Home General ମୋ ସେବା କେନ୍ଦ୍ର ଉଦଘାଟିତ

ମୋ ସେବା କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: ଆଜି ହେଉଛି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସ । ଆଜିର ଦିନକୁ ରାଜ୍ୟ, ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ ଓଡ଼ିଶା ୱାନ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ୫-ଟି ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର । ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଲକ୍ଷ୍ୟ ନେଇ ଆମର ୫-ଟି ଇନିସିଏଟିଭ ଓ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାଧାରଣ ଲୋକ ଯେପରି ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇପାରିବେ ତା’ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

ଟେକ୍ନୋଲୋଜିର ଉପଯୋଗ ସମ୍ପର୍କରେ ବିଜୁବାବୁଙ୍କ ଚିନ୍ତାଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁବାବୁ ଚାହୁଁଥିଲେ ଟେକ୍ନୋଲୋଜିର ସୁବିଧା ଗାଁ ଗାଁରେ ପହଞ୍ଚୁ । ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ ଉପଯୋଗ ହେଉ । ତା’ର ଜୀବନଧାରଣ ମାନରେ ଉନ୍ନତି ଆସୁ । ମୋ ସେବାକେନ୍ଦ୍ର ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଏହି କେନ୍ଦ୍ର ଦ୍ୱାରା ସାଧାରଣ ଲୋକ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ । ଏଥିପାଇଁ ସେମାନଙ୍କୁ ଆଉ ବାରମ୍ବାର ଅଫିସ ଯିବାର ଆବଶ୍ୟକତା ରହିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବାକେନ୍ଦ୍ର ଖୋଲାଯିବ । ଏହାଦ୍ୱାରା ୮୦୦୦ ଯୁବକ ଯୁବତୀ ଆତ୍ମନିଯୁକ୍ତିର ସୁଯୋଗ ପାଇବେ । ସେହିପରି ସହରବାସୀ ତଥା କମ୍ପ୍ୟୁଟର ଜାଣିଥିବା ଲୋକମାନଙ୍କ ପାଇଁ ଓଡ଼ିଶା ୱାନ ପୋର୍ଟାଲ ସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗୁଣାତ୍ମକ ମାନ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୦୧୯ଦିନ ୫-ଟି ଉପକ୍ରମର ଶୁଭାରମ୍ଭ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ସରକାରୀ ଅଫିସକୁ ବିଭିନ୍ନ ସେବା ପାଇବା ପାଇଁ ଲୋକଙ୍କୁ ବାରମ୍ବାର ଯିବାରୁ ମୁକ୍ତିଦେବାରେ ୫-ଟି ଉପକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ଓ ଯୁବସେବା ଏବଂ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ମୁଖ୍ୟମନ୍ତ୍ରୀଙ୍କର ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏହାଦ୍ୱାରା ସମାଜର ସବୁ ବର୍ଗର ଲୋକ ଉପକାର ପାଇବେ ବୋଲି ମତ ଦେଇଥିଲେ ।

ମୋ ସେବାକେନ୍ଦ୍ରର ସୁବିଧା ନେଇଥିବା କୋଣାର୍କ, ହିଞ୍ଜିଳି, ଅତାବିରା, ନବରଙ୍ଗପୁର, ଭଦ୍ରକ ଓ ଗଜପତିର ହିତାଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମତ ବିନିମୟ କରିଥିଲେ । ସେମାନେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିୟାନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନଙ୍କ ସମେତ ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।