ଭୁବନେଶ୍ୱର : ରାଜଧାନୀରେ ବାୟୁର ଗୁଣବତ୍ତା ଦିନକୁ ଦିନ ବିଗୁଡୁଥିବାବେଳେ ଏଠାରେ ଚଳାଚଳ କରୁଥିବା ପୁରୁଣା ଯାନବାହାନର ଯେଭଳି ପ୍ରଦୂଷଣ ଯାଞ୍ଚ ହେବାକଥା ତାହା ହେଉନାହିଁ । ପୁରୁଣା ଅଟୋ ସହିତ ରାଜ୍ୟ ବାହାରରୁ ଆସିଥିବା ପୁରୁଣାଗାଡିଗୁଡିକ କଳାଧୂଆଁ ଛାଡି ଯାଉଥିବାବେଳେ ସେମାନଙ୍କର ପ୍ରଦୂଣଣ ଯାଞ୍ଚ ପାଇଁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ।
ରାଜଧାନୀରେ ଦିନକୁ ଦିନ ଯାନବାହାନ ସଂଖ୍ୟା ହୁ ହୁ ହୋଇ ବଢୁଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପୁରୁଣା ଗାଡି ଏଠାରେ ଚଳାଚଳ କରୁଛି । ଏମାନଙ୍କ ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ହୋଇଥିବାବେଳେ ଯେଉଁମାନଙ୍କ ନିକଟରେ ଏହା ନଥିବ ସେମାନଙ୍କ ଉପରେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିବ । ତେବେ ଏହି ଯାନବାହାନ ନିକଟରେ ପ୍ରମାଣପତ୍ର ରହିଛି କି ନାହିଁ ତାହାକୁଯାଞ୍ଚ କରିବାକୁ କାହାର ହେଲେ ବେଳ ନଥିବା ଲକ୍ଷ୍ୟ କରାଯାଉଛି । କାରଣ ରାସ୍ତାଘାଟରେ ଯେଉଁ ଯାଞ୍ଚ ହେଉଛି ତାହା କେବଳ ହେଲମେଟ୍ ଓ ସିଟବେଲ୍ଟରେ ସୀମିତ ରହିଯାଉଛି ।
ପ୍ରଦୂଷଣ ଯାଞ୍ଚ କଡାକଡି ହେଉନଥିବାରୁ ପୁରୁଣା ଗାଡିଗୁଡିକ ରାଜଧାନୀ ରାସ୍ତାରେ କଳାଧୂଆଁ ଛାଡି ନିର୍ବିଘ୍ନରେ ଯାତାୟତ କରୁଛନ୍ତି । ଏଭଳି ଯାନବାହାନ ଯୋଗୁଁ ଏବେ ରାଜଧାନୀର ବାୟୁର ଗୁଣବତ୍ତା ବିଗିଡିବାରେ ଲାଗିଛି । ଏପରିକି ରାଜଧାନୀବାସୀ ମାସ୍କ ବ୍ୟବହାର କରିବାକୁ ସର୍ତକତା ବି ଜାରି ହେବାରେ ଲାଗିଛି ।
ଯେଉଁସବୁ ଗାଡିମୋଟର ପ୍ରଦୂଷଣ ପ୍ରମାଣପତ୍ର ନଥିବ ସେମାନେ ଯଦି କୌଣସି ଟୋଲଗେଟ୍ ପାରିହୋଇ ଯିବେ ତେବେ ତୁରନ୍ତ ସେଠାରେ ଲାଗିଥିବା କ୍ୟାମେରାରେ ଧରାପଡିବେ ଓ ସେମାନଙ୍କ ମୋବାଇଲ୍କୁ ଜୋରିମାନା ଦେୟ ପାଇଁ ମେସେଜ ଆସିଯିବ । ହେଲେ ରାଜଧାନୀ ଭିତରେ ଟୋଲ୍ ଗେଟ୍ ନଥିବା କିମ୍ବା ସେଭଳି କୌଣସି ବ୍ୟବସ୍ଥା ନଥିବାରୁ ଗାଡିମୋଟରଗୁଡିକ ବେଧଡକ ଭାବେ ବାୟୁ ପ୍ରଦୂଷଣ କରିବାରେ ଲାଗିଛନ୍ତି ।
ସହରରେ ଏବେ ଅତି ପୁରୁଣା ଯାନବାହାନ ସହିତ ରାଜ୍ୟ ବାହାରର କିଛି ବଡ ଓ ଛୋଟ ଗାଡି ଚଳାଚଳ କରୁଛି । ଏହି ଯାନଗୁଡିକ ସାଧରଣତଃ ସହର ଭିତରେ ସ୍କୁଲ ପିଲାଙ୍କୁ ନେବା ଆଣିବା ସହିତ ମାଲ ପରିବହନ କରୁଛନ୍ତି । ଏମାନେ ନିୟମିତ ଗାଡିମୋଟରର ରକ୍ଷଣା ବେକ୍ଷଣ କରୁନଥିବା ଓ ପ୍ରଦୂଷଣ ଯାଞ୍ଚ କରୁନଥିବାରୁ ସହରରେ ଏମାନେ ପ୍ରଦୂଷଣର କାରଣ ପାଲଟିଛନ୍ତି ।
ଗୋଟିଏ ପଟେ ରାଜଧାନୀରେ କୋଠାବାଡି ବଢିବା ସହିତ ସବୁଜବଳୟ ହ୍ରାସ ଏବଂ ଯାନବାହାନ ଧୂଆଁ ବାୟୁ ପ୍ରଦୂଷଣକୁ ବଢାଇ ଚାଲିଥିବାବେଳେ ତୁରନ୍ତ ଏହା ଉପରେ ନିୟନ୍ତ୍ରଣ ଅଣାନଗଲେ ଦିଲ୍ଲୀ ଭଳି ପରିସ୍ଥିତି ଉପୁଜିବା ନେଇ ପରିବେଶବିତ୍ମାନେ ଆଶଙ୍କା ପ୍ରକଟ କଲେଣି । ତେଣୁ ତୁରନ୍ତ ରାଜଧାନୀରେ ସବୁଜ ବଳୟ ସୃଷ୍ଟି ସହିତ ପ୍ରଦୂଷଣ କରୁଥିବା ଗାଡିମୋଟରଗୁଡିକର କଡାକଡି ଯାଞ୍ଚ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)

