାଷାରେ ଘୂରି ବୁଲୁଥିବା ଏହି ଗୁଜବକୁ କିଏ କେଉଁଠାରୁ ଛାଡି ଲୋକଙ୍କୁ ଭୟଭୀତ କରୁଛି ସେ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଗୁଜବକାରୀମାନେ ଅଧିକ ଉତ୍ସାହିତ ହୋଇ ନୂଆ ନୂଆ ଗୁଜବ ଛାଡିବାରେ ଲାଗିଛନ୍ତି ।

ଇତି ମଧ୍ୟରେ କେନ୍ଦ୍ର ସରକାର ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାପାଇଁ ନିର୍ଦ୍ଦେଶ ଦେଇଥିବାରୁ ଖୁବ୍‍ଶୀଘ୍ର ସୋସିଆଲ ମିଡିଆ ଗୁଜବକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଇଟି ବିଶେଷଜ୍ଞମାନେ ଆଶା ପ୍ରକାଶ କରୁଛନ୍ତି । (ତଥ୍ୟ)