Home Industry ମେକ୍‌-ଇନ୍‌-ଓଡ଼ିଶାରେ ୭ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ମେକ୍‌-ଇନ୍‌-ଓଡ଼ିଶାରେ ୭ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨କାର୍ଯ୍ୟକ୍ରମ ସଂପର୍କରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ସକାଳେ ମୁଖ୍ୟମନ୍ତ୍ରୀ ନରେୱ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିଙ୍କ ସମେତ ଦେଶର ୪୦ ଜଣ ପ୍ରମୁଖ ଶିଳ୍ପପତିଙ୍କ ଗହଣରେ ଜଳଯୋଗରେ ସାମିଲ ହୋଇ ପୁଂଜିନିବେଶ ସଂପର୍କରେ ଆଲୋଚନା କରିଥିଲେ ।

ଆଜିର ପ୍ରଥମ ଅଧିବେଶନ (ପ୍ଲେନାରୀ ସେସନ୍‌)ରେ ୫୪ ଜଣ ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତଥିବାବେଳେ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୨୦୦୦ରୁ ଊଦ୍ଧ୍ୱର୍ ଉଦ୍ୟୋଗୀମାନେ ଯୋଗଦେଇଥିଲେ ।

ଆଜି ମୋଟ ୧୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଅନ୍ୟ ଦେଶରୁ ୨୧୨ଟି ସଂସ୍ଥା ଅଂଶଗ୍ରହଣ କରିଥିବାବେଳେ ଏଥିରେ ଜାପାନ୍‌, ଜର୍ମାନୀ, ନର୍‌ୱ, ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସିଙ୍ଗାପୁର, ଚୀନ ଓ ଥାଇଲାଣ୍ଡ ଆଦି ଦେଶ ମଧ୍ୟ ସାମିଲ ହୋଇଛନ୍ତି । ଆଜି ମୋଟ ୨୧ଟି ନିବେଶ ସଂପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଉଭୟ ନିବେଶ ଓ ଅଣନିବେଶ କ୍ଷେତ୍ର ମିଶି ମୋଟ ୬୭ଟି ନିବେଶ ପତ୍ର ଗ୍ରହଣ କରାଯାଇଥିଲା । ଏହି ୬୭ଟି କ୍ଷେତ୍ରରୁ ମୋଟ ୫,୮୫,୭୪୨.୨୬ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ଏଥି ଯୋଗୁଁ ୨ ଲକ୍ଷ ୪୭ ହଜାର ୮୯୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏତଦ୍‌ବ୍ୟତୀତ ଦେଶର ବିଭିନ୍ନ ସହରରେ ଗତ ୬ ମାସ ମଧ୍ୟରେ ଯେଉଁ ରୋଡ୍‌ଶୋ ହୋଇଥିଲା, ତନ୍ମଧ୍ୟରୁ ପ୍ରସ୍ତାବନା ଆସିଥିବା ୭୮ଟି ନିବେଶ ପ୍ରତିଶ୍ରୁତିକୁ ଆଜି ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଛି ।

ଏଥିରେ ୧ଲକ୍ଷ ୪୦ ହଜାର ୩୮୬ କୋଟି ୧୯ ଲକ୍ଷ ଟଙ୍କାର ପୁଂଜିନିବେଶ ସମ୍ଭାବନା ରହିଛି ଏବଂ ଏହା ଦ୍ୱାରା ୭୨ ହଜାର ୮୪୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଉପରୋକ୍ତ ସମସ୍ତ କ୍ଷେତ୍ରରୁ ମୋଟ ୭,୨୬,୧୨୮.୪୫ କୋଟିର ପୁଂଜିନିବେଶ ପ୍ରତିଶ୍ରୁତି ମିଳିଛିି ବୋଲି ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

ଆସନ୍ତାକାଲି ମେକ୍‌ ଇନ୍‌ ଓଡ଼ିଶା ଦ୍ୱିତୀୟ କାର୍ଯ୍ୟ ଦିବସରେ ସ୍କିଲଡ୍‌ ଇନ୍‌ ଓଡ଼ିଶା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଇଟିଇଏସ୍‌, ସିଙ୍ଗାପୁର ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ କେତେକ ଶିଳ୍ପ ଉପରେ ନିର୍ଭର କରୁଥିବା କ୍ଷୁଦ୍ରଶିଳ୍ପ, ଆନୁଷଙ୍ଗିକ ଶିଳ୍ପ ଓ ଡାଉନ୍‌ଷ୍ଟି୍ରମ୍‌ ଶିଳ୍ପ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଏବଂ ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୋଟ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।