ଭୁବନେଶ୍ୱର : ରାଜ୍ୟ ଅର୍ଥ ନିଗମ ଏବେ ବି କାର୍ଯ୍ୟକ୍ଷମ ଥିବାବେଳେ ଦିଆଯାଇଥିବା ଋଣ ଆଦାୟ ହୋଇପାରୁ ନାହିଁ । ତେବେ ସୁଧ ପରିମାଣ ମୂଳ ଠାରୁ ପ୍ରାୟ ୪୦ ଗୁଣ ବୃଦ୍ଧି ହୋଇଗଲାଣି । ତେଣୁ ଏହି ଅର୍ଥ ଆଦାୟ ହେବ କି ନାହିଁ ତାହାକୁ ନେଇ ସଂଶୟ ରହିଛି ।
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ସୁଗମ କରିବା ସହିତ ଛୋଟ ଓ ବଡ ବ୍ୟବସାୟୀମାନଙ୍କୁ ବ୍ୟବସାୟ ଲାଗି ସହଜରେ ଋଣ ଯୋଗାଇ ଦେବାକୁ ଗଠନ ହୋଇଥିଲା ଅର୍ଥ ନିଗମ । ଏହି ନିଗମ ୫୦୮୯ଟି ଆକାଉଣ୍ଟରେ ଋଣ ପ୍ରଦାନ କରାଯାଇଛି । ଏହି ଋଣର ପରିମାଣ ହେଉଛି ମାତ୍ର ୨୪୪ କୋଟି ଟଙ୍କା । ଏହି ଋଣ ଅର୍ଥ ଆଦାୟ ହୋଇନପାରିବାରୁ ଏହା ଉପରେ ସୁଧର ବୋଝ ବଢି ବଢି ଚାଲିଛି । ଏହି ସୁଧ ବୋଝ ଏବେ ୯୬୧୬ କୋଟି ଟଙ୍କାରେ ପହଞ୍ଚିଛି ।
ତେବେ ନିଗମର କଟକ ଶାଖାରେ ଉଭୟ ଋଣ ଓ ସୁଧ ପରିମାଣ ସର୍ବାଧିକ ରହିଛି । ଏହି ଶାଖା ଅଧିନରେ ରହିଛି ୧୦ଟି ଜିଲ୍ଲା । ଏଥିରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ଭଦ୍ରକ । ଏହିସବୁ ଜିଲ୍ଲାରେ ୩୦୯୪ ଟି ଋଣ ଆକାଉଣ୍ଟ ଥିବାବେଳେ ଏମାନେ ନେଇଛନ୍ତି ୧୦୯ କୋଟି ଟଙ୍କାର ଋଣ । ତେବେ ଏହା ଉପରେ ସୁଧ ପରିମାଣ ବଢି ୩୧୫୪ କୋଟି ୩୫ଲକ୍ଷ ଟଙ୍କାରେ ପହଞ୍ଚିଲାଣି ।
ସେହିଭଳି ଭୁବନେଶ୍ୱର ଶାଖାରେ ରହିଛି ୧୧ଟି ଜିଲ୍ଲା । ଏହିସବୁ ଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା, ନୟାଗଡା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, କୋରାପୁଟ ଓ ମାଲକାନଗିରି । ଏହିସବୁ ଜିଲ୍ଲାରେ ୧୩୩୯ ଟି ଋଣ ଆକାଉଣ୍ଟ ଥିବାବେଳେ ସେମାନଙ୍କୁ ୮୮ କୋଟି ଟଙ୍କାର ଋଣ ଦିଆଯାଇଥିଲା । ଏବେ ଏହି ଋଣ ଉପରେ ସୁଧର ପରିମାଣ ୪୦୧୪ କୋଟି ଟଙ୍କାକୁ ଟପିଯାଇଛି ।
ସମ୍ବଲପୁର ଶାଖାରେ ମଧ୍ୟ ଅନୁରୂପ ଅବସ୍ଥା । ଏହି ଶାଖା ଅଧିନରେ ରହିଛି ୯ଟି ଜିଲ୍ଲା । ଏଥି ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡା, ଦେବଗଡ, ନୂଆପଡା, ବରଗଡ ଓ ସୋନପୁର । ଏହି ୯ଟି ଜିଲ୍ଲାରେ ୭୦୧ଟି ଋଣ ଆକାଉଣ୍ଟ ରହିଥିବାବେଳେ ଏଥିରେ ୪୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ତେବେ ଏହା ଉପରେ ସୁଧ ପରିମାଣ ବୃଦ୍ଧି ପାଇ ୨୪୪୭ କୋଟି ଟଙ୍କାକୁ ଟପିଗଲାଣି ।
ଗୋଟିଏ ପଟେ ନିଗମ ଋଣ ଓ ସୁଧ ଆଦାୟ କରିପାରୁନଥିବାବେଳେ ଅନ୍ୟ ପଟେ ଘରୋଇ ବ୍ୟାଙ୍କ୍ଗୁଡିକ ସହିତ ପ୍ରତିଯୋଗିତା କରିପାରୁ ନାହିଁ । ଏହା ଫଳରେ ରାଜ୍ୟ ଅର୍ଥ ନିଗମ ଏବେ ଏକ ପ୍ରକାର ମୃତ୍ବତ ଅବସ୍ଥାରେ ରହିଛି । ଯେତିକି ମୂଳ ଋଣ ଅର୍ଥ ରହିଛି ତାହାକୁ ବି ଆଦାୟ କରିବା ନିଗମ ପକ୍ଷେ କଷ୍ଟକର ହୋଇଛି । ଅନେକ ଋଣ ଗ୍ରହିତା ସଂସ୍ଥା ବନ୍ଦ କରିଦେବା ଓ ଅଦାଲତରେ ମାମଲା ଚାଲିବା ଯୋଗୁଁ ଋଣ ଆଦାୟ ହୋଇପାରୁ ନାହିଁ । ଏହି ଋଣ ଓ ସୁଧ ଅର୍ଥ କିଭଳି ଆଦାୟ ହେବ ସେ ନେଇ ସରକାରୀ ସ୍ତରରେ କୌଣସି ଠୋସ୍ ନିଷ୍ପତ୍ତି ହୋଇପାରୁ ନଥିବାବେଳେ ଋଣ ନେଇଥିବା ସଂସ୍ଥା ଓ ବ୍ୟକ୍ତିମାନେ ନିଶ୍ଚିତରେ ରହିଛନ୍ତି । (ତଥ୍ୟ)