ଭୁବନେଶ୍ୱର : ଓଡ଼ିଶାରେ ଲୋକଙ୍କ ମୁଣ୍ଡପିଛା ଘରୋଇ ଉତ୍ପାଦନ ବା ନେଟ୍ ଷ୍ଟେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟର ପରିମାଣ ୧,୦୯,୭୩୦ ଟଙ୍କା ଥିବାବେଳେ ବିହାର, ଉତ୍ତର ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମେଘାଳୟ, ରାଜସ୍ଥାନ, ଜାମ୍ମୁକାଶ୍ମୀର ଭଳି ଅନେକ ରାଜ୍ୟ ଏ କ୍ଷେତ୍ରରେ ଓଡ଼ିଶାଠାରୁ ପଛରେ ଅଛନ୍ତି । କେନ୍ଦ୍ର ସରକାରଙ୍କ ସଦ୍ୟ ପ୍ରକାଶିତ ଆର୍ଥିକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି ।
ତେବେ ଆନ୍ଧ୍ର, ହରିଆଣା, କର୍ଣ୍ଣାଟକ, ପଞ୍ଜାବ, ସିକିମ୍, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ପଶ୍ଚିମବଙ୍ଗ, ଦିଲ୍ଲୀ, ପୁଡୁଚେରୀ ଆଦି ଏ କ୍ଷେତ୍ରରେ ଓଡ଼ିଶାଠାରୁ ଆଗରେ ରହିଛନ୍ତି । ତେବେ ଅରୁଣାଚଳ ପ୍ରଦେଶ, ଆସାମ, ଗୁଜରାଟ, ଗୋଆ, କେରଳ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଉତ୍ତରାଖଣ୍ଡ ଆଦି ରାଜ୍ୟଗୁଡିକର ଏ ସଂକ୍ରାନ୍ତୀୟ ତଥ୍ୟ ଭାରତ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ସ୍ଥାନ ପାଇନାହିଁ ।
ଓଡ଼ିଶାର ମୁଣ୍ଡପିଛା ଏନଏସଡିପି ଗତ ୧୦ବର୍ଷ ମଧ୍ୟରେ ପ୍ରାୟ ୨ ଗୁଣ ବଢ଼ିଛି । ୨୦୧୨-୧୩ ବେଳକୁ ଓଡ଼ିଶାର ମୁଣ୍ଡପିଛା ଏନଏସଡିପି ହାରାହାରି ୫୫,୧୦୫ ଟଙ୍କାରେ ସୀମିତ ଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୧,୦୯,୭୩୦ରେ ପହଞ୍ôଚଛି । ତେବେ ପୂର୍ବବର୍ଷ ଅର୍ଥାତ ୨୦୧୯-୨୦ରେ ଏହାର ପରିମାଣ ୧,୧୦,୪୩୪ ଟଙ୍କା ଥିବାବେଳେ ଗତବର୍ଷ କିନ୍ତୁ ତାହା ବୃଦ୍ଧି ପାଇବା ପରିବର୍ତ୍ତେ କମିବାର କାରଣ କୋଭିଡ ଯୋଗୁଁ ବିପର୍ଯ୍ୟସ୍ତ ହୋଇଥିବା ଆର୍ଥିକ ବ୍ୟବସ୍ଥା ବୋଲି କୁହାଯାଉଛି । କେବଳ ଓଡ଼ିଶା ନୁହେଁ, ଦେଶର ପ୍ରାୟ ସବୁ ରାଜ୍ୟର ମୁଣ୍ଡପିଛା ହାରାହାରି ଏନଏସଡିପି ପରିମାଣ ୨୦୨୦-୨୧ ବର୍ଷରେ ପୂର୍ବବର୍ଷ ତୁଳନାରେ କମିବାର କାରଣ ବି କୋଭିଡ ମହାମାରୀ ବୋଲି କୁହାଯାଉଛି ।
କେନ୍ଦ୍ର ସରକାରଙ୍କ ଏହି ରିପୋର୍ଟ ମୁତାବକ ୨୦୨୦-୨୧ ବର୍ଷରେ ଓଡ଼ିଶାରେ ମୁଣ୍ଡପିଛା ଏନଏସଡିପି ପରିମାଣ ୧,୦୯,୭୩୦ ଟଙ୍କା ଥିବାବେଳେ ସେହିବର୍ଷ ଆନ୍ଧ୍ରପ୍ରଦେଶରେ ଏହା ୧,୭୦,୨୧୫, ହରିଆଣାରେ ୨,୩୯,୫୩୫, କର୍ଣ୍ଣାଟକରେ ୨,୨୬,୭୯୬, ପଞ୍ଜାବରେ ୧,୫୧,୩୬୭, ସିକିମ୍ରେ ୪,୨୪,୪୫୪, ତାମିଲନାଡୁରେ ୨,୨୫,୧୦୬, ତେଲେଙ୍ଗାନାରେ ୨,୩୭,୬୩୨, ତ୍ରିପୁରାରେ ୧,୨୯,୯୯୫, ପଶ୍ଚିମବଙ୍ଗରେ ୧,୨୧,୨୬୭ ଓ ଦିଲ୍ଲୀରେ ୩,୫୪,୦୦୪ ଟଙ୍କା ରହିଛି ।
ମୋଟାମୋଟି ଭାବେ ଏ କ୍ଷେତ୍ରରେ ସିକିମ୍ ଓ ଦିଲ୍ଲୀ ପ୍ରଭୃତି ରାଜ୍ୟଗୁଡିକ ଢ଼େର ଆଗରେ ରହିଛି । ତେବେ ଖଣିଜ ସମ୍ପଦଭରା ବିହାର, ଝାଡଖଣ୍ଡ, ଛତିଶଗଡ ଆଦି ରାଜ୍ୟରେ ମୁଣ୍ଡପିଛା ହାରାହାରି ଏନଏସଡିପିର ପରିମାଣ ଓଡ଼ିଶାଠାରୁ କମ୍ ରହିଛି । (ତଥ୍ୟ)