ଭୁବନେଶ୍ୱର : ଯୁକ୍ତ ଦୁଇ, ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବହୁ ସଂଖ୍ୟକ ପଦବୀ ଖାଲି ପଡିଥିବାରୁ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁଥିବା ଓଡିଶା ବିଧାନସଭାର ଷ୍ଟାଣ୍ଡିଂ କମିଟି ମତବ୍ୟକ୍ତ କରିବା ସଂଗେ ସଂଗେ ଯୁଦ୍ଧକାଳୀନ ଭିତ୍ତିରେ ଏହି ପଦବୀ ସବୁ ପୂରଣ କରିବାଲାଗି ସୁପାରିଶ୍ କରିଛନ୍ତି ।
ରାଜ୍ୟରେ ଶାସନ କ୍ଷମତରେ ଥିବା ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଏହି କମିଟିରେ ବିଜେପି, ବିଜେଡି ଓ କଂଗ୍ରେସର ଆଉ ୧୧ଜଣ ବିଧାୟକ ସଦସ୍ୟ ରହିଛନ୍ତି ।
ବିଧାନସଭାରେ ଉପସ୍ଥାପନ କରାଯାଇଥିବା ଏହି ଷ୍ଟାଣ୍ଡିଂ କମିଟିର ରିପୋର୍ଟରେ ରାଜ୍ୟର ବିଭିନ୍ନ ଶିକ୍ଷା ଜିଲ୍ଲାରେ ଖାଲି ପଡିଥିବା ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ପଦବୀଗୁଡିକ ପୂରଣ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଏହାଛଡା ଏହି କମିଟି ତାଙ୍କ ସୁପାରିଶ୍ରେ ବିଦ୍ୟାଳୟଗୁଡିକରେ ଶ୍ରେଣୀଗୃହ ସଂଖ୍ୟା ବଢାଇବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଲାଗି ଧ୍ୟାନ ଦେବାକୁ ଉଲ୍ଲେଖ କରିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଚାଲୁଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗି ପୂର୍ତ୍ତ ଓ ପଞ୍ଚାୟତିରାଜ ଭଳି ବିଭାଗର ଇଞ୍ଜିନିୟରମାନଙ୍କ ଉପରେ ନିର୍ଭର କରାଯାଉଛି । ଏମାନଙ୍କ ଉପରେ ନିର୍ଭର କରିବା ଅପେକ୍ଷା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଜର ଇଞ୍ଜିନିୟର ନିଯୁକ୍ତି ଦେବାଲାଗି ମଧ୍ୟ କମିଟି ଦୃଢଭାବେ କହିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଖାଲି ପଡିଥିବା ବ୍ୟାପକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଗଲେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବନାହିଁ ବୋଲି ଉଲ୍ଲେଖ କରିବା ସହିତ ଏ କ୍ଷେତ୍ରରୁ ସମ୍ପୂର୍ଣ୍ଣ ଭାବେ ଦୁର୍ନୀତି ଦୂର କରିବାକୁ ମଧ୍ୟ କୁହାଯାଇଛି । ସଂଖ୍ୟାଧିକ କଲେଜରେ ନିୟମିତ ଅଧ୍ୟକ୍ଷ ନଥିବାରୁ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦ୍ୱାରା କାମ ଚଳାଯାଉଥିବା ଘଟଣାରେ ଉଦବେଗପ୍ରକାଶ କରି କମିଟି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ନିୟମିତ ଅଧ୍ୟକ୍ଷ ନଥିବାରୁ ବହୁ କ୍ଷେତ୍ରରେ କଲେଜଗୁଡିକରେ ବିଶୃଙ୍ଖଳା ଦେଖାଦେଉଛି । ତେଣୁ ଯଥାଶୀଘ୍ର କଲେଜଗୁଡିକରେ ଖାଲି ପଡିଥିବା ଅଧ୍ୟକ୍ଷ ପଦବୀ ସବୁ ନିୟମିତ ଭିତ୍ତିରେ ପୂରଣ କରିବାପାଇଁ କମିଟି ସୁପାରିଶ୍ କରିଛନ୍ତି ।
ବିଦ୍ୟାଳୟର ପିଲାମାନଙ୍କୁ ଯେଉଁ ପୋଷାକ ଯୋଗାଇ ଦିଆଯାଉଛି ତାହା ଅତି ଖରାପ ମାନର ବୋଲି କମିଟି ଉଲ୍ଲେଖ କରିଛନ୍ତି । ପିଲାଙ୍କ ପୋଷାକ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁଥିବାବେଳେ ଯୋଗାଣକାରୀମାନେ ଯେଉଁ ନମୂନା ଦେଖାଇ ଟେଣ୍ଡର ଭରୁଛନ୍ତି ପୋଷାକ ଯୋଗାଣବେଳେ ତାହାଠାରୁ ସେଭଳି ମାନର ପୋଷାକ ଦେଉନାହାନ୍ତି । ଏହାଛଡା ବହୁ କ୍ଷେତ୍ରରେ ଯୋଗାଯାଉଥିବା ପୋଷାକ ମଧ୍ୟ ପିଲାଙ୍କ ମାପକୁ ହେଉନାହିଁ । ଏ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବାପାଇଁ ମଧ୍ୟ କମିଟି କହିଛନ୍ତି । (ତଥ୍ୟ)

