Home Health ଯାଞ୍ଚ ହେଉନି ମନ୍ଦିର ଖାଦ୍ୟ

ଯାଞ୍ଚ ହେଉନି ମନ୍ଦିର ଖାଦ୍ୟ

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଥିବା ମନ୍ଦିରଗୁଡିକ ଏବେ ଲୋକଙ୍କ ପାଇଁ ହୋଟେଲର ବିକଳ୍ପ ସାଜିଥିବାବେଳେ ଏମାନେ ପ୍ରସ୍ତୁତ କରୁଥିବା ଖାଦ୍ୟର ନିୟମିତ ଯାଞ୍ଚ ହେଉନାହିଁ । ଫଳରେ ଅଧିକାଂଶ ମନ୍ଦିର କର୍ତ୍ତୃପକ୍ଷ ନିମ୍ନମାନର ଖାଦ୍ୟ ପ୍ରସ୍ତୁତି କରି ବେଶ୍‍ ମୁନାଫା ଉଠାଇବାରେ ଲାଗିଛନ୍ତି ।

ରାଜଧାନୀରେ ଏବେ ଶତାଧିକ ମନ୍ଦିରରେ ଦୈନିକ ଖାଦ୍ୟ ପ୍ରସ୍ତୁତ ହେଉଛି । ପ୍ରସାଦ ନାମରେ ଏହି ଖାଦ୍ୟକୁ ଲୋକେ କିଣି ନେଉଛନ୍ତି । ମନ୍ଦିରରେ ମଧ୍ୟ ବସି ଖାଇବାର ବ୍ୟବସ୍ଥା ହୋଇଛି । ମନ୍ଦିରର ସାତ୍ୱିକ ଖାଦ୍ୟ ପ୍ରତି ଲୋକଙ୍କର ଗଭୀର ଆସ୍ଥା ରହିଥିବାବେଳେ ଅଧିକାଂଶ ମନ୍ଦିର କିନ୍ତୁ ବ୍ୟବସାୟ ମୁହାଁ ହୋଇଛନ୍ତି । ଏମାନେ ପ୍ରସ୍ତୁତ କରୁଥିବା ଖାଦ୍ୟର ମାନ ଯାଞ୍ଚ ହେଉନଥିବାରୁ କେତେକ ମନ୍ଦିରରେ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ଓ ବିକ୍ରି ହେଉଛି ।

ରାଜ୍ୟ ରାଜଧାନୀରେ ଶହେରୁ ଅଧିକ ମନ୍ଦିରରେ ଦୈନିକ ଖାଦ୍ୟ ପ୍ରସ୍ତୁତ ଚାଲିଛି । ମନ୍ଦିର ବାହାରେ ଏଥିପାଇଁ ବୋର୍ଡ ଲାଗିଛି । ଏଠାରେ ପ୍ରସାଦ ମିଳେ ଓ ଲୋକଙ୍କୁ ପାର୍ସଲ ଦିଆଯାଏ ବୋଲି ମନ୍ଦିର କର୍ତ୍ତୃପକ୍ଷ ବିଜ୍ଞାପନ କରୁଛନ୍ତି । ହେଲେ ଏହିସବୁ ମନ୍ଦିରରେ କେଉଁ ମାନର ଖାଦ୍ୟ ପ୍ରସ୍ତୁତ ହେଉଛି ସେଥିପାଇଁ ଖାଦ୍ୟ ନିରୀକ୍ଷକମାନେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ । ଫଳରେ ଶାକାହାରୀ ଖାଦ୍ୟ ନାମରେ କେତେକ ମନ୍ଦିର ଅତ୍ୟନ୍ତ ନିମ୍ନମାନର ଡାଲି, ପନିପରିବା, ମସଲା, ତେଲ, ଘିଅ ଆଦି ବ୍ୟବହାର କରୁଛନ୍ତି । ଯେହେତୁ ଲୋକେ ଠାକୁରଙ୍କ ମନ୍ଦିରରୁ ଖାଦ୍ୟ ଖରିଦ କରୁଛନ୍ତି ତେଣୁ ମାନ ନେଇ ପ୍ରଶ୍ନ କରିବାକୁ ପଛଘୁଞ୍ଚା ଦେଉଛନ୍ତି ।

ସହରର କେତେକ ମନ୍ଦିରରେ ଏବେ ମାଟିକୁଡୁଆରେ ଖାଦ୍ୟ ଦିଆଯାଉଥିବାବେଳେ ଅଧିକାଂଶ ମନ୍ଦିରରେ ପଲିଥିନ୍‍ରେ ଖାଦ୍ୟ ପାର୍ସଲ ଦିଆଯାଉଛି । ପୌର ଅଧିକାରୀମାନେ ପଲିଥିନ ଜବତ ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରୁଥିବାବେଳେ ଥରୁଟିଏ କୌଣସି ମନ୍ଦିରରେ ଚଢଉ କରିଥିବାର ନଜିର ନାହିଁ । ଗରମ ରନ୍ଧାଖାଦ୍ୟ ନିମ୍ନମାନର ପଲିଥିନ୍‍ରେ ନେବା ଓ ତାହାକୁ ସେବନ କରିବା ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି ।

ଅଧିକାଂଶ ମନ୍ଦିରରେ ଖାଦ୍ୟରେ ଘିଅ ବ୍ୟବହାର ହେଉଥିବା କୁହାଯାଉଛି । କେତେକ ମନ୍ଦିରରେ ସୂର୍ଯ୍ୟମୁଖୀ ଓ ଅନ୍ୟାନ୍ୟ ତେଲ ବି ବ୍ୟବହାର ହେଉଛି । ତେବେ ବଜାରରେ ଏବେ ଅତ୍ୟନ୍ତ ଶସ୍ତା, ନିମ୍ନମାନ ଓ ଅପମିଶ୍ରିତ ଘିଅ ଓ ତେଲ ମିଳୁଥିବାରୁ ଚଢା ଦରରେ ପ୍ରସାଦ ବିକ୍ରି କରୁଥିବା ମନ୍ଦିରମାନେ କେଉଁ ମାନର ଘିଅ ଓ ତେଲ ବ୍ୟବହାର କରୁଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀମାନେ ତାହାର ଯାଞ୍ଚ କରିବା ନିହାତି ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।

ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀମାନେ ନକଲି ଖାଦ୍ୟ ସାମଗ୍ରୀ ଯାଞ୍ଚକରି ମଝିରେ ମଝିରେ ବାହାବା ନେଉଥିବାବେଳେ ଲକ୍ଷ ଲକ୍ଷ ଲୋକଙ୍କ ଖାଉଥିବା ମନ୍ଦିରର ଖାଦ୍ୟକୁ ନିୟମିତ ଭାବେ ଯାଞ୍ଚ କରିବାକୁ ମତପ୍ରକାଶ ପାଉଛି । କେବଳ ଖାଦ୍ୟର ମାନ ନୁହେଁ କେଉଁଭଳି ପରିବେଶରେ ମନ୍ଦିର କର୍ତ୍ତୃପକ୍ଷ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କେଉଁ ପାଣି ବ୍ୟବହାର କରୁଛନ୍ତି ତାହାର ମଧ୍ୟ ଯାଞ୍ଚ ଜରୁରୀ ବୋଲି ମତପ୍ରକାଶ କରାଯାଉଛି । (ତଥ୍ୟ)