ଭୁବନେଶ୍ୱର : ଦଶମ ଶ୍ରେଣୀର ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ରାଜଧାନୀରେ ଥିବା ବିଭିନ୍ନ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ନାମଲେଖା ସରିଲାଣି । ଏଥିପାଇଁ ଦଶମଶ୍ରେଣୀର ପିଲାମାନେ ପ୍ରବେଶିକା ପରୀକ୍ଷା ଦେବା ସହିତ ମୋଟା ଅଙ୍କର ଅର୍ଥ ଦେଇ ନାମଲେଖାଇ ସାରିଲେଣି ।
ବର୍ତ୍ତମାନ ଆରମ୍ଭ ହୋଇଛି ପରୀକ୍ଷା ଋତୁ । ଉଭୟ ଇଂରାଜୀ ଓ ଓଡିଆ ମାଧ୍ୟମ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଆସନ୍ତା ମାସରେ ସେମାନଙ୍କର ପରୀକ୍ଷା ସରିବ । ପରୀକ୍ଷାଫଳ ସମ୍ଭବତଃ ମଇ ମାସରେ ପ୍ରକାଶ ପାଇବ । ଏହାପରେ ଯୁକ୍ତ ଦୁଇ ସ୍ତରରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ।
ହେଲେ ଦଶମ ଶ୍ରେଣୀ ପରୀକ୍ଷା ପୂର୍ବରୁ ରାଜ୍ୟର ବିଶେଷକରି ରାଜଧାନୀରେ ଥିବା ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକରେ ଯୁକ୍ତ ଦୁଇ ନାମଲେଖା ସରିଲାଣି । ଏଥିପାଇଁ ପ୍ରବେଶିକା ପରୀକ୍ଷା ବି ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ଦୁଇ ବିଜ୍ଞାନ ପଢିବାପାଇଁ ପ୍ରବେଶିକା ପରୀକ୍ଷାରେ ଅତି କମ୍ରେ ୮୦ ରୁ ୮୫ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । କେତେକ ବିଦ୍ୟାଳୟରେ ଏହି ହାର ୯୫ ପ୍ରତିଶତ ଠାରୁ ବି ଅଧିକ ରହିଛି ।
ପ୍ରାୟତଃ ରାଜଧାନୀରେ ଥିବା ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଯୁକ୍ତ ଦୁଇ ନାମଲେଖା ସରିଯାଇଛି । ତେଣୁ ଓଡିଆ ମାଧ୍ୟମ ବିଦ୍ୟାଳୟରୁ ଯେଉଁ ମେଧାବୀ ଛାତ୍ରଚାତ୍ରୀମାନେ ଦଶମ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ସେମାନେ ଆଉ ଏହିସବୁ ବିଦ୍ୟାଳୟରେ ଚାହିଁଲେ ବି ନାମଲେଖାଇ ପାରିବେ ନାହିଁ । କାରଣ ସମସ୍ତ ଆସନ ପୂରଣ ହୋଇଥିବାରୁ ଏଠାରେ ଆଉ ନାମ ଲେଖାଇବାର ସୁଯୋଗ ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇବାପାଇଁ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକ ଲକ୍ଷାଧିକ ଟଙ୍କା ନେଇଛନ୍ତି । ଏଥି ସହିତ ଆଗୁଆ ଭାବେ ତିନି ମାସର ବିଦ୍ୟାଳୟ ଫି ବି ନେଇଛନ୍ତି । ଫଳରେ ଯଦି କୌଣସି ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଚାହିଁବେ ସେମାନେ ଆଉ ଏଠାରୁ ସହଜରେ ଯାଇପାରିବେ ନାହିଁ କିମ୍ବା ଯଦି ଶିକ୍ଷାନୁଷ୍ଠାନ ଛାଡିବେ ତେବେ ତାଙ୍କୁ ଆଉ ପଇସା ଫେରସ୍ତ ମିଳିବ ନାହିଁ ।
ଗୋଟିଏ ପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଅନ୍ୟପଟେ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଏହା ପୂର୍ବରୁ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ କିଭଳି ଯୁକ୍ତ ଦୁଇ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା କରାଇ ନାମ ଲେଖାଇଲେ ଓ ଏ ବାବଦରେ କୋଟି କୋଟି ଟଙ୍କା ଆଦାୟ କଲେ ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିକ୍ଷାବିତ୍ମାନଙ୍କ ମତରେ ଏଭଳି ନାମଲେଖା ସମ୍ପୂର୍ଣ୍ଣ ବେଆଇନ୍ ହୋଇଥିବାବେଳେ ଏହା ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇବା ଆବଶ୍ୟକ । ନଚେତ୍ ବହୁ ମେଧାବୀ ଛାତ୍ରଛାତ୍ରୀ ଏହିସବୁ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପଢିବାରୁ ବଞ୍ଚିତ ହେବେ ।
ତେବେ ଦୀର୍ଘବର୍ଷ ଧରି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକ କେବଳ ଯୁକ୍ତ ଦୁଇ ନୁହେଁ, ଅନ୍ୟାନ୍ୟ ଶ୍ରେଣୀରେ ନାମଲେଖା କ୍ଷେତ୍ରରେ ଏଭଳି ମନମାନି କରି ଆସୁଥିଲେ ବି ସରକାର ଏକ ପ୍ରକାର ନିରବଦ୍ରଷ୍ଟା ସାଜୁଛନ୍ତି । ଏହାଦ୍ୱାରା ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ବିପୁଳ ଅର୍ଥ ଆଦାୟ କରୁଥିବାବେଳେ ଯୁକ୍ତ ଦୁଇ ସ୍ତରରେ ଏକ ପ୍ରକାର ଭେଦଭାବ ସୃଷ୍ଟି ହେବାରେ ଲାଗିଛି । (ତଥ୍ୟ)