Home Agriculture ଯାନ୍ତ୍ରିକ କୃଷି ପାଇଁ ଟ୍ରାକ୍ଟର ପସନ୍ଦ

ଯାନ୍ତ୍ରିକ କୃଷି ପାଇଁ ଟ୍ରାକ୍ଟର ପସନ୍ଦ

ଭୁବନେଶ୍ୱର : ରାଜ୍ୟର ଚାଷୀମାନେ କୃଷି ଯନ୍ତ୍ରପାତି ମଧ୍ୟରେ ଟ୍ରାକ୍ଟରକୁ ଅଧିକ ପସନ୍ଦ କରିବା ସହିତ ଚାଷ କାର୍ଯ୍ୟରେ ଏହାକୁ ବ୍ୟବହାର କରୁଛନ୍ତି । ଚାଷ କ୍ଷେତ୍ରରେ ହଳ ବଳଦର ଯେତିକି ବ୍ୟବହାର ହେଉଛି ତାହାର ଦୁଇଗୁଣାରୁ ଅଧିକ ଟ୍ରାକ୍ଟର ରହିଥିବା ଜଣାଯାଇଛି ।

ରାଜ୍ୟରେ ଚାଷ କାର୍ଯ୍ୟରେ କୃଷି ଯନ୍ତ୍ରପାତିର ବ୍ୟବହାର ସଂକ୍ରାନ୍ତରେ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଏବେ ବି ରାଜ୍ୟର ୨୮.୭୫ ପ୍ରତିଶତ ଚାଷୀମାନେ ହଳ ବଳଦ ଦ୍ୱାରା କୃଷି କାର୍ଯ୍ୟ କରୁଥିବାବେଳେ ଶତକଡା ୬୦.୨୫ ପ୍ରତିଶତ ଚାଷୀ କୃଷି କ୍ଷେତରେ ଟ୍ରାକ୍ଟର ବ୍ୟବହାର କରୁଛନ୍ତି । ସେହିଭଳି ୧୧ ପ୍ରତିଶତ ଚାଷୀ ପାୱାରଟିଲର ବ୍ୟବହାର କରୁଥିବା ଜଣାଯାଇଛି ।

ହଳ ବଳଦ ତୁଳନାରେ ଟ୍ରାକ୍ଟରେ ଖର୍ଚ୍ଚ କମ୍‍ ହେବା ସହିତ କାର୍ଯ୍ୟ ଶ୍ରୀଘ୍ର ହେବା ଏବଂ ଏହା ଜରିଆରେ ବହୁମୁଖୀ କାର୍ଯ୍ୟ କରାଯାଇ ପାରୁଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଟ୍ରାକ୍ଟର ଜରିଆରେ ବିଲରେ ହଳ ସହିତ ମାଟି ବୁହା, ଧାନ ବୋହିବା, ଧାନ ଅମଳ କରିବା ଆଦି କାର୍ଯ୍ୟ ହୋଇପାରୁଛି । ଯେଉଁମାନେ ଟ୍ରାକ୍ଟର ପାଇଁ ଅତିରିକ୍ତ ସାଜ ସରଞ୍ଜାମ ଖରିଦ କରୁଛନ୍ତି ସେମାନେ ବୈଜ୍ଞାନିକ ପଦ୍ଧତିରେ କୃଷି ପାଇଁ ତାହାକୁ ବ୍ୟବହାର କରୁଛନ୍ତି । ଚାଷ କାର୍ଯ୍ୟରୁ ବିରତି ସମୟରେ ଟ୍ରାକ୍ଟରକୁ ମଧ୍ୟ ଅନ୍ୟାନ୍ୟ ବ୍ୟବସାୟିକ କାର୍ଯ୍ୟରେ ଲଗାଯାଇ ପାରୁଛି ।

ତେବେ ରାଜ୍ୟରେ କୃଷି ଯନ୍ତ୍ରପାତିର ବ୍ୟବହାର ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ୨୦୧୨-୧୩ ମସିହାରେ କୃଷି କ୍ଷେତରେ ହେକ୍ଟର ପିଛା ୧.୩୩ କିଲୋୱାଟ ଯାନ୍ତ୍ରିକ ଶକ୍ତିର ଉପଯୋଗ ହେଉଥିବାବେଳେ ୨୦୨୩-୨୪ରେ ଏହା ୨.୪୮ କିଲୋୱାଟରେ ପହଞ୍ଚିଛି । ଯଦିଓ ଓଡିଶାରେ କୃଷି ଯନ୍ତ୍ରପାତିର ବ୍ୟବହାର ବଢିଛି ତଥାପି ଏହା ଅନ୍ୟ ରାଜ୍ୟ ତୁଳନାରେ ପଛରେ ରହିଥିବା ଜଣାଯାଇଛି ।

୨୦୧୨-୧୩ ମସିହାରେ ସର୍ବ ଭାରତୀୟ ସ୍ତରରେ କୃଷି କ୍ଷେତରେ ହେକ୍ଟର ପିଛା ୨.୦୩ କିଲୋୱାଟ ଯାନ୍ତ୍ରିକ ଶକ୍ତିର ଉପଯୋଗ ହେଉଥିବାବେଳେ ସେତେବେଳେ ଓଡିଶାରେ ଏହା ୧.୬୫ କିଲୋୱାଟ ରହିଥିଲା । ୨୦୨୨ ମସିହାରେ ସର୍ବଭାରତୀୟ ସ୍ତରରେ ଏହା ୨.୫୦ କିଲୋୱାଟରେ ପହଞ୍ଚିଥିବାବେଳେ ଓଡିଶାରେ ଏହା ୧.୯୬ କିଲୋୱାଟ ରହିଥିଲା । ତେବେ ଏହି ସମୟରେ ପଶ୍ଚିମବଙ୍ଗରେ ଏହି ପରିମାଣ ୨.୨୫ କିଲୋୱାଟ ରହିଥିଲା ।

ଆଗାମୀ ୨୦୩୦ ମସିହା ବେଳକୁ କୃଷି କ୍ଷେତ୍ରରେ ଯାନ୍ତ୍ରିକ ଶକ୍ତିର ଉପଯୋଗ ନେଇ କେନ୍ଦ୍ର ଯେଉଁ ଆକଳନ କରିଛନ୍ତି ସେଥିରେ ଦର୍ଶାଯାଇଛି ଯେ ସର୍ବଭାରତୀୟ ସ୍ତରରେ ଏହା ହେକ୍ଟର ପିଛା ୪ କିଲୋୱାଟରେ ପହଞ୍ଚିବ । ସେହି ସମୟ ବେଳକୁ ଓଡିଶାର ଚାଷ ଜମିରେ ହେକ୍ଟର ପିଛା ୨.୯୩ କିଲୋୱାଟ ଯାନ୍ତ୍ରିକ ଶକ୍ତି ଉପଯୋଗ ହେଉଥିବାବେଳେ ପଞ୍ଜାବରେ ୭.୮୯, ହରିଆନାରେ ୭.୫୧, କଣ୍ଣାଟକରେ ୪.୪୩, ଆନ୍ଧ୍ରପ୍ରଦେଶରେ ୩.୭୨, ତ୍ରିପୁରାରେ ୩.୪୮, ଛତିଶଗଡରେ ୨.୮୬, ପଶ୍ଚିମବଙ୍ଗରେ ୩.୯୭ କିଲୋୱାଟ ରହିବ ।

ତେବେ ଓଡିଶା ଭଳି କୃଷି ପ୍ରଧାନ ରାଜ୍ୟରେ କୃଷି ଯନ୍ତ୍ରପାତି ଖରିଦ ପାଇଁ ରାଜ୍ୟ ସରକାର ବିପୁଳ ପରିମାଣର ସବସିଡ୍‍ ପ୍ରଦାନ କରୁଥିବାବେଳେ ଚାଷୀଙ୍କୁ ସହଜରେ ବ୍ୟାଙ୍କ୍‍ ଋଣ ନମିଳିବା ଯାନ୍ତ୍ରିକ କୃଷି କ୍ଷେତ୍ରରେ ବଡ ପ୍ରତିବନ୍ଧକ ସାଜିଛି । ସେହଭଳି ଅନେକ ଚାଷୀ ଛୋଟ ଛୋଟ କୃଷି ଯନ୍ତ୍ରପାତି ପାଇଁ ମିଳୁଥିବା ସବସିଡ୍‍ ପାଇବା ଆଶାରେ ତାହାକୁ ଖରିଦ କରୁଥିବାରୁ ଏହା ମଧ୍ୟ ଚାଷକାର୍ଯ୍ୟରେ ସେଭଳି ବ୍ୟବହାର ହୋଇପାରୁ ନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)