Home General ଯାଞ୍ଚ ହେଉନି ବେଆଇନ୍‍ ଆପାର୍ଟମେଣ୍ଟ

ଯାଞ୍ଚ ହେଉନି ବେଆଇନ୍‍ ଆପାର୍ଟମେଣ୍ଟ

ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ୬ଶହରୁ ଅଧିକ ବେଆଇନ୍‍ ଆପାର୍ଟମେଣ୍ଟ ରହିଥିବା ନେଇ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେବାପରେ ଏବେ ଏତେ ସଂଖ୍ୟକ ବେଆଇନ୍‍ ବହୁତଳ ପ୍ରାସାଦ କିଭଳି ନିର୍ମାଣ ହେଲା ତାହାକୁ ନେଇ ଦୋଷ ଲଦାଲଦି ଆରମ୍ଭ ହୋଇଛି । ତେବେ ଯାଞ୍ଚ ଅଭାବରୁ ଏଭଳି ସ୍ଥିତି ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ବେଆଇନ୍‍ ଆପାର୍ଟମେଣ୍ଟ ମଧ୍ୟରୁ ଅଧିକାଂଶ ନିୟମ ଉଲ୍ଲଙ୍ଘନ କରିଛନ୍ତି । ଏଥିରେ ପାର୍କିଂ ପାଇଁ ସ୍ଥାନ ନଥିବା, ଆପାର୍ଟମେଣ୍ଟରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା, କୋଠା ଚାରିପଟେ ଆବଶ୍ୟକ ସ୍ଥାନ ନଛାଡିବା ଏବଂ ବିଶେଷକରି ଯେଉଁତି ମହଲା ପାଇଁ ଅନୁମତି ପାଇଛନ୍ତି ତାହାଠାରୁ ଦୁଇ ତିନି ମହଲା ଅଧିକ ନିର୍ମାଣ କରିଛନ୍ତି । ଆପାର୍ଟମେଣ୍ଟ କିଣୁଥିବା ଅଧିକାଂଶ ବ୍ୟକ୍ତି ନିୟମ ବିଷୟରେ ଅଜ୍ଞ ଥିବାରୁ ଏହି ଘରକୁ ଖରିଦ କରୁଛନ୍ତି ।

ରାଜଧାନୀରେ କୋଠା ଓ ଆପାର୍ଟମେଣ୍ଟ ଆଦି ର୍ନିମାଣ ପାଇଁ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପ୍ଲାନ ମଞ୍ଜୁରୀ କରୁଥିବାବେଳେ ଏବେ ଏହି ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କୁ ଦାୟିତ୍ୱ ଦିଆଯାଇଛି । ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଥରେ ଅନୁମତି ଦେବାପରେ ନିର୍ମାଣର ସ୍ଥିତି ସଂକ୍ରାନ୍ତରେ କୌଣସି ଯାଞ୍ଚ ହେଉନାହିଁ । ଫଳରେ ନିର୍ମାଣକାରୀ ସଂସ୍ଥାମାନେ ଆଇନ୍‍ ଉଲ୍ଲଙ୍ଘନ କରି କୋଠା ନିର୍ମାଣ କରୁଛନ୍ତି ।

ତେବେ ବେଆଇନ୍‍ ଆପାର୍ଟମେଣ୍ଟ ପଛରେ ସବୁଠାରୁ କାରଣ ହେଉଛି ଛୋଟ ଛୋଟ ଜମି ଉପରେ ଆପାର୍ଟମେଣ୍ଟ ନିର୍ମାଣକୁ ଅନୁମତି ମିଳିବା । ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗ ଠାରୁ ଛୋଟ ପରିବାରଟିଏ ରହିବାପାଇଁ ରିହାତି ଦରରେ ପାଇଥିବା ଜମିକୁ ଏବେ ଲୋକେ ବିଲଡରମାନଙ୍କ ସହିତ ଚୁକ୍ତିକରି ଦେଇ ଦେଉଛନ୍ତି । ଏଠାରେ ନିର୍ମାଣ ହେଉଥିବା ଘର ମଧ୍ୟରୁ ସେମାନେ ଦୁଇ ତିନିଟି ଘର ପାଉଛନ୍ତି ।

ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ୪ ରୁ ୫ହଜାର ବର୍ଗଫୁଟ ଜମି ଉପରେ ବଡ ବଡ ଆପାର୍ଟମେଣ୍ଟ ନିର୍ମାଣ ହେଉଥିବାରୁ ବିଲଡରମାନେ ଅଧିକ ଲାଭ ଆଶାରେ ଆଇନକୁ ଉଲ୍ଲଙ୍ଘନ କରୁଛନ୍ତି । କେତେକ ସ୍ଥାନରେ ଅଗ୍ନିଶମ ଗାଡି ବୁଲିବା ତ ଦୂରରକଥା ସିଡିଟିଏ ପକାଇବାକୁ ବି ସ୍ଥାନ ଛାଡୁ ନାହାନ୍ତି । ସାଧାରଣ ପ୍ରଶାସନର ଏହି ଜମି ଉପରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ କିଭଳି ଅନୁମତି ପ୍ରଦାନ କରାଯାଉଛି ତାହାକୁ ନେଇ ଅନେକ ଏବେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ।

ଏଭଳି ବେଆଇନ୍‍ ଆପାର୍ଟମେଣ୍ଟ ନିର୍ମାଣ ଫଳରେ ଆଖପାଖରେ ରହୁଥିବା ଲୋକେ ଏହାର ଶିକାର ହେଉଛନ୍ତି । ବେଆଇନ୍‍ ଆପାର୍ଟମେଣ୍ଟ ଯୋଗୁଁ ଆଖପାଖର ରାସ୍ତାଘାଟ, ସ୍ୱରେଜ ଲାଇନ୍‍, ପାଣି ଲାଇନ୍‍ ସବୁଥିରେ ସମସ୍ୟା ଦେଖାଦେଉଛି । ଆପାର୍ଟମେଣ୍ଟରେ ଅଧିକ ଘର ନିର୍ମାଣ ପାଇଁ ପାର୍କିଂ ସ୍ଥାନ ନଥିବାରୁ ଏକାଧିକ ଗାଡିମୋଟର ରାସ୍ତାଉପରେ ରଖାଯାଉଛି । ଯାହା ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । (ତଥ୍ୟ)