ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳଗୁଡିକରେ ରାସ୍ତାପାଶ୍ୱର୍ ଖାଦ୍ୟର ଚାହିଦା ବଢି ବଢି ଚାଲିଥିବାବେଳେ ଏହାର କିନ୍ତୁ ବିଧିବଦ୍ଧ ଯାଞ୍ଚ ହେଉନାହିଁ । ଫଳରେ ବ୍ୟବସାୟୀମାନେ ମୁନାଫା ଉଠାଉଥିବାବେଳେ ଲୋକେ କିନ୍ତୁ ବିଭିନ୍ନ ପ୍ରକାର ପେଟ ରୋଗରେ ପଡୁଛନ୍ତି ।
ରାଜଧାନୀରେ ଏବେ ରାସ୍ତାକଡ ଖାଦ୍ୟର ଚାହିଦା ଢେର ଅଧିକ ରହିଛି । ଲୋକେ ଏହି ଖାଦ୍ୟକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଆଖପାଖରେ ଥିବା ହୋଟେଲ ମାଲିକମାନଙ୍କ ବ୍ୟବସାୟ ପ୍ରଭାବିତ ହେଉଛି । ତେବେ ଏହି ଖାଦ୍ୟର ଚାହିଦାର ମୁଖ୍ୟ କାରଣ ହେଉଛି ଦର କମ୍ । ଚାଟ୍, ଗୁପ୍ଚୁପ୍ ଠାରୁ ଆରମ୍ଭକରି ମୋମୋ, ମକାସିଝା, ଚିକେନ ପୋଡା, ପନିର ପୋଡା ଆଦି ଭଳିକି ଭଳି ଖାଦ୍ୟର ପସରା ରାସ୍ତାକଡରେ ଖୋଲିବାରେ ଲାଗିଛି । ଅବସ୍ଥା ଏଭଳି ହେଲାଣି ବଡ ବଡ ବ୍ୟବସାୟୀମାନେ ରାସ୍ତାକଡରେ ଠେଲା ଲଗାଇଲେଣି ।
ତେବେ ରାସ୍ତାକଡରେ ବିକ୍ରି ହେଉଥିବା ଏହି ଖାଦ୍ୟ ପ୍ରସ୍ତୁତିରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଲକ୍ଷ୍ୟ କରାଯାଉଛି । ଖାଦ୍ୟ ପ୍ରସ୍ତୁତକର୍ତ୍ତାମାନେ ସବୁଠାରୁ କମ୍ ଦାମ୍ର ଟମାଟୋ ସସ୍, ଚିଲି ସସ୍ ଓ ସୋୟା ସସ୍ ଆଦି ବ୍ୟବହାର କରୁଛନ୍ତି । ଏଥି ସହିତ ବିପୁଳ ପରିମାଣର ଚାଇନା ସଲ୍ଟ ମଧ୍ୟ ବ୍ୟବହାର କରୁଛନ୍ତି ଯାହା ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ବିପଜନକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।
ତେବେ ସବୁଠାରୁ ବିପଦଜନକ ହେଉଛି ଏମାନେ ବ୍ୟବହାର କରୁଥିବା ପାଣି । ବିଶେଷକରି ଅଧିକାଂଶ ଗୁପଚୁପ୍ ବ୍ୟବସାୟୀମାନେ ବିଶୁଦ୍ଧ ପାଣି ବ୍ୟବହାର କରୁନାହାନ୍ତି । ଏଥି ସହିତ ଗୁପ୍ଚୁପ୍ରେ ବ୍ୟବହାର ହେଉଥିବା ଖଟା ପାଣି ପ୍ରସ୍ତୁତି ଲାଗି ଏମାନେ ବିଭିନ୍ନ ପ୍ରକାର ରସାୟନିକ ସାମଗ୍ରୀ ବ୍ୟବହାର କରୁଥବାର ଅଭିଯୋଗ ହେଉଛି । ତେନ୍ତୁଲି, ଆମ୍ବୁଲ ଓ ଆମ୍ଚୁର୍ ଭଳି ସାମଗ୍ରୀର ଦର ଅଧିକ ହୋଇଥିବାରୁ ପାଣିକୁ ଖଟା କରିବାପାଇଁ ତାହା ବଦଳରେ ଏମାନେ ରସାୟନିକ ସାମଗ୍ରୀ ବ୍ୟବହାର କରୁଛନ୍ତି । ଏହି ପାଣିକୁ ବାରମ୍ବାର ପିଇବା ଦ୍ୱାରା ଅନେକ ପେଟ ରୋଗରେ ବି ପଡୁଛନ୍ତି । ଏଥି ସହିତ ଅତ୍ୟନ୍ତ ଦୂଷିତ ପରିବେଶରେ ଗୁପ୍ଚୁପ୍ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି ।
ସେହିଭଳି ରାସ୍ତାପାଶ୍ୱର୍ରେ ଅତ୍ୟନ୍ତ ଦୂଷିତ ପରିବେଶରେ ଠେଲାଗାଡିଗୁଡିକ ଲାଗୁଥିବାବେଳେ ଏଥିପ୍ରତି ସ୍ୱାସ୍ଥ୍ୟ ପ୍ରଶାସନ କିମ୍ବା ବିଏମ୍ସି କେହି ହେଲେ ଧ୍ୟାନ ଦେଉନାହାନ୍ତି । ଅନେକ ଦୋକାନ ତ ଡ୍ରେନ ଉପରେ ପସରା ମେଲାଉଛନ୍ତି । ବିଏମ୍ସି କର୍ତ୍ତୃପକ୍ଷ ଏମାନଙ୍କ ଠାରୁ ଟିକସ ଆଦାୟ କରୁଥିବାବେଳେ ସ୍ୱଚ୍ଛତା ପ୍ରତି ସେଭଳି ଦୃଷ୍ଟି ଦେଉନାହାନ୍ତି ।
ରାଜଧାନୀର ରାସ୍ତାପାଶ୍ୱର୍ରେ ବିକ୍ରି ହେଉଥିବା ଖାଦ୍ୟର ମାନ ଏକ ପ୍ରକାର ଯାଞ୍ଚ ହେଉନାହିଁ କହିଲେ ଚଳେ । ଯାଞ୍ଚର ଭୟ ରହୁନଥିବାରୁ ଏହି ବ୍ୟବସାୟୀମାନେ ମନଇଚ୍ଛା ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଛନ୍ତି । ସହର ସାରା ଏବେ ଛତୁ ଫୁଟିଲା ଭଳି ଠେଲା ଦୋକାନ ଲାଗୁଥିବାରୁ ତୁରନ୍ତ ଏମାନଙ୍କର ଖାଦ୍ୟ ଯାଞ୍ଚ ପାଇଁ ମତପ୍ରକାଶ ପାଉଛି । ଡାକ୍ତରମାନଙ୍କ ମତରେ ଯଦି ସହରବାସୀ ଦୀର୍ଘଦିନ ଧରି ଏଭଳି ନିମ୍ନମାନର ଓ ରଙ୍ଗବୋଳା ଖାଦ୍ୟ ଖାଇବେ ତେବେ କିଛିଦିନ ପରେ ମାରାତ୍ମକ ରୋଗରେ ପୀଡିତ ହେବା ଏକ ପ୍ରକାର ନିଶ୍ଚିତ । (ତଥ୍ୟ)