Home General ମେଟ୍ରୋକୁ କ୍ୟାବିନେଟ୍‍ ମୋହର

ମେଟ୍ରୋକୁ କ୍ୟାବିନେଟ୍‍ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଫେଜ୍-୧ ନିର୍ମାଣ କୁ ମଞ୍ଜୁରି ମିଳିଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରିତା ପାଇଁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ (ଡିଏମଆରସି)କୁ ଟର୍ଣ୍ଣ-କି ପରାମର୍ଶଦାତା ଭାବେ ନିୟୋଜିତ କରିବାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି।

ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ପୁରୀ ଅଞ୍ଚଳରେ ଜନସାଧାରଣଙ୍କ ପାଇଁ ଆରାମଦାୟକ, ସୁରକ୍ଷିତ ଓ ସୁବିଧାଜନକ ପରିବହନ ବ୍ୟବସ୍ଥା ର ଆବଶ୍ୟକତା ରହିଛି।

୨୦୨୩ ଏପ୍ରିଲ ପହିଲାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ରାସ୍ତାକୁ ନେଇ ୫ଟି କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱର କ୍ୟାପିଟାଲ ରିଜିଅନ୍ ପାଇଁ ମେଟ୍ରୋ ରେଳ ପ୍ରକଳ୍ପ ସହ ଭିତ୍ତିଭୂମି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ଦେଇଛନ୍ତି।

ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ରେ ୫୯୨୯.୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହାକୁ ୪ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ ୨୬ କିଲୋମିଟର ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ୨୦ଟି ମେଟ୍ରୋ ଷ୍ଟେସନ ରହିବ।

ମେଟ୍ରୋ ରେଳ ଧାରଣା ଏବଂ ଷ୍ଟେସନଗୁଡିକ ଏଲିଭେଟେଡ୍ ଭାୟାଡକ୍ଟରେ ରହିବ । ଅତ୍ୟାଧୁନିକ କୋଚ୍ ମୁତୟନ କରାଯିବା ସହ ଅତ୍ୟାଧୁନିକ ଟିକେଟ୍ ବ୍ୟବସ୍ଥା ଓ ସିଗନାଲିଂ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

୪୬୯.୩୯ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ଆବଶ୍ୟକତା ସହିତ ରାଜ୍ୟ କ୍ୟାପିଟାଲ ରିଜିଅନ୍ ଇମ୍ପ୍ରୋଭମେଣ୍ଟ ଇନ୍ ପାୱାର ସିଷ୍ଟମ (ଏସସିଆରଆଇପିଏସ)ର ସଂପ୍ରସାରଣ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ୍ (ଓପିଟିସିଏଲ୍) ରାଜ୍ୟର ରାଜଧାନୀ ଅଞ୍ଚଳର ବିଦ୍ୟମାନ ଟ୍ରାନ୍ସମିସନ୍ ଏବଂ ବିତରଣ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ (ସିଏମ୍ପିଡିପି) ଅଧୀନରେ ଏସସିଆରଆଇପିଏସ୍ କାର୍ଯ୍ୟକାରୀ କରିବ।

ନିକଟରେ ଘୋଷଣା କରାଯାଇଥିବା ଯୋଜନା ‘ଆମ ହସ୍ପିଟାଲ’କୁ ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟ ସେବାରେ ଭିତ୍ତିଭୂମି ଏବଂ ରୋଗୀ ସେବାର ଉନ୍ନତି ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି।

୩୩୮୮.୭୩ କୋଟି ଟଙ୍କା ବ୍ୟୟ ଅଟକଳରେ ପାଞ୍ଚ ବର୍ଷ (୨୦୨୩-୨୪ରୁ ୨୦୨୭-୨୮) ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ୧୮୫୮ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଜଳ ଜୀବନ ମିଶନ (ଜେଜେଏମ୍) ମଧ୍ୟରୁ ବଲାଙ୍ଗୀର ଜିଲ୍ଲାରେ ଦୁଇଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୩୦୭.୮୭ କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କମିଟି ଅନୁମୋଦନ କରିଛି।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାନିଭିଲି ଗ୍ରାମ ନିକଟ ଋଷିକୁଲ୍ୟା ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ ୮୬ କୋଟି ୫୪ ଲକ୍ଷ ଟଙ୍କାର ଟେଣ୍ଡରକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲାରେ ୧୫୬ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟରେ ବ୍ରହ୍ମପୁର ରିଙ୍ଗରୋଡ ନିର୍ମାଣ କୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ସଡ଼କ ପ୍ରକଳ୍ପ ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ବିକାଶକୁ ତ୍ୱରାନ୍ୱିତ କରିବା ସହ ବ୍ରହ୍ମପୁର ସହରରେ ଯାତାୟତକୁ ସହଜ କରିବ ବୋଲି ଆଶା କରାଯାଉଛି। ଦୁଇ ବର୍ଷ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ନୂଆ ଲୋୟୋଲା ସ୍କୁଲ ପ୍ରତିଷ୍ଠା ପାଇଁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଏକ୍ସଆଇଏମ) ସୋସାଇଟି ସପକ୍ଷରେ ଭୁବନେଶ୍ୱର ଗୋଠପାଟଣା ମୌଜାରେ ୯.୪୦୦ ଏକର ସରକାରୀ ଜମି ମାଗଣାରେ ଯୋଗାଇ ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି।