Home Agriculture ମୁଣ୍ଡ ପିଛା ମାଛ ବ୍ୟବହାର ୨୦ କିଲୋ ହେବ

ମୁଣ୍ଡ ପିଛା ମାଛ ବ୍ୟବହାର ୨୦ କିଲୋ ହେବ

ଭୁବନେଶ୍ୱର : ଆସନ୍ତା ତିନିବର୍ଷ ଅର୍ଥାତ୍‍ ୨୦୨୫ ସୁଦ୍ଧା ରାଜ୍ୟରେ ମୁଣ୍ଡ ପିଛା ମାଛ ବ୍ୟବହାର ୨୦ କିଲୋକୁ ବଢାଇବାପାଇଁ ରାଜ୍ୟ ସରକାର ରୋଡମ୍ୟାପ ପ୍ରସ୍ତୁତ ସହିତ ମିଶନ ମୋଡ୍‍ରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ୨୦୧୯-୨୦ରେ ରାଜ୍ୟରେ ମୁଣ୍ଡପିଛା ମାଛ ବ୍ୟବହାର ୧୬.୨୪ କିଲୋ ଥିବାବେଳେ ଏହାକୁ ତିନିବର୍ଷ ମଧ୍ୟରେ ୨୦କିଲୋରେ ପହଞ୍ଚାଇବାପାଇଁ ଯୋଜନା ହୋଇଛି ।

ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅରବିନ୍ଦ କୁମାର ପାଢୀ ଦାୟିତ୍ୱ ଗ୍ରହଣ କରିବାପରେ ବିଭାଗର ଅଧିକାରୀମାନେ ୫-ଟି ଆଧାରରେ ଏଭଳି ରୋଡମ୍ୟାପ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବିବିଧ ମାଛଚାଷ ଯୋଜନାରେ ଏଭଳି ପଦକ୍ଷେପ ନିଆଯାଉଥିବାବେଳେ ଆଗାମୀ ଦିନରେ ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଅଧିକାରୀମାନେ ମତ ଦେଉଛନ୍ତି । ନିକଟ ଭବିଷ୍ୟତରେ ରାଜ୍ୟବାସୀ ଓଡିଶାରେ ବିଭିନ୍ନ ପ୍ରଜାତିର ମାଛ ଚାଷ ସହିତ ଏହାର ରପ୍ତାନି ଏବଂ ଏହାଦ୍ୱାରା ସୃଷ୍ଟି ହେବାକୁ ଯାଉଥିବା ନିଯୁକ୍ତି ସୁଯୋଗ ଦେଖିପାରିବେ ।

ମାଛ ଚାଷରେ ବ୍ୟାପକତା ଯୋଗୁଁ ରାଜ୍ୟବାସୀ ସ୍ୱଳ୍ପ ମୂଲ୍ୟରେ ମାଛ ପାଇବା ଯୋଗୁଁ ଏହାର ମୁଣ୍ଡପିଛା ବ୍ୟବହାର ୧୬.୨୪ କିଲୋରୁ ତିନି ବର୍ଷ ମଧ୍ୟରେ ୨୦ କିଲୋକୁ ବୃଦ୍ଧି ପାଇବ ବୋଲି ଅଧିକାରୀମାନେ ଆକଳନ କରୁଚନ୍ତି । ରାଜ୍ୟର ୬.୮୫ ଲକ୍ଷ ହେକ୍ଟର ପରିମିତ ମଧୁର ଜଳ ଉତ୍ସ ଥିବାବେଳେ ଏଥିରୁ ପ୍ରାୟ ୬.୬ ଲକ୍ଷ ଟନ୍‍ର ଦେଶୀୟ ପ୍ରଜାତିର ମାଛ ଉତ୍ପାଦିତ ହେଉଛି । ତେବେ ମଧୁରଜଳରେ ବିକଳ୍ପ ମାଛ ଭାବେ ତିଲାପିଆ ମାଛ ଚାଷ ଉପରେ ଜୋର ଦିଆଯାଉଛି ଯାହାକି ଆଗାମୀ ଦିନର ମାଛ ଆବଶ୍ୟକତା ପୂରଣରେ ସହାୟକ ହୋଇପାରିବ ।

ମଧୁର ଜଳ ଉତ୍ସ ବ୍ୟତିତ ମାଛ ଚାଷ ପାଇଁ ୪.୧୮ ଲକ୍ଷ ହେକ୍ଟର ଖାର ଜଳ ଇଲାକା ସହିତ ୪୮୦ କିଲୋମିଟର ଦୀର୍ଘ ଉପକୂଳ ରହିଛି । ୨୦୨୦-୨୧ ରେ ରାଜ୍ୟରେ ୪୪,୫୫୫ ଟନ୍‍ର ବିଭିନ୍ନ କିସମର ଚିଙ୍ଗୁଡି ଉତ୍ପାଦିତ ହୋଇଥିବାବେଳେ ପାରାଦୀପ୍‍ ବନ୍ଦର ଦେଇ ୧୭ଟନ୍‍ ସାମୁଦ୍ରିକ ଉତ୍ପାଦ ରପ୍ତାନି ହୋଇଛି ।

ବିବିଧ ପ୍ରଜାତିର ମାଛ ଉତ୍ପାଦନ ବୃଦ୍ଧି ପାଇଁ ଲବଣାକ୍ତ ଜଳ ଏବଂ ସମୁଦ୍ର ଉପକୂଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଭେକ୍ଟି ଭଳି ମାଛ ଉଭୟ ଖାରଜଳ, ଲବଣାକ୍ତ ଏବଂ ମଧୁର ଜଳରେ ଭଲ ଭାବେ ବଢି ପାରୁଛନ୍ତି । ରାଜ୍ୟରୁ ମାଛ ଉତ୍ପାଦନ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ସହିତ ଘରୋଇ ଚାହିଦା ମେଣ୍ଟାଇବାପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଚାଷୀମାନଙ୍କୁ ବିବିଧ ପ୍ରଜାତିର ମାଛ ଯାଆଁଳ ଯୋଗାଇବାର ଯୋଜନା ରହିଛି । ବିଭିନ୍ନ ନୂତନ ପ୍ରଜାତିର ମାଛ ଯାଆଁଳ ପାଇଁ ରାଜ୍ୟ ସରକାର ଖୁବ୍‍ଶୀଘ୍ର ହାଚେରୀ ପ୍ରତିଷ୍ଠା ପାଇଁ ଯୋଜନା କରିଛନ୍ତି ।

ସେହିଭଳି ୧୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ଥିବା ଚିଲିକା ହ୍ରାଦରେ କଙ୍କଡା ଚାଷର ବ୍ୟାପକ ସୁଯୋଗ ରହିଛି । ଖୁବ୍‍ଶୀଘ୍ର ଏ ସଂକ୍ରାନ୍ତରେ ସର୍ଭେ କରାଯିବା ସହିତ ଏ ସଂକ୍ରାନ୍ତୀୟ ହାଚେରୀ ପ୍ରତିଷ୍ଠା କରାଯିବ ବୋଲି ମତ୍ସ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । (ତଥ୍ୟ)