Home Health ଯକୃତ ପ୍ରତିରୋପଣ କେବେ ?

ଯକୃତ ପ୍ରତିରୋପଣ କେବେ ?

ଭୁବନେଶ୍ୱର : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ଯକୃତ (ଲିଭର) ପ୍ରତିରୋପଣ ଲାଗି ୧୦ ବର୍ଷ ତଳେ ରାଜ୍ୟ ସରକାର ଘୋଷଣା କରିବା ସହ ଏଥିପାଇଁ ୨୨କୋଟି ଟଙ୍କା ବରାଦ କରିଥିଲେ ମଧ୍ୟ ଏହି ୟୁନିଟ୍‍ ଏଯାବତ୍‍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିବାରୁ ଓଡିଶାର ରୋଗୀମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ଅନ୍ୟ ରାଜ୍ୟର କର୍ପୋରେଟ ହସ୍ପିଟାଲଗୁଡିକ ଉପରେ ନିର୍ଭର କରୁଛନ୍ତି ।

ଯକୃତ ପ୍ରତିରୋପଣ ପାଇଁ ଏସ୍‍ସିବିର ସୁପରସ୍ପେଶିଆଲିଟି ବ୍ଲକରେ ୨୦୨୧ ମସିହାରେ ଓପିଡି ଉଦଘାଟନ କରିଥିଲେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ପରବର୍ତ୍ତୀ ସମୟରେ ଏହି ଓପିଡି ହେମାଟୋଲୋଜି ବିଭାଗକୁ ସ୍ଥାନାନ୍ତର ହେବାରୁ ଏହାକୁ ପୁଣିଥରେ ଗତବର୍ଷ ସେପ୍ଟେମ୍ବର ମାସରେ ଉଦଘାଟନ କରାଯାଇଥିଲା ।

ଯକୃତ ପ୍ରତିରୋପଣ ୟୁନିଟ୍‍ରେ କାର୍ଯ୍ୟ କରିବାପାଇଁ ଏସ୍‍ସିବିରୁ ଯେଉଁ ଡାକ୍ତର, ନର୍ସ, ଫର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀମାନଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ତାଲିମ ପାଇଁ ପଠାଯାଇଥିଲା ସେମାନଙ୍କ ମଧ୍ୟରୁ କେତେକ ଇତି ମଧ୍ୟରେ ଅବସର ନେଇ ସାରିଥିବାବେଳେ ଆଉ କିଛି କର୍ମଚାରୀଙ୍କର ବଦଳି ହୋଇ ସାରିଛି । ତେଣୁ ଏ ବାବଦରେ ତାଲିମ ଲାଗି ଯେତେ ଅର୍ଥ ଓ ସମୟ ଖର୍ଚ୍ଚ ହେଲା ତାହାର ମୁଖ୍ୟାଂଶ ପାଣିରେ ପଡିଗଲା ବୋଲି ବରିଷ୍ଠ ଚିକିତ୍ସକମାନେ ସ୍ୱୀକାର କରୁଛନ୍ତି ।

ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି ଯେ ଏସ୍‍ସିବିରେ ଯକୃତ ପ୍ରତିରୋପଣ ୟୁନିଟ୍‍କୁ ସକ୍ରିୟ କରିବାଲାଗି ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଟ୍ୟୁଟ ଅଫ୍‍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଓ ବାଙ୍ଗାଲୋରର ଏସିଏମଆଇ ହସ୍ପିଟାଲ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏମାନଙ୍କ ସହାୟତାରେ ଯକୃତ ପ୍ରତିରୋପଣ ୟୁନିଟ୍‍ କାର୍ଯ୍ୟକ୍ଷମ କରିବାପାଇଁ ଗୁରୁତ୍ୱଆରୋପ କରାଯାଉଥିଲେ ବି ତାହା ଏଯାବତ୍‍ ସମ୍ପୂର୍ଣ୍ଣ ସଫଳ ହୋଇନାହିଁ ।

ଅନ୍ୟ ରାଜ୍ୟର କର୍ପୋରେଟ ହସ୍ପିଟାଲଗୁଡିକରେ ଯକୃତ ପ୍ରତିରୋପଣ ପାଇଁ ଓଡିଶାର ରୋଗୀଙ୍କୁ ସମ୍ପର୍କୀୟ ଓ ଯକୃତଦାତାଙ୍କ ସହ ମାସ ମାସ ଧରି ରହିବାକୁ ପଡୁଛି ଏବଂ ଏ ବାବଦରେ ସ୍ଥଳ ବିଶେଷରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବି ଖର୍ଚ୍ଚ ହେଉଛି । ଓଡିଶାର ଯେଉଁ ଦାତାମାନେ ସେମାନଙ୍କ ଅଙ୍ଗ ଓ ଶରୀର ଦାନ କରୁଛନ୍ତି ସେମାନଙ୍କ ଯକୃତ ଏଠାରେ ପ୍ରାୟତଃ ବ୍ୟବହୃତ ହୋଇପାରୁନାହିଁ ।

ଯକୃତ ପ୍ରତିରୋପଣ ଓ ଯକୃତ ଦାନ ପାଇଁ ଏସ୍‍ସିବିରେ ପ୍ରାୟ ତିନି ଶହ ପର୍ଯ୍ୟନ୍ତ ଲୋକ ପଞ୍ଜିକରଣ କରିଥିବା କୁହାଯାଉଛି । ଏହା ସତ୍ୱେ ବି ଯକୃତ ୟୁନିଟ୍‍ କାର୍ଯ୍ୟକ୍ଷମ ନହେବା ପଛରେ ଭିତ୍ତିଭୂମିର ଅଭାବ ଥିବା କୁହାଯାଉଛି । ଅନ୍ୟ ପକ୍ଷରେ ଓଡିଶାର ଯକୃତ ରୋଗୀଙ୍କ ପାଖରୁ ଯେଉଁ କର୍ପୋରେଟ ହସ୍ପିଟାଲମାନେ କୋଟି କୋଟି ଟଙ୍କା ଲୁଟୁଛନ୍ତି ସେମାନେ କୁଆଡେ ଭିନ୍ନ ଭିନ୍ନ ଉପାୟରେ ଚାପ ପ୍ରୟୋଗ କରି ଏସ୍‍ସିବିରେ ଯକୃତ ପ୍ରତିରୋପଣ ୟୁନିଟ୍‍କୁ କାର୍ଯ୍ୟକ୍ଷମ କରାଇ ଦେଉନାହାନ୍ତି ବୋଲି ଯକୃତ ପ୍ରତିରୋପଣ ପ୍ରତୀକ୍ଷାରେ ଥିବା ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ତେବେ ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ କେତେକ ବୈଷୟିକ କାରଣରୁ ଏସ୍‍ସିବିରେ ଯକୃତ ପ୍ରତିରୋପଣ ୟୁନିଟ୍‍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିଲେ ମଧ୍ୟ ଯକୃତ ରୋଗ ସମ୍ବନ୍ଧୀୟ ଚିକିତ୍ସା ଏସ୍‍ସିବି ସମେତ ରାଜ୍ୟର ଅନ୍ୟ ମେଡିକାଲ କଲେଜଗୁଡିକରେ ଯୋଗାଇ ଦିଆଯାଉଛି । ଖୁବ୍‍ଶୀଘ୍ର ଏସ୍‍ସିବିରେ ଯକୃତ ପ୍ରତିରୋପଣ ୟୁନିଟ୍‍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଆଶାପୋଷଣ କରୁଛନ୍ତି । (ତଥ୍ୟ)