Home Education ମୟୂରଭଞ୍ଜରେ ୱେଲ୍ଡିଂ ଉତ୍କର୍ଷ କେନ୍ଦ୍ର

ମୟୂରଭଞ୍ଜରେ ୱେଲ୍ଡିଂ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର : ମୟୂରଭଞ୍ଜ ତକତପୁର ଟିଟିଆଇରେ ଅତ୍ୟାଧୁନିକ ୱେଲ୍ଡିଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ୫.୨୯ କୋଟି ଟଙ୍କା ବ୍ୟୟରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ ।

ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ କେମ୍ପି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏଥିରେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ଏବଂ କେମ୍ପି ଇଣ୍ଡିଆ ପ୍ରା ଲିଃର ପରିଚାଳନା ନିର୍ଦ୍ଦେଶକ ଅଜୟ ତ୍ରିଖା ସ୍ୱାକ୍ଷର କରିଛନ୍ତି ।

ଏହି ଉତ୍କର୍ଷ କେନ୍ଦ୍ରରେ ରୋବୋଟ୍‌ ୱେଲ୍ଡିଂ, ଲେସର୍‌ ୱେଲ୍ଡିଂ, ପାଇପ୍‌ ୱେଲ୍ଡିଂ ଏବଂ ହେବି ଫେବ୍ରିକେସନ୍‌ ୱେଲ୍ଡିଂ ଭଳି ଅତ୍ୟାଧୁନିକ ୱେଲ୍ଡିଂ ଉପକରଣ ରହିବ । ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଅତ୍ୟାଧୁନିକ ଅଣବିନାଶକ ପରୀକ୍ଷଣ ଉପକରଣ ଉପଲବ୍ଧ ହେବ । ପରିବେଶ ସୁରକ୍ଷା ନିମନ୍ତେ ଧୂଆଁ ନିଷ୍କାସନ ବ୍ୟବସ୍ଥା ସମ୍ବଳିତ ଆଧୁନିକ ସ୍ଥିର ବୈଦୁତିକ ଅବକ୍ଷେପକ ମଧ୍ୟ ସ୍ଥାପନ କରାହେବ |

ଏହା ଜିଲ୍ଲାରୁ ଶିଳ୍ପ ଜଗତ ନିମନ୍ତେ ଆବଶ୍ୟକ ହେଉଥିବା କୁଶଳୀଙ୍କୁ ପ୍ରସ୍ତୁତ କରିବ । କେମ୍ପି ଓଡିଶାର ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ର ଦଶ ଜଣ ପ୍ରଶିକ୍ଷାର୍ଥୀଙ୍କୁ ସେମାନଙ୍କର ତାଲିମ କେନ୍ଦ୍ରରେ ଏକ ମାସ ଅବଧିର ତାଲିମ ପ୍ରଦାନ କରିବ ।

ପ୍ରଶିକ୍ଷାର୍ଥୀମାନଙ୍କୁ ବୈଷୟିକ ସହାୟତା ଯୋଗାଇ ଦେବା ନିମନ୍ତେ କେମ୍ପିର ବୈଷୟିକ ବିଶେଷଜ୍ଞମାନେ ଟିଟିଆଇ ତକତପୁରରେ ପନ୍ଦର ମାସର ତାଲିମ ପ୍ରଦାନ କରିବେ । ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ, ଅଜୟ କୁମାର ପଣ୍ଡା, ସୁଯୋଗ୍ୟ ମିଶ୍ର ଏବଂ ସୁମନ୍‌ ଘୋଷ ଉପସ୍ଥିତ ଥିଲେ ।