ଭୁବନେଶ୍ୱର : ମୂଲ୍ୟବୋଧଭିତ୍ତିକ ରାଜନୀତିର ପ୍ରତୀକ ଥିଲେ ସୁରେନ୍ଦ୍ରନାଥ ନାୟକ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଚଳିତ ଜୁଲାଇ ୧୬ ତାରିଖ ମଙ୍ଗଳବାର ଦିନ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ପୀର ଜାହାନିଆଁସ୍ଥ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବର୍ଷୀଆନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି ।
ଦିବଙ୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ଅମର ଆତ୍ମାର ସଦ୍ଗତି ପ୍ରାର୍ଥନା କରିଥିଲେ ଏବଂ ପରିବାର, ଆତ୍ମୀୟସ୍ୱଜନ ତଥା ଅନୁଗାମୀମାନଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ ଯେ, ସୁରେନ୍ଦ୍ରନାଥ ନାୟକଙ୍କ ପରି ରାଜନେତା ବିରଳ । ଜୀବନ ତମାମ ଗରୀବ, ଶୋଷିତ ଏବଂ ପୀଡ଼ିତ ଲୋକଙ୍କର ସ୍ୱର ସାଜି ସେମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଥିଲେ ।
୧୯୬୦ ମସିହାରୁ ଅସ୍ତରଙ୍ଗ ପଂଚାୟତ ସମିତିର ଅଧ୍ୟକ୍ଷଭାବେ ରାଜନୈତିକ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ବହୁବାର ବିଧାୟକ ଏବଂ ମନ୍ତ୍ରୀ ହୋଇ ରାଜ୍ୟର ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ନିଜ ଜୀବନକାଳ ଭିତରେ ସବୁବେଳେ ଲୋକଙ୍କ ସହ ଜଡ଼ିତ ହୋଇ ରହିବା ତାଙ୍କର ବ୍ୟକ୍ତିତ୍ୱର ବିଶେଷତ୍ୱ ଥିଲା ।
ସ୍ୱର୍ଗତ ନାୟକ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କର ଅବଦାନ ଆଗମୀ ପୀଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ତାଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କଲେ ବିକଶିତ ରାଜ୍ୟ ଓ ବିକଶିତ ରାଷ୍ଟ୍ର ଗଠନ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ ।