ଭୁବନେଶ୍ୱର : ଶୀତ ଦିନେ ବିଭିନ୍ନ ପ୍ରକାର ଫଳର ଚାହିଦା ବଢିଥିବାବେଳେ ଏହି ଫଳର ମାନ ପରଖିବାକୁ ପ୍ରାୟତଃ କେହି ନାହାନ୍ତି । ଫଳରେ ରସାୟନିକ ପଦାର୍ଥ ମିଶ୍ରିତ ଫଳକୁ ଲୋକେ ଖାଇବାରେ ଲାଗିଛନ୍ତି ।
ରାଜଧାନୀ ବଜାରରେ ଏବେ ଫଳ ଦୋକାନରେ ଭଳିକି ଭଳି ଦେଶୀ ବିଦେଶୀ ଫଳ ମିଳୁଛି । ଅମୃତ ଭଣ୍ଡା, କମଳା, ଆତ, ସପୁରୀ, ପିଜୁଳି, କଦଳୀ ସହିତ ସେଓ, ଅଙ୍ଗୁର ଆଦି ବିକ୍ରି ହେଉଛି । ଏହା ସହିତ ବିଦେଶରୁ ଆମଦାନୀ ହେଉଥିବା ଫଳ ମଧ୍ୟ ରହିଛି । ଏଗୁଡିକୁ ପଚାଇବାପାଇଁ ବ୍ୟବସାୟୀମାନେ ବହୁ ସ୍ଥାନରେ ରସାୟନିକ ସାମଗ୍ରୀ ସ୍ପ୍ରେ କରୁଛନ୍ତି ।
ସେହିଭଳି ବିଦେଶରୁ ଆମଦାନୀ ହେଉଥିବା ଫଳକୁ ସଂରକ୍ଷିତ ରଖିବାପାଇଁ କ’ଣ କ’ଣ ରସାୟନିକ ସାମଗ୍ରୀ ବ୍ୟବହାର ହେଉଛି ତାହା ଜାଣିବା ମଧ୍ୟ ବ୍ୟବସାୟିକ ଜ୍ଞାନ ବାହାରେ । ସେମାନେ ଆଖିକୁ ଭଲ ଦିଶୁଥିବା ସାମଗ୍ରୀକୁ ଆଣି ବିକ୍ରି କରିବାରେ ଲାଗିଛନ୍ତି ।
ତେବେ ଏହିସବୁ ଫଳର ମାନ ଯାଞ୍ଚ କରିବା ଦାୟିତ୍ୱ ହେଉଛି ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କର । କିନ୍ତୁ ଖୋଦ୍ ରାଜଧାନୀରେ କେଉଁଠି ଫଳ ଯାଞ୍ଚ ହେବା ଦେଖିବାକୁ ମିଳୁନାହିଁ । ସହରରେ ଯେତିକି ସଂଖ୍ୟକ ଖାଦ୍ୟ ସୁରକ୍ଷା ଅଧିକାରୀ ରହିଛନ୍ତି ସେମାନଙ୍କ ଉପରେ କାମର ଚାପ ଅଧିକ । କେବଳ ଉଠା ଦୋକାନୀ ଓ ହୋଟେଲ ଗୁଡିକୁ ଯାଞ୍ଚ କରିବାକୁ ସେମାନଙ୍କ ନିକଟରେ ସମୟ ନାହିଁ । ଏଥିଯୋଗୁଁ ସହରରେ ମାଛ, ମାଂସ ଦୋକାନ ବି ନିୟମିତ ଭାବେ ଯାଞ୍ଚ ହୋଇପାରୁ ନାହିଁ ।
ଯେତବେେଳେ କୌଣସି ଠାରେ ଜଳ କିମ୍ବା ଖାଦ୍ୟ ଜନିତ ରୋଗ ବ୍ୟାପୁଛି ସେତେବେଳେ ବିଏମ୍ସି ସହିତ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ମିଳିତ ଭାବେ ଦୋକାନ ବଜାର ଯାଞ୍ଚ କରୁଛନ୍ତି । ଯାଞ୍ଚ ସମୟରେ ନିଜ ସହିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରି ବୁଲୁଛନ୍ତି । ଖବର କିଭଳି ପ୍ରକାଶ ପାଇବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ମାମଲା ଥଣ୍ଡା ପଡିବା ପରେ ଆଉ ପ୍ରାୟତଃ କାହାର ଦେଖା ଦର୍ଶନ ମିଳୁନାହିଁ ।
ରସାୟନିକ ବୋଳା ଖାଦ୍ୟ ଯୋଗୁଁ ଲୋକେ ବିଭିନ୍ନ ପ୍ରକାର ରୋଗରେ ପଡୁଥିବା ନେଇ ଚିକିତ୍ସକମାନେ ସତର୍କ କରାଇ ଦେଉଥିବାବେଳେ ଫଳର ମାନ କାହିଁକି ନିୟମିତ ଯାଞ୍ଚ ହେଉନାହିଁ ତାହା ଏବେ ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଫଳ ବିକ୍ରେତାମାନଙ୍କୁ ସେମାନଙ୍କର ଫଳର ମାନ ଯାଞ୍ଚ ପାଇଁ କୌଣସି ତାଲିମ କିମ୍ବା ସାଧନ ପ୍ରଦାନ କରାଯାଉ ନାହିଁ । ଏହାଛଡା ରସାୟନିକ ସାମଗ୍ରୀ ସ୍ପ୍ରେ କରି କଦଳୀ, ଅମୃତଭଣ୍ଡା, ଆତ ଆଦିକୁ ପଚାଉଥିବା ବେପାରୀଙ୍କ ଉପରେ ବି ଚଢଉ ହେଉନାହିଁ । ବିଦେଶରୁ ଆସୁଥିବା ଫଳରେ କ’ଣ ସବୁ ରସାୟନିକ ସାମଗ୍ରୀ ବୋଳା ହେଉଛି ତାହାରସୂଚନା ବି କାହାରି ପାଖରେ ନାହିଁ ।
ୟଯେହେତୁ ଶୀତଦିନେ ଫଳର ଚାହିଦା ଅଧିକ ରହୁଛି ଲୋକେ ରସାୟନିକ ବୋଳା ଫଳ ଖାଇବାକୁ ବାଧ୍ୟ ହେଉଛି । ଅମୃତଭଣ୍ଡା ଓ କଦଳୀ ଆଦି ଉପରୁ ପାଚି ହଳଦିଆ ଦିଶୁଥିଲେ ମଧ୍ୟ ଭିତରେ ଧଳା ଦେଖାଯାଉଛି । ସେହିଭଳି କେତେକ ସ୍ଥାନରେ ଆତ, ସେପେଟା ଆଦିର ଅବସ୍ଥା । ଏଗୁଡିକ ନିୟମିତ ଯାଞ୍ଚ କରାନଗଲେ ଆଗାମୀ ଦିନରେ ଏଭଳି ଫଳ ଖାଇ ଲୋକେ ମାରାତ୍ମକ ରୋଗରେ ପଡିବେ ବୋଲି ଚିକିତ୍ସକମାନେ ଚେତାବନୀ ଦେଲେଣି । (ତଥ୍ୟ)

