ଭୁବନେଶ୍ୱର : ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁ ଏଥର ଡିଗ୍ରୀ କଲେଜ୍ଗୁଡ଼ିକରେ ଯୁକ୍ତ ୩ ଶ୍ରେଣୀରେ ନାମ ଲେଖା ସଂକ୍ରାନ୍ତରେ ବିଭ୍ରାଟ ଉପୁଜିଛି । ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ୨ ଫଳାଫଳ ପ୍ରକାଶ ପୂର୍ବରୁ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡର ପ୍ରକାଶିତ ଫଳାଫଳକୁ ଆଖି ଆଗରେ ରଖି ସାମ୍ସ ମାଧ୍ୟମରେ ନାମ ଲେଖା ପାଇଁ ଆବେଦନ ପତ୍ରର ଶେଷ ତାରିଖ ଗଡ଼ି ଯାଇଛି । ଏଥିଯୋଗୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ସାଧାରଣ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ସରକାର ଯୁକ୍ତ ୩ରେ ନାମ ଲେଖା ପାଇଁ ଆବେଦନ ସମୟ ଜୁନ ୧ତାରିଖୁ ବୃଦ୍ଧି କରିଛନ୍ତି ।
ପୂର୍ବରୁ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିଥିବାବେଳେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏଯାବତ୍ ଯୁକ୍ତ ଦୁଇ ଫଳ ପ୍ରକାଶ କରିନାହିଁ । ଅଥଚ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ଅଧୀନରେ ଥିବା ଡିଗ୍ରୀ କଲେଜ୍ଗୁଡ଼ିକରେ ଯୁକ୍ତ ୩ ପ୍ରଥମ ବର୍ଷରେ ନାମାଙ୍କନ ପାଇଁ ଏପ୍ରିଲ ୧୬ରୁ ମଇ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ମାଧ୍ୟମରେ ଅନ୍ଲାଇନ୍ରେ କମନ୍ ଆପ୍ଲିକେଶନ୍ ଫର୍ମ ପକାଇବା ଲାଗି ବିଜ୍ଞପ୍ତି ଜାରି କରାଯାଇଥିଲା । ଏହି କମନ୍ ଆପ୍ଲିକେଶନ୍ ଫର୍ମରେ ଜଣେ ଆବେଦନକାରୀ କେଉଁ କେଉଁ କଲେଜ୍ରେ ନାମାଙ୍କନ ପାଇଁ ଆଗ୍ରହୀ ତାହା ପସନ୍ଦ ମୁତାବକ କ୍ରମରେ ଦେଇଥାନ୍ତି । କେବଳ ସେତିକି ନୁହେଁ, ଯୁକ୍ତ ୩ରେ କିଏ କେଉଁ ବିଷୟ ପଢ଼ିବ ତାହା ବି ଏଥିରେ ଉଲ୍ଲେଖ କରିଥାନ୍ତି ।
କିନ୍ତୁ ଆଶ୍ଚର୍ଯ୍ୟର କଥା ଓଡ଼ିଶା ସରକାରଙ୍କ ଯୁକ୍ତ ୨ ଶିକ୍ଷା ପରିଷଦ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ସାମ୍ସ ମାଧ୍ୟମରେ ଆବେଦନ ଆରମ୍ଭ ହୋଇଯାଇଛି । ପରୀକ୍ଷାର୍ଥୀ ପାସ୍ କରିବେ କି ନାହିଁ ଜଣାନାହିଁ, କିଏ କେଉଁ ବିଷୟରେ କେତେ ନମ୍ବର ରଖିବ ଓ କେଉଁଥିରେ ଭଲମନ୍ଦ କରିବ ତାହା ବି ଜଣାନଥିବା ବେଳେ ଶେଷ ତାରିଖ ପୂର୍ବରୁ ଯୁକ୍ତ ୨ ଶିକ୍ଷା ପରିଷଦ ଅଧୀନରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ପିଲାମାନେ କିଭଳି ଯୁକ୍ତ ୩ ପାଇଁ ଆବେଦନ କରିବେ ତାହା କେବଳ ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ ନିଷ୍ପତ୍ତି ନେଉଥିବା ବ୍ୟକ୍ତିମାନେ ହିଁ ଜାଣନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଯୁକ୍ତ ୨ ଶିକ୍ଷା ପରିଷଦ ମାଧ୍ୟମରେ ପରୀକ୍ଷା ଦେଇଥିବା ରାଜ୍ୟର ପ୍ରାୟ ୩ଲକ୍ଷ ୮୫ହଜାର ଛାତ୍ରଛାତ୍ରୀ ସେମାନଙ୍କ ଫଳାଫଳକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିବା ବେଳେ ଯୁକ୍ତ ୩ ପାଇଁ ଆବେଦନକୁ ନେଇ ସପରିବାର ଘୋର ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି ।
ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ଯେ ୨୧ତାରିଖ ବୁଧବାଦ ଦିନ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ଉଚ୍ଚ ଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ହଜାରେରୁ ଅଧିକ ଡିଗ୍ରୀ କଲେଜ୍ର ପ୍ରାୟ ୨ଲକ୍ଷ ୭୪ ହଜାର ଆସନ ପାଇଁ ନାମାଙ୍କନ ପ୍ରକ୍ରିୟାରେ ବିଭ୍ରାଟ ଉପୁଜିଛି ।
ଉଚ୍ଚଶିକ୍ଷା ବିଭାଗର ଜଣେ କର୍ମକର୍ତ୍ତା କହିଛନ୍ତି ଯେ ପୂର୍ବରୁ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଶା ରଖି ମଇ ୨୦ ପର୍ଯ୍ୟନ୍ତ ଯୁକ୍ତ ୩ ପାଇଁ ଆବେଦନ କରିବାକୁ କୁହାଯାଇଥିଲା । ତେବେ ଶେଷ ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ ପାଇନଥିବାରୁ କର୍ତ୍ତୃପକ୍ଷ ସାମ୍ସ ଆବେଦନ ତାରିଖକୁ ଘୁଞ୍ଚାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଯୁକ୍ତ ୨ ଫଳାଫଳ ପ୍ରକାଶ ପାଇନଥିବା ଯୋଗୁ ଯୁକ୍ତ ୩ର ନାମାଙ୍କନ ପାଇଁ ଥିବା ଆସନ ଭିତରୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପିଲାମାନେ ଯେଉଁ ଆବେଦନ ପକାଇଛନ୍ତି ତାହା ମୋଟା ଆସନ ସଂଖ୍ୟାର ୫୦ ପ୍ରତିଶତ ବି ନୁହେଁ । ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ଯୁକ୍ତ ୨ ପରିଷଦ ସହ ଆଲୋଚନା କରି ନାମାଙ୍କନର ସମୟ ଧାର୍ଯ୍ୟ କରିଥିଲେ ଏଭଳି ସମସ୍ୟା ଉପୁଜିନଥାନ୍ତା ବୋଲି ଅଧ୍ୟାପକ ଓ ଶିକ୍ଷାବିତ୍ମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)