Home General ମୃତ ପଶୁ ଉଠାଇବାକୁ ଗୋଟିଏ ଗାଡି

ମୃତ ପଶୁ ଉଠାଇବାକୁ ଗୋଟିଏ ଗାଡି

ଭୁବନେଶ୍ୱର : ରାଜଧାନୀରେ ମୃତ ପଶୁମାନଙ୍କୁ ଉଠାଇବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବୁଲୁଛି ଗୋଟିଏ ଗାଡି । ସମଗ୍ର ସହରରୁ ମୃତ ପଶୁଙ୍କୁ ଉଠାଇବାପାଇଁ ଏହା ପର୍ଯ୍ୟାପ୍ତ ହେଉନଥିବାବେଳେ ଲୋକେ ମୃତ ପଶୁଙ୍କ ଶରୀରକୁ ଲୁଚା ଛପାରେ ଏଣେ ତେଣେ ଫିଙ୍ଗୁଛନ୍ତି ।

ମୃତ ପଶୁମାନଙ୍କୁ ଉଠାଇବାର ଦାୟିତ୍ୱ ହେଉଛି ବିଏମ୍‍ସିର । ଯେଉଁଠାରୁ ଅଭିଯୋଗ ଆସିବ ସେଠାରୁ ତୁରନ୍ତ ମୃତ ପଶୁମାନଙ୍କ ଶରୀରକୁ ଉଠାଇ ନିଆଯିବା କଥା । ହେଲେ ଏଥିପାଇଁ ବିଏମ୍‍ସିର ଗୋଟିଏ ଯାନ ଥିବାରୁ ଲୋକଙ୍କୁ ଏହି ସେବା ମିଳିପାରୁ ନାହିଁ । ଦାୟିତ୍ୱରେ ଥିବା ଯାନ ଓ କର୍ମଚାରୀମାନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ମୃତ ପଶୁଙ୍କୁ ଉଠାଇବାପାଇଁ ସହର ସାରା ଚକ୍କର ମାରୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଗୋଟିଏ ଦିନରେ ସମସ୍ତ ମୃତ ପଶୁଙ୍କୁ ଉଠାଯାଇ ପାରୁନାହିଁ ।

ବର୍ତ୍ତମାନ ରାଜଧାନୀରେ ମୃତ ପଶୁ ବିଶେଷକରି ଛୋଟ ଛୋଟ କୁକୁର ବହୁ ସଂଖ୍ୟାରେ ଗାଡି ଧକ୍କାରେ ପ୍ରାଣ ହରାଉଛନ୍ତି । ଏଥି ସହିତ ବିଲେଇ ଠାରୁ ଆରମ୍ଭକରି ଗାଈଗୋରୁ ଓ ମଇଁଷିମାନେ ମଧ୍ୟ ମରୁଛନ୍ତି । ଏମାନଙ୍କୁ ତୁରନ୍ତ ଉଠାଇବା ଆବଶ୍ୟକ ହେଉଛି । କାରଣ ବିଳମ୍ବ ହେଲେ ଶବଗୁଡିକ ପଚି ଦୁର୍ଗନ୍ଧ ହେବାରେ ଲାଗୁଛି ।

ବିଏମ୍‍ସି ଆସିବରେ ବିଳମ୍ବ ସହିତ ଅଭିଯୋଗ ପାଇଁ ଗୋଟିଏମାତ୍ର ଟେଲିଫୋନ୍‍ ନମ୍ବର ଥିବାରୁ ଲୋକେ ଏବେ ଗୃହପାଳିତ ପଶୁ ବିଶେଷକରି କୁକୁର ଓ ବିଲେଇମାନଙ୍କ ମୃତ ଶରୀରକୁ ବିଏମ୍‍ସି ଗାଡିରେ ଉଠାଇବା ବଦଳରେ ସହରର ବିଭିନ୍ନ ସ୍ଥାନରେ ଲୁଚା ଛପାରେ ପକାଇ ଦେଉଛନ୍ତି । ଏପରିକି କପଡା ଓ କାଗଜରେ ଗୁଡାଇ ନିଜ ଘରଠାରୁ ଦୂରରେ ଲୁଚାଛପାରେ ପକାଇ ଦେଉଛନ୍ତି । ଫଳରେ ସେହିସବୁ ଅଞ୍ଚଳର ଲୋକେ ଦୁର୍ଗନ୍ଧରେ ନାକେଦମ ହେଉଛନ୍ତି ।

ସହରର ବିଭିନ୍ନ ୟୁନିଟ୍‍ରୁ ଅଳିଆ ଉଠାଇବାପାଇଁ ବିଏମ୍‍ସି ପକ୍ଷରୁ ଏକାଧିକ ସଂସ୍ଥାଙ୍କୁ ଦାୟିତ୍ୱ ଦିଆଯିବା ସହିତ ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ତେବେ ଏହି ସଂସ୍ଥାମାନଙ୍କୁ ୱାର୍ଡରୁ ମୃତ ପଶୁ ଉଠାଇବାର ଦାୟିତ୍ୱ ମିଳିନାହିଁ । ଫଳରେ ସେମାନେ ସବୁକିଛି ଦେଖୁଥିଲେ ବି କିଛି କରିପାରୁ ନାହାନ୍ତି ।

ଅନ୍ୟ ପକ୍ଷରେ ରାଜଧାନୀରେ ବନ୍ଧ୍ୟାକରଣରେ କିଛିଦିନ କଟକଣା ଯୋଗୁଁ କୁକୁରମାନଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବା ସହିତ ସେହି ଅନୁପାତରେ ସେମାନଙ୍କର ମୃତ୍ୟୁ ଘଟୁଛି । ସାରା ସହରରୁ କିଭଳି ମୃତ କୁକୁରମାନଙ୍କୁ ଉଠାଇବ ତାହା ଏବେ ବିଏମ୍‍ସି କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ସ୍ଥାନୀୟ ଲୋକେ ଏହାକୁ ନେଇ ମଧ୍ୟ ନାକେଦମ ହେଉଛନ୍ତି । ତେଣୁ ତୁରନ୍ତ କର୍ତ୍ତୃପକ୍ଷ ମୃତ ପଶୁମାନଙ୍କୁ ଉଠାଇବାପାଇଁ ଗାଡି ଓ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବାପାଇଁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)