ଭୁବନେଶ୍ୱର : ଭଦ୍ରକ ଠାରେ ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅଦାନି ଫାଉଣ୍ଡେସନ ଆଗ୍ରହୀ । ଅଦାନି ପାଉଣ୍ଡେସନ ହେଉଛି ଅଦାନି ଗୋଷ୍ଠିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର)ର ଏକ ଶାଖା ।
ଅଦାନି ପୋର୍ଟ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏପିଏସ୍ଇଜେଡ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ ତ୍ରିପାଠୀ ଏହି ମର୍ମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କୁ ଅନୁରୋଧ କରିଛନ୍ତି । ଅଦାନି ଫାଉଣ୍ଡେସନ ପକ୍ଷରୁ ଭଦ୍ରକ ଓ ରାୟଗଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରାରମ୍ଭିକ ସର୍ଭେ ଆରମ୍ଭ କରିଥିବାବେଳେ ଭଦକ୍ର ଠାରେ ପିପିପି ମୋଡରେ ପଥମେ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରାଯାଇଛି ।
ରାଜ୍ୟ ସରକାରଙ୍କ ସହିତ ଅଦାନି ଫାଉଣ୍ଡେସନ ପକ୍ଷରୁ ରାଜିନାମା ସ୍ୱାକ୍ଷରିତ ହେବାପରେ ମେଡିକାଳ କଲେଜର ସମ୍ପୂର୍ଣ୍ଣ ବିକାଶ କାର୍ଯ୍ୟ ଫାଉଣ୍ଡେସନ ପକ୍ଷରୁ କରାଯିବ । ବର୍ତ୍ତମାନ ଅଦାନି ଗୋଷ୍ଠି ପକ୍ଷରୁ ଭଦ୍ରକ ଜିଲ୍ଲାର ଧାମରା ଠାରେ ଥିବା ବନ୍ଦରର ପରିଚାଳନା କରାଯାଉଛି ।
୨୦୦୮ ମସିହାରେ ଅଦାନି ଫାଉଣ୍ଡେସନ ଗୁଜୁରାଟର ଭୁଜ୍ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକାଶ କରିବା ସହିତ ପିପିପି ମୋଡରେ ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । ଭୁଜ୍ ଠାରେ ଥିବା ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ଡାକ୍ତରଖାନାକୁ ୧୫୦ ଆସନ ବିଶିଷ୍ଟ ମେଡିକାଲ କଲେଜ କରିବାପାଇଁ ୨୫ଏକର ଜମିକୁ ୯୯ ବର୍ଷିଆ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଭୁଜ୍ ଜିଲ୍ଲା ଚିକିତ୍ସାଳୟ ୯୦୦ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ଏଠାରେ ସମଗ୍ର ଅଞ୍ଚଳର ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଏଥି ସହିତ ମେଡିକାଲ କଲେଜରେ ଏମ୍ବିବିଏସ୍ ସହିତ ପିଜିରେ ୬୦ଟି ଆସନ ରହିଛି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଯେ ମେଡିକାଲ କଲେଜରେ ମ୍ୟାନେଜମେଣ୍ଟ କୋଟାକୁ ନିଜ ହାତରେ ନରଖି ଅଦାନୀ ଗ୍ରୁପ୍ ତାହାକୁ ଗୁଜୁରାଟ ସରକାରଙ୍କୁ ହସ୍ତାନ୍ତର କରିଦେଲେ । ଏହା ଏକ ନୂତନ ପରମ୍ପରା ସୃଷ୍ଟି କରିଥିଲା । ଜିଲ୍ଲା ସ୍ତରରେ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ରାଜ୍ୟର ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟସେବା ପ୍ରଦାନ ଲାଗି ମେଡିକାଲ କଲେଜଗୁଡିକରେ ଆସନ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପରେ ଅଦାନି ଗ୍ରୁପ୍ ଉତ୍ସାହିତ ହୋଇଛି । ତଦନୁଯାୟୀ ଏହି କାର୍ଯ୍ୟରେ ସହଯୋଗ ଲାଗି ଅଦାନି ଗୋଷ୍ଠି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ଯାହା ଫଳରେ ଅଦାନି ଫାଉଣ୍ଡେସନ ଏ କ୍ଷେତ୍ରରେ ଆଗକୁ ବଢିପାରିବ ।
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ଭଦ୍ରବାସୀ ଏ ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି । ବର୍ତ୍ତମାନ ଅଦାନି ଗୋଷ୍ଠି ଏଥିଲାଗି ଆଗ୍ରହ ପ୍ରକାଶ କରିଥିବାରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଉପକୂଳ ଅଞ୍ଚଳର ଲୋକଙ୍କ ପାଇଁ ଏହା ବେଶ୍ ସହାୟକ ହୋଇପାରିବ । (ତଥ୍ୟ)