Home Finance ମୋହନ ସରକାରଙ୍କ ପ୍ରଥମ ବଜେଟ୍‍

ମୋହନ ସରକାରଙ୍କ ପ୍ରଥମ ବଜେଟ୍‍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ ତାଙ୍କର ପ୍ରଥମ ବଜେଟ୍‍ ଉପସ୍ଥାପନ କରିଛନ୍ତି । ୨୦୨୪-୨୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବ୍ୟୟବରାଦ ବିଧାନସଭାରେ ଆଗତ କରିଛନ୍ତି । ଏହା ୨୦୨୩-୨୪ ବର୍ଷର ବଜେଟ୍‍ ଠାରୁ ୧୫ ପ୍ରତିଶତ ଅଧିକ ରହିଛି ।

ଆଗତ ବଜେଟ୍‍ରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୧ଲକ୍ଷ ୫୫ହଜାର କୋଟି ଟଙ୍କା ରହିଛି ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ । ସେହିଭଳି ପୁଞ୍ଜିବ୍ୟୟ ବାବଦରେ ୫୮ହଜାର ୧୯୫ କୋଟି ଟଙ୍କା ଥିବାବେଳେ ପ୍ରଶାସନିକ ବ୍ୟୟ ପାଇଁ ୯୭ ହଜାର ୭୨୫ କୋଟି ଟଙ୍କାର ବରାଦ କରାଯାଇଛି ।

ପ୍ରଶାସନିକ ବ୍ୟୟ ମଧ୍ୟରେ ବେତନ ପାଇଁ ୩୨,୫୭୧ କୋଟି ଟଙ୍କା, ପେନ୍‍ସନ ପାଇଁ ୨୨,୫୯୧ କୋଟି, ସୁଧ ଦେୟ ପାଇଁ ୫୫୦୦ ଟଙ୍କା ଏବଂ ପୁଞ୍ଜି ସମ୍ପତ୍ତିର ରକ୍ଷଣା ବେକ୍ଷଣ ପାଇଁ ୬୮୨୨ କୋଟି ଟଙ୍କାର ବ୍ୟୟବରାଦ ରହିଛି ।

ମୁଖ୍ୟମନ୍ତ୍ରୀ ଆଗତ କରିଥିବା ବଜେଟ୍‍ରେ ସୁଭଦ୍ରା ଯୋଜନା ପାଇଁ ୧୦ହଜାର କୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ ଲକ୍ଷପତି ଦିଦି ସୃଷ୍ଟି ପାଇଁ ୧୧୦୦ କୋଟି ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ଯୋଜନା ପାଇଁ ୨୪୬୨ କୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ ଆମ ହସ୍ପିଟାଲ ପାଇଁ ୧୩୧୪ କୋଟି ଟଙ୍କା ରହିଛି । ଭୁବନେଶ୍ୱର ମେଟ୍ରୋ ରେଳ ଯୋଜନା ପାଇଁ ୧୦୦୦କୋଟି ଟଙ୍କା ଥିବାବେଳେ ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦କୋଟି, ସିଏମ୍‍ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କା ରହିଛି ।

ସେହିଭଳି ଓଡିଶା ମତ୍ସ୍ୟ ମିଶନ ପାଇଁ ୩୪୪ କୋଟି, ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫୪୫୦ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ୨୪୬୨ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ମଧୁବାବୁ ପେନ୍‍ସନ ଯୋଜନା ରେ ୪୪୮୭ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ପାଇଁ ୧୦୦୦ କୋଟି, ବସୁଧା ଯୋଜନା ପାଇଁ ୨୦୦୦ କୋଟି, ଜଳ ଜୀବନ ମିଶନ ପାଇଁ ୬୦୦୦ କୋଟି ଓ ପର୍ଯ୍ୟଟନର ବିକାଶ ପାଇଁ ୮୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।