Home Judiciary ଯନ୍ତ୍ରୀ ପଦୋନ୍ନତି ଆଦେଶ ବଦଳିଲା

ଯନ୍ତ୍ରୀ ପଦୋନ୍ନତି ଆଦେଶ ବଦଳିଲା

ଭୁବନେଶ୍ୱର : ସଂରକ୍ଷିତ ବର୍ଗର ବରିଷ୍ଠ ଓ ଯୋଗ୍ୟ ପ୍ରାର୍ଥୀମାନେ ଅଣ ସଂରକ୍ଷିତ ଆସନକୁ ସରକାରୀ ଚାକିରିରେ ପଦୋନ୍ନତି ପାଇପାରିବେ କି ନାହିଁ ସେ ପ୍ରସଂଗରେ ଚାଲିଥିବା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କ ପୂର୍ବ ଅନ୍ତରୀଣ ଆଦେଶକୁ ଆଉଥରେ ବଦଳାଇଛନ୍ତି । ଏହା ଫଳରେ ପୂର୍ତ୍ତ ବିଭାଗରେ କିଛି ଯନ୍ତ୍ରୀ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇବା ସମ୍ଭାବନା ସୃଷ୍ଟି ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟଙ୍କ ସମେତ ବିଭିନ୍ନ ନ୍ୟାୟାଳୟ ବହୁ ମାମଲାରେ ସ୍ପଷ୍ଟ କରିଦେଇଛନ୍ତି ଯେ ଅଣ ସଂରକ୍ଷିତ ପଦବୀ କୌଣସି ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ । ଏହି ପଦବୀ ଲାଗି ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଭିତ୍ତିରେ ଉଭୟ ସଂରକ୍ଷିତ ଓ ଅଣ ସଂରକ୍ଷିତ ବର୍ଗର କର୍ମଚାରୀମାନଙ୍କ କଥା ବିଚାରକୁ ନେଇ ପଦୋନ୍ନତି ଦିଆଯାଇ ପାରିବ ବୋଲି ଆଇନ୍‍ଗତ ବ୍ୟବସ୍ଥା ରହିଛି । ଏହାଛଡ଼ା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୩୦ବର୍ଷ ଧରି ଏ ସଂକ୍ରାନ୍ତରେ ବହୁ ମାର୍ଗ ନିର୍ଦ୍ଦେଶିକା ଜାରି କରିଛନ୍ତି । ଏହି ଆଧାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ଉଚ୍ଚ ପାହ୍ୟାକୁ ପଦୋନ୍ନତି ଦିଆଯାଇଥାଏ ।

ତେବେ ପୂର୍ତ୍ତ ବିଭାଗର ତ୍ରୁଟି ଯୋଗୁ ଗୋଳମାଳିଆ ଅବସ୍ଥା ସୃଷ୍ଟି ହେବାରେ ପ୍ରାୟ ୩୦୦ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରୁ ନାହିଁ । ବିଭାଗୀୟ ପଦୋନ୍ନତି କମିଟିଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରତିନିଧି ସହମତି ପ୍ରକାଶ ନକରିବାରୁ ଏହି ନିଷ୍ପତ୍ତିକୁ ବାତିଲ କରାଯାଇ ପୁନର୍ବାର ଗତ ମାର୍ଚ୍ଚ ମାସରେ ଡିପିସି କରାଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁସୃତ ନୀତି, ଆଇନ୍‍ଗତ ବ୍ୟବସ୍ଥା ଏବଂ ଆଇନ୍‍ ବିଭାଗର ପରାମର୍ଶ ମୁତାବକ ଅଣ ସଂରକ୍ଷିତ ପଦବୀଗୁଡ଼ିକରେ ସବୁ ବର୍ଗର ପ୍ରାର୍ଥୀଙ୍କୁ ଯୋଗ୍ୟତ, ଦକ୍ଷତା ଓ ବରିଷ୍ଠତା ଆଧାରରେ ପଦୋନ୍ନତି ଦେବା ଲାଗି ଚୟନ କରାଯିବା ସହିତ ସଂରକ୍ଷିତ ଆସନ ପାଇଁ ମଧ୍ୟ ସଂପୃକ୍ତ ବର୍ଗର ପ୍ରାର୍ଥୀଙ୍କୁ ବଛା ଯାଇଥିଲା । ଡିପିସିର ଏହି ନିଷ୍ପତ୍ତିକୁ ବିରୋଧ କରି ପୂର୍ବରୁ ପଛୁଆ ବର୍ଗ ଓ ମହିଳା କୋଟାରେ ଚାକିରି ପାଇଥିବା କିଛି ଯନ୍ତ୍ରୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।

ଗତ ମାର୍ଚ୍ଚ ମାସରେ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ଆଦେଶରେ କହିଥିଲେ ଯେ ଅଦାଲତଙ୍କ ଅନୁମତି ନନେଇ ଡିପିସି ସୁପାରିସ ଭିତ୍ତିରେ ପଦୋନ୍ନତି ଦିଆଯାଇପାରିବ ନାହିଁ । ତେବେ ପରବର୍ତ୍ତୀ ସମୟରେ ଏହି ଅନ୍ତରୀଣ ଆଦେଶକୁ ହାଇକୋର୍ଟ ବଦଳାଇ ଯେଉଁମାନେ ୩୦/୦୬/୨୦୨୫ ସୁଦ୍ଧା ଅବସର ଗ୍ରହଣ କରୁଥିବେ ଏବଂ ବରିଷ୍ଠ ଥିବେ ସେମାନଙ୍କୁ ଡିପିସି ସୁପାରିସ ଆଧାରରେ ନିଜ ସ୍ରୋତରେ ପଦୋନ୍ନତି ଦିଆଯାଇପାରିବ ବୋଲି କହିଥିଲେ ।

ଏହାଫଳରେ ଅଳ୍ପ କେତେଜଣ ପଦୋନ୍ନତି ପାଇଥିଲେ । ଏବେ ହାଇକୋର୍ଟର ଅନ୍ୟତମ ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ପୂର୍ବ ଆଦେଶର ପରିବର୍ତ୍ତନ କରି ଅଣ ସଂରକ୍ଷିତ ବର୍ଗର ଯେଉଁ ଯନ୍ତ୍ରୀମାନେ ୩ମାସ ମଧ୍ୟରେ ଅବସର ଗ୍ରହଣ କରିବାକୁ ଯାଉଥିବେ ସେମାନଙ୍କୁ ଡିପିସିଙ୍କ ସୁପାରିସ ଆଧାରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ଦିଆଯାଇପାରିବ ବୋଲି କହିଛନ୍ତି ।

ତେବେ ମାମଲା ରୁଜୁ କରିଥିବା ବ୍ୟକ୍ତିମାନଙ୍କ ଠାରୁ ବହୁ ବର୍ଷ ଆଗରୁ ଚାକିରିରେ ଯୋଗ ଦେଇଥିବା ସଂରକ୍ଷିତ ବର୍ଗର ଯୋଗ୍ୟ ଓ ବରିଷ୍ଠ ଯେଉଁ ଯନ୍ତ୍ରୀମାନଙ୍କ ସପକ୍ଷରେ ଡିପିସି ସୁପାରିସ କରିଛନ୍ତି ସେମାନଙ୍କୁ ପଦୋନ୍ନତି ଦିଆଯିବ କି ନାହିଁ ସେ ସଂକ୍ରାନ୍ତରେ କିନ୍ତୁ ଅଦାଲତ କିଛି କହିନାହାନ୍ତି । କେବଳ ପୂର୍ତ୍ତ ବିଭାଗରେ ନୁହେଁ, ଅନ୍ୟ କେତେକ ବିଭାଗରେ ମଧ୍ୟ ଏହି ପ୍ରସଂଗକୁ ନେଇ ମାଳମାଳ ମାମଲା ଚାଲୁଥିବାରୁ ସରକାରଙ୍କ ବିଭିନ୍ନ ପଦପଦବୀରେ ପଦୋନ୍ନତି ଦିଆଯିବା କ୍ଷେତ୍ରରେ ସମସ୍ୟା ଉପୁଜୁଥିବା କୁହାଯାଉଛି । (ତଥ୍ୟ)