Home Culture ଯାଞ୍ଚ ସପକ୍ଷରେ ଭକ୍ତ

ଯାଞ୍ଚ ସପକ୍ଷରେ ଭକ୍ତ

ଭୁବନେଶ୍ୱର : ଶ୍ରୀମନ୍ଦିରର ମହାପ୍ରସାଦ ମାନ ଯାଞ୍ଚ ପ୍ରସ୍ତାବକୁ ଗୋଟିଏ ମହଲ ବିରୋଧ କରୁଥିବାବେଳେ ଭକ୍ତ ମହଲରେ କିନ୍ତୁ ଏହା ସପକ୍ଷରେ ସ୍ୱର ଉଠିଲାଣି । ଏଠାରେ ଉଲ୍ଲେଖନୀୟ ଯେ କିଛି ସେବାୟତ ଏବଂ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମହାପ୍ରସାଦର ମାନ ଯାଞ୍ଚ ପ୍ରସ୍ତାବକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି ।

ଶ୍ରୀ ଖୁଣ୍ଟିଆଙ୍କ ସମେତ କିଛି ସେବାୟତଙ୍କ ମତ ହେଉଛି ଯେ ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ନିଆଯାଉଥିବା ସାମଗ୍ରୀଗୁଡିକର ମାନ ଯାଞ୍ଚହେବା ଆବଶ୍ୟକ । କିନ୍ତୁ ଭୋଗ ଲାଗିହେବା ପରେ ତାହାର ମାନ ଯାଞ୍ଚ କରିବା ଶାସ୍ତ୍ର ବିରୁଦ୍ଧ । ଏଠାରେ ଉଲ୍ଲେଖନୀୟ ଯେ ତିରୁପତିରେ ପ୍ରସ୍ତୁତ ଲଡୁ ପାଇଁ ପଶୁଚର୍ବି ମିଶ୍ରିତ ଘିଅ ବ୍ୟବହୃତ ହୋଇଥିବା ଘେନି ହଇଚଇ ସୃଷ୍ଟିହେବାପରେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅ ଏବଂ ମହାପ୍ରସାଦ ପ୍ରସ୍ତୁତି ଲାଗି ସାମଗ୍ରୀର ଯାଞ୍ଚ ସହିତ ପରବର୍ତ୍ତୀ ସମୟରେ ବି ଏହାର ଗୁଣବତ୍ତା ଉପରେ ନଜର ରଖିବାକୁ ଆଇନ୍‍ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମତ ରଖିଥିଲେ । ଏ ସଂକ୍ରାନ୍ତରେ ଆଇନ୍‍ ବିଭାଗ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରିଛି ଏବଂ ଖାଦ୍ୟ ନିରୀକ୍ଷକଙ୍କୁ ଏହି ଦାୟିତ୍ୱ ଦିଆଯିବ ବୋଲି କୁହାଯାଉଛି ।

ଶ୍ରୀମନ୍ଦିରର ମହାପ୍ରସାଦ ଭକ୍ତମାନଙ୍କ ପାଇଁ ଅନନ୍ୟ ଆକର୍ଷଣ । ତେବେ କେତେକ କ୍ଷେତ୍ରରେ ବାସି ପ୍ରସାଦ ସହିତ ଗରମ ପ୍ରସାଦ ମିଶାଇ ଦିଆଯାଉଥିବାରୁ ତାହାର ଆମ୍ବିଳା ସ୍ୱାଦ ଓ ବାସ୍ନା ଆସୁଥିବା ଘେନି ବାରମ୍ବାର ଅଭିଯୋଗ ହେଉଛି । ଏମିତିକି ଦୂର ଦୂରାନ୍ତରୁ ଲୋକେ ବରାଦି ମହାପ୍ରସାଦ ନେଇ ଠକାମୀରେ ପଡି ସମ୍ମାନର ସହ ଆମ୍ବିଳି ସାମଗ୍ରୀକୁ ପୋତିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିଯୋଗୁଁ ଅର୍ଥ ହାନି ସହ ପ୍ରାଣପୀଡା ହେଉଛି ଏବଂ ମହାପ୍ରସାଦ ସେବନ ଲାଗି ନିମନ୍ତ୍ରିତ ଲୋକେ ଅସନ୍ତୁଷ୍ଟ ହେଉଥିବାରୁ ସ୍ଥଳ ବିଶେଷରେ ଗୃହକର୍ତ୍ତା ମଧ୍ୟ ଅପଦସ୍ତ ହେଉଛନ୍ତି । ଅବଶ୍ୟ କିଛି ସେବକ ସେବା ଭାବ ରଖି ଆମ୍ବିଳି ହୋଇଯାଇଥିବା ବାସି ପ୍ରସାଦ ନଷ୍ଟ କରିଦେଉଛନ୍ତି । ଫଳରେ ସେମାନଙ୍କ ଠାରୁ ଯେଉଁମାନେ ମହାପ୍ରସାଦ କିଣୁଛନ୍ତି ସେମାନଙ୍କର ପ୍ରସାଦର ଗୁଣବତ୍ତା ଉତ୍ତମମାନର ରହୁଛି ।

କେବଳ ମହାପ୍ରସାଦ ନୁହେଁ, ଶ୍ରୀମନ୍ଦିରରେ ଉପଲବ୍ଧ ହେଉଥିବା ବିଭିନ୍ନ ଶୁଖିଲି ଭୋଗର ଗୁଣବତ୍ତା ଯାଞ୍ଚ ପାଇଁ ମଧ୍ୟ ଭକ୍ତ ମହଲରୁ ଦାବି ଉଠୁଛି । ଉନ୍ନତମାନର ଘିଅ ସହିତ ଠିକଣା ସାମଗ୍ରୀ ଯେଭଳି ବ୍ୟବହୃତ ହୁଏ ଏବଂ ଉଭୟ ମହାପ୍ରସାଦ ଓ ଶୁଖିଲିଭୋଗ ଉଚିତ୍‍ ଦାମରେ ଭକ୍ତମାନଙ୍କ ପାଇଁ ଉପଲବ୍ଧ ହୁଏ ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ଧ୍ୟାନ ଦେବାକୁ ମତପ୍ରକାଶ ପାଉଛି ।

ଶ୍ରୀମନ୍ଦିରର ରୋଷଘରେ ଲୁହାକଡେଇ ବ୍ୟବହାର ଲାଗି ରୀତିନୀତି ନଥିବାବେଳେ କିପରି ଦୀର୍ଘଦିନ ଧରି ଏହା ବ୍ୟବହୃତ ହେଉଥିଲା ସେ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନ ଜାଣିବାପରେ ତଦନ୍ତକରି ଇତି ମଧ୍ୟରେ ରୋଷଘରେ ଲୁହାକଡେଇ ବ୍ୟବହାର କରିଥିବା ସେବାୟତଙ୍କୁ ସେବାନିବୃତ୍ତ କରିବାକୁ ବାଧ୍ୟ ହୋଇଛନ୍ତି ।
କେବଳ ଶ୍ରୀମନ୍ଦିର ନୁହେଁ, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିର ସମେତ ସମଗ୍ର ରାଜ୍ୟରେ ଯେତେସବୁ ସ୍ଥାନରେ ଧର୍ମାନୁଷ୍ଠାନଗୁଡିକରେ ପ୍ରସାଦ ପ୍ରସ୍ତୁତ ହେଉଛି ସେବୁର ଗୁଣବତ୍ତା ମଧ୍ୟ ଯାଞ୍ଚ କରାଯିବା ଜରୁରୀ ବୋଲି ବିଭିନ୍ନ ଅଞ୍ଚଳରୁ ମତ ଆସୁଛି । (ତଥ୍ୟ)