ଭୁବନେଶ୍ୱର : ବିଧାୟକ ମୋହନ ମାଝି ହେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ବିଜେିର କେନ୍ଦ୍ରୀୟ ନେତୃତ୍ୱ ଆଜି ତାଙ୍କ ନାମରେ ମୋହର ମାରିଛନ୍ତି । ଏଥି ସହିତ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ରହିବେ ।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକଦଳ ବୈଠକ ବସିଥିଲା । ଏଥିରେ ବିଜେପିର ବରିଷ୍ଠ ଜାତୀୟ ନେତା ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ । ବିଧାୟକମାନଙ୍କ ସହିତ ଆଲୋଚନା ପରେ ମୋହନଙ୍କ ନାମ ଘୋଷଣା କରାଯାଇଥିଲା ।
ସରପଞ୍ଚ ଭାବେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ମୋହନ ଚାରି ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଗତ ସରକାରରେ ଶ୍ରୀ ମାଝି ବିରୋଧିଦଳର ମୁଖ୍ୟ ସଚେତକ ଭାବେ ବିଧାନସଭାରେ ଦାୟିତ୍ୱ ତୁଲାଉଥିଲେ ।
ଶ୍ରୀ ମାଝିଙ୍କ ସହିତ ବଲାଙ୍ଗିର ପାଟଣା ଆସନରୁ ବିଜୟୀ ହୋଇଥିବା ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ପୁରୀ ଜିଲ୍ଲା ନିମାପଡା ଆସନରୁ ପ୍ରଥମଥର ପାଇଁ ବିଧାୟକ ହୋଇଥିବା ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ଆଜିର ଏହି ଘୋଷଣା ପରେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି ।