ଭୁବନେଶ୍ୱର : ରାଜ୍ୟରୁ ବେଆଇନ୍ ନିଶା କାରବାର ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ ରାଜ୍ୟରେ ଅଫିମ ଚାଷ ଏବେ କିନ୍ତୁ ଚିନ୍ତାରେ ପକାଇଛି । ମୟୁରଭଞ୍ଜ ଜିଲ୍ଲାରୁ ୩୫,୦୦୦ ଅଫିମ ଫଳ ଜବତ ହେବାପରେ ରାଜ୍ୟରେ ଏହି ମାରାତ୍ମାକ ନିଶା ସାମଗ୍ରୀର ଚାଷ ହେଉଥିବା ସ୍ପଷ୍ଟ ହୋଇଛି ।
ରାଜ୍ୟ ସରକାର ଗତ ଆର୍ଥିକ ବର୍ଷରେ ଯେଉଁସବୁ ନିଶା ସାମଗ୍ରୀ ଜବତ କରିଛନ୍ତି ସେଥି ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ୩୦,୦୦୦ ଅଫିମ ଫଳ ରହିଛି । ଏହାର ଅନୁମାନିକ ବଜାର ମୂଲ୍ୟ ୧କୋଟି ୨୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ତେବେ ଏହି ସମୟରେ ରାଜ୍ୟରୁ କୌଣସି ଅଫିମ ଜବତ ହୋଇନାହିଁ ।
ରାଜ୍ୟର କେତେକ ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଥିବାବେଳେ ଏହାର ମୂଳତ୍ପୋଟାନ ପାଇଁ ସରକାର ଲାଗି ପଡିଛନ୍ତି । ଓଡିଶା ଗଞ୍ଜେଇର ଚାହିଦା ଦେଶର ବିଭିନ୍ନ ଅଞ୍ଚଳରେ ଥିବାରୁ ଏହାର ନିୟମିତ ଚୋରା ଚାଲାଣ ବି ହେଉଛି । ୨୦୨୪-୨୫ ବର୍ଷରେ ଅବକାରୀ ବିଭାଗ ପାଖପାଖି ୩୫ହଜାର କିଲୋ ଗଞ୍ଜେଇ ଜବତ କରିଛି । ରାଜ୍ୟର ସମସ୍ତ ଅବକାରୀ ଜିଲ୍ଲା ଅଞ୍ଚଳରୁ ଅଳ୍ପେ ବହୁତେ ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି ।
ସେହିଭଳି ଏହି ସମୟରେ ଅବକାରୀ ବିଭାଗ ଦ୍ୱାରା ପାଖପାଖି ୩ କିଲୋଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ କେବଳ ୬କିଲୋରୁ ଅଧିକ ପୁରୀରୁ ଜବତ ହୋଇଛି । ଏହା ପଛକୁ ରହିଛି ରାଜ୍ୟ ରାଜଧାନୀ । ଏଠାରୁ ୩ କିଲୋରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି ।
ରାଜ୍ୟରେ ବିଭିନ୍ନ ପ୍ରକାର ନିଶା ସାମଗ୍ରୀ ମଧ୍ୟରେ ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଶା ବଢି ବଢି ଚାଲିଥିବାବେଳେ ଅଫିମ ଚାଷକୁ ନେଇ ପ୍ରଶାସନ ଅକଳରେ ପଡିଛି । ଏହି ଚାଷପାଇଁ ବିହନ ଓ ଜ୍ଞାନକୌଶଳ କେଉଁଠାରୁ ଆସୁଛି ତାହାକୁ ନେଇ ଖୋଳତାଡ ଚାଲିଥିବାବେଳେ ରାଜ୍ୟର ଅନ୍ୟ କେଉଁ କେଉଁ ଜଙ୍ଗଲିଆ ଜିଲ୍ଲାରେ ଏହା ହେଉଛି କି ନାହିଁ ସେ ସଂକ୍ରାନ୍ତରେ ସୂଚନା ସଂଗ୍ରହ ଜାରି ରହିଛି ।
ଉଲ୍ଲେଖନୀୟ ଯେ ଦୀର୍ଘବର୍ଷ ତଳେ ଅନୁଗୁଳ ଜିଲ୍ଲାର ନଈକୂଳିଆ ଅଞ୍ଚଳରେ ଅଫିମ ଚାଷ ହେଉଥିବା ପ୍ରଶାସନ ନଜରକୁ ଆସିବାପରେ ଏହା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେବେଠାରୁ ରାଜ୍ୟରେ ଅଫିମ ଚାଷ ଦେଖାଯାଉନଥିବାବେଳେ ଏବେ ନିଶା ବ୍ୟବସାୟୀମାନେ ପୁଣିଥରେ ଅଫିମଚାଷ ଆରମ୍ଭ କରିଦେଇଛନ୍ତି । ଅଫିମରୁ ପ୍ରସ୍ତୁତ ତେଲରେ ମାରାତ୍ମକ ନିଶା ସାମଗ୍ରୀ ପ୍ରସ୍ତୁତ ହେଉଥିବାବେଳେ ଅର୍ନ୍ତଜାତୀୟ ବଜାରରେ ଏହାର ବେଶ୍ ଚାହିଦା ରହିଛି । ସେହିଭଳି ବଜାରରେ ମଧ୍ୟ ଅଫିମ ନିଶାର ବେଶ୍ ଚାହିଦା ରହିଛି । ଯଦି ଚାଷୀମାନେ ଥରେ ଏହାର ଲାଭ ପାଇବେ ତେବେ ଗଞ୍ଜେଇ ଚାଷ ଭଳି ଏହା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ୟାପିଯିବ ବୋଲି ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନେ ମତ ଦେଉଛନ୍ତି । ନେଡିଗୁଡ କହୁଣିକୁ ବୋହିଯିବା ପୂର୍ବରୁ ଗଞ୍ଜେଇ ଗଛ ନଷ୍ଟ ଭଳି ଖବରରେ ରହିବାପାଇଁ ଅଫିମ ଗଛ ନଷ୍ଟ ନକରି ଏହାର ମୂଳୋତ୍ପାଟନ ପାଇଁ ସେମାନେ ମତ ଦେଉଛନ୍ତି । (ତଥ୍ୟ)

